33.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଜଳୁଛି ନୈନିତାଲ ଜଙ୍ଗଲ; ୪୮ ଘଣ୍ଟା ବିତିଲା, ତଥାପି ନିୟନ୍ତ୍ରଣ ହୋଇପାରୁନି ନିଆଁ

ଜଳୁଛି ନୈନିତାଲ ଜଙ୍ଗଲ; ୪୮ ଘଣ୍ଟା ବିତିଲା, ତଥାପି ନିୟନ୍ତ୍ରଣ ହୋଇପାରୁନି ନିଆଁ

ଡେରାଡୁନ: ଦେଶର ଅଧିକାଂଶ ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି । ଏସବୁ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଜଙ୍ଗଲରେ ନିଆଁ ଲାଗିବା ଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଉତ୍ତରାଖଣ୍ଡର ନୈନିତାଲ ଜଙ୍ଗଲରେ ନିଆଁ ଲାଗିବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଗତ ୩୬ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଲଗାତାର ଜଙ୍ଗଲ ଜଳୁଥିବାରୁ ନିଆଁକୁ ଆୟତ୍ତ କରିବାକୁ ଏବେ ସେନାକୁ ନିୟୋଜିତ କରାଯାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନା ପକ୍ଷରୁ ୨ଟି ଏମ୍‌ଆଇ-୧୭ ହେଲିକପ୍ଟର ସହାୟତାରେ ଭୀମତାଲ ହ୍ରଦରୁ ପାଣି ନିଆଯାଇ ଆକାଶମାର୍ଗରୁ ଜଙ୍ଗଲରେ ପାଣି ପକାଇବା କାର୍ଯ୍ୟ ଆରମ୍ଭ କରାଯାଇଛି ।
ନୈନିତାଲ ଜିଲା ମୁଖ୍ୟାଳୟ ନିକଟରେ ଥିବା ଏହି ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ପାଇନ୍ସ ଅଞ୍ଚଳରେ ଅବସ୍ଥିତ ହାଇକୋର୍ଟ କଲୋନୀ ପାଇଁ ବିପଦ ସୃଷ୍ଟି କରିଛି । ଜଙ୍ଗଲ ନିଆଁ ଏବେ ହାଇକୋର୍ଟ କଲୋନୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇସାରିଛି । କେବଳ ସେତିକି ନୁହେଁ ନିଆଁ ଲାଗିବା ଯୋଗୁ ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଜଙ୍ଗଲ ବିଭାଗର କର୍ମଚାରୀଙ୍କ ସହ ସେନା କର୍ମଚାରୀମାନେ ମଧ୍ୟ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ତଥାପି ଜଙ୍ଗଲ ନିକଟବର୍ତ୍ତୀ ଜନବସତି ପାଇଁ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାୟୁସେନା ପକ୍ଷରୁ ହେଲିକପ୍ଟର ଯୋଗେ ଜଙ୍ଗଲରେ ପାଣି ଛିଞ୍ଚନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରକାଶ, ଗତ ୨୪ଘଣ୍ଟା ମଧ୍ୟରେ, ରାଜ୍ୟର ପ୍ରାୟ ୩୧ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ସହିତ ବିଭିନ୍ନ ସ୍ଥାନରେ ୩୩.୩୪ ହେକ୍ଟର ଜଙ୍ଗଲ କ୍ଷେତ୍ର ପ୍ରଭାବିତ ହୋଇଥିବା ଜଣାପଡିଛି । ବଢୁଥିବା ବନାଗ୍ନୀକୁ ଦେଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀମାନଙ୍କୁ ସତର୍କ ରହିବାକୁ କହିଛନ୍ତି ଏବଂ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଏହାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking