28.1 C
Bhubaneswar
Friday, May 3, 2024
Homeଓଡିଶା‘ଆଇନମନ୍ତ୍ରୀ ଓ ପୋଲିସଙ୍କ ବିଶୃଙ୍ଖଳିତ ଆଚରଣ’, ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ...

‘ଆଇନମନ୍ତ୍ରୀ ଓ ପୋଲିସଙ୍କ ବିଶୃଙ୍ଖଳିତ ଆଚରଣ’, ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର : ଓଡିଶାରେ ମୁକ୍ତ, ଅବାଧ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ତଥ୍ୟ ପ୍ରମାଣ ସହ ଅଭିଯୋଗ ନେଇ ଆସୁଛୁ । ଶାସକ ବିଜୁ ଜନତା ଦଳ ମୁକ୍ତ ଓ ଅବାଧ ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରୁଛି । “ଡେମୋକ୍ରେଟିକ ସରକାରକୁ ବ୍ୟୁରୋକ୍ରାଟିକ କରିସାରିଲେଣି ବିଜୁ ଜନତା ଦଳ । ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିବା କ୍ଷଣି ଚିହିଁକି ଉଠୁଛି ଶାସକ ବିଜେଡି । କତିପେୟ ଅଧିକାରୀ ଥାର୍ଡ ଫ୍ଲୋରର ନିର୍ଦ୍ଦେଶରେ ବେଆଇନ କାର୍ଯ୍ୟ କରୁଛନ୍ତି । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ବିଷମକଟକ ନିର୍ବାଚନ ମଣ୍ଡଳୀ ପ୍ରଚାର ପାଇଁ ଯାଇଥିବା ଆଇନମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ସାଧାରଣ ଭୋଟର ଜଳ ସମସ୍ୟା ପାଇଁ ପ୍ରଶ୍ନ କରିଥିଲେ ।

ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି ସାଧାରଣ ଲୋକଙ୍କୁ ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହ ଅମାନୁଷିକଭାବେ ଆକ୍ରମଣ କରିଥିଲେ ଓ ଏହାକୁ ମନ୍ତ୍ରୀ ନିରବଭାବେ ଦେଖିବା ସହ ଘଟଣାକୁ ଉପଭୋଗ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ଶ୍ରୀ ହରେକୃଷ୍ଣ ବେହେରା ଓ ହରେନ୍ଦ୍ର ଗୌଡ ଥାନାରେ ୫ଦିନ ପୂର୍ବେ ଏତଲା ରୁଜୁ କରିଥିଲେ ମଧ୍ୟ ଏଯାଏଁ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଇନମନ୍ତ୍ରୀଙ୍କ ଆଖି ସାମ୍ନାରେ ଆଇନର ଧଜିଆ ଉଡିଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ, ଆକ୍ରମଣକାରୀ ତଥା ଏତଲା ସତ୍ୱେ ଅପରାଧୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେପି ପ୍ରତିନିଧିମଣ୍ଡଳୀ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ଲୋକଙ୍କ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୦ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଛନ୍ତି । କିନ୍ତୁ ରାଜ୍ୟରେ ଏବେ ବି ଲୋକେ ପାଣି ପିଇବା ପାଇଁ ଚୁଆ ଓ କୂଅ ଉପରେ ନିର୍ଭର କରୁଛନ୍ତି । ସାଧାରଣ ଜନତା ପାଣି ସମସ୍ୟା ସମ୍ପର୍କରେ ଯେବେ ମୁହଁ ଖୋଲୁଛନ୍ତି ବିଜେଡିର କିଛି ମୁଷ୍ଟିମେୟ ବ୍ୟକ୍ତି ସେମାନଙ୍କୁ ବିରୋଧ କରୁଛନ୍ତି । ଯାହା ଗଣତନ୍ତ୍ର ବିରୋଧୀ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜନତା ନିଜର ସମସ୍ୟାକୁ ଜନନେତାଙ୍କ ପାଖରେ ରଖିଲେ କିନ୍ତୁ ବିଜେଡିର ମୁଷ୍ଟିମେୟ ଗୁଣ୍ଡାମାନେ ତାହା ନଶୁଣି ନୀରିହ ଲୋକଙ୍କୁ ବାଡେଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ବିଜେଡି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲଢ଼ିବା ବଦଳରେ ଗୁଣ୍ଡାରାଜ ଚଳାଇବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି ।

ସେହିପରି ବ୍ରହ୍ମପୁରର ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି କହିଥିଲେ ଯେ, ବ୍ରହ୍ମପୁରର କିଛି ପୋଲିସ ଶାସକ ବିଜୁ ଜନତା ଦଳ ସହ ମିଶି କାର୍ଯ୍ୟ କରୁଛନ୍ତି । ଯାହାର ଭିଡିଓ ଓ ଫଟୋ ଆଜି ବିଜେପି ସିଇଓଙ୍କୁ ଦେଇଛି । ବିଜେଡି ପ୍ରାର୍ଥୀ ପ୍ରଚାର କରୁଥିବାବେଳେ ହାବିଲଦାର ସଂଘର ମୁଷ୍ଟିମେୟ କର୍ମକର୍ତା “ନବୀନ ବାବୁ ଆମେ ତମ ଫ୍ୟାନ” ନିର୍ବାଚନୀ ପ୍ରଚାର ଗୀତରେ ନାଚୁଛନ୍ତି । ଏହା ଜନପ୍ରତିନିଧି ଆଇନ ୧୯୫୧ ଧାରା ୧୨୯ ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ । ଏ ପ୍ରକାର ପୋଲିସ କର୍ମଚାରୀ ନିର୍ବାଚନ ସମୟରେ କିଭଳି ନିରପେକ୍ଷତା ଅବଲମ୍ବନ କରିବେ ବୋଲି ପ୍ରଶ୍ନ କରିବା ସହ ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking