40.1 C
Bhubaneswar
Saturday, April 27, 2024
Homeଓଡିଶାଆରମ୍ଭ ହେଲା ‘ଓଡ଼ିଶା ଫର୍ ଏଆଇ, ଏଆଇ ଫର୍ ୟୁଥ୍‌’; ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ...

ଆରମ୍ଭ ହେଲା ‘ଓଡ଼ିଶା ଫର୍ ଏଆଇ, ଏଆଇ ଫର୍ ୟୁଥ୍‌’; ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ କାର୍ଯ୍ୟକାରୀ

ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତା (ଏଆଇ) କ୍ଷେତ୍ରରେ ଓଡ଼ିଶା ବଡ଼ ପଦକ୍ଷେପ ନେଇଛି । ‘ଓଡ଼ିଶା ଫର୍ ଏଆଇ ଏବଂ ଏଆଇ ଫର୍ ୟୁଥ୍‌’ ପଦକ୍ଷେପ ଆରମ୍ଭ ହୋଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ‘ଓଡ଼ିଶା ଫର୍ ଏଆଇ’ ହେଉଛି ଇଣ୍ଟେଲ ଦ୍ୱାରା ଆପ୍‌/ୱେବସାଇଟରେ ଏଆଇ ଉପରେ ଏକ ମାଗଣା ୪ ଘଣ୍ଟିଆ ପାଠ୍ୟକ୍ରମ । ଭୁବନେଶ୍ୱର, କଟକ ଏବଂ ପୁରୀରେ ଏହା ସମସ୍ତଙ୍କ ପାଇଁ ମାଗଣା ଖୋଲା ରହିବ । ପରବର୍ତ୍ତୀ ସମୟରେ ଓଡ଼ିଶାବାସୀଙ୍କ ପାଇଁ ଖୋଲାଯିବ । ସେହିପରି ‘ଏଆଇ ଫର୍ ୟୁଥ୍‌’ ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ପ୍ରଥମ ପର୍ଯ୍ୟାୟର ଛାତ୍ରଛାତ୍ରୀଙ୍କ ପାଇଁ (୧୮ ବର୍ଷରୁ କମ୍‌)୨ ହଜାର ୫-ଟି ବିଦ୍ୟାଳୟ ।

ଏହି ପଦକ୍ଷେପ ପାଇଁ ରାଜ୍ୟ ସରକାର ଆନ୍ତର୍ଜାତିକ ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ଇଣ୍ଟେଲ’ ସହ ସହଭାଗିତା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ପଦକ୍ଷେପ ଭୁବନେଶ୍ୱର, ପୁରୀ ଏବଂ କଟକରେ କାର୍ଯ୍ୟକାରୀ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ବିଶ୍ୱକୁ ପୁନଃରୂପ ଦେବା ଏବଂ ପ୍ରଗତିକୁ ଆଗକୁ ନେବାର ଅବିଶ୍ୱସନୀୟ ସମ୍ଭାବନା ରଖୁଛି କୃତ୍ରିମ ବୁଦ୍ଧିମତା । ରାଜ୍ୟ ସରକାର ପ୍ରଯୁକ୍ତିବିଦ୍ୟା ଆଧାରିତ ରୂପାନ୍ତରଣକୁ ଗୁରୁତ୍ୱ ଦେଉଛନ୍ତି, ଯାହା ୫-ଟି ଉପକ୍ରମର ଏକ ପ୍ରମୁଖ ଉପାଦାନ । ଏହି ପଦକ୍ଷେପ ଜନସାଧାରଣଙ୍କ ଡିଜିଟାଲ୍ ସାକ୍ଷରତା ବୃଦ୍ଧି କରିବ ଏବଂ ସେମାନଙ୍କୁ ପରବର୍ତ୍ତୀ ପିଢ଼ିର ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ପରିଚିତ କରାଇବ । ଏହା ମଧ୍ୟ ଗବେଷଣା, ନବସୃଜନ ଏବଂ ପ୍ରୟୋଗ କ୍ଷେତ୍ରଗୁଡ଼ିକୁ ଗୁରୁତ୍ୱ ଦେଇ ଏକ ପରିଦୃଶ୍ୟ (ଇକୋ-ସିଷ୍ଟମ) ସୃଷ୍ଟି କରିବ ।

ରାଜ୍ୟ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଇଣ୍ଟେଲ ଇଣ୍ଡିଆ ମଧ୍ୟରେ ଏହି ସହଭାଗିତାକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ଏବଂ ଏଆଇ ବିପ୍ଳବର ଅଗ୍ରଭାଗରେ ରହିବାକୁ ଅଧିକାରୀମାନଙ୍କୁ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ପରାମର୍ଶ ଦେଇଥିଲେ । ଅର୍ଥନୈତିକ ଅଭିବୃଦ୍ଧି, ଶାସନରେ ରୂପାନ୍ତରଣ, ସମାଜ ଏବଂ ଆମ ନାଗରିକଙ୍କ ଜୀବନର ଉନ୍ନତି ପାଇଁ ଏହି ପଦକ୍ଷେପ ସହାୟକ ହେବ । ଆମର ଯୁବପିଢ଼ିଙ୍କ ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ଏବଂ ଭବିଷ୍ୟତ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଇଣ୍ଟେଲ ଇଣ୍ଡିଆ ମୁଖ୍ୟ ନିବୃତ୍ତି ରାୟ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ମନୋଜ ମିଶ୍ର ଭବିଷ୍ୟତର ଓଡ଼ିଶା ପାଇଁ ଏଆଇର ଉପଯୋଗିତା ସମ୍ପର୍କରେ କହିଥିଲେ । ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking