37.1 C
Bhubaneswar
Friday, May 17, 2024
Homeଖେଳରାଜସ୍ଥାନକୁ ୧ ରନ୍‌ରେ ହରାଇଲା ହାଇଦ୍ରାବାଦ

ରାଜସ୍ଥାନକୁ ୧ ରନ୍‌ରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଚଳିତ ଆଇପିଏଲ୍ ସିଜନ୍‌ର ଗୁରୁବାର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାଜିତ କରିଛି । ଶେଷ ଓଭର୍‌ରେ ଭୁବନେଶ୍ୱର କୁମାର ୧୩ ରନ୍ ଡିଫେଣ୍ଡ୍ କରିବାରେ ସଫଳ ହୋଇଛନ୍ତି । ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସିଜନ୍‌ର ୫୦ତମ ମ୍ୟାଚ୍‌ରେ ଟସ୍ ଜିତି ବ୍ୟାଟିଂ ନେଇଥିବା ହାଇଦ୍ରାବାଦ ୩ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା । ଜବାବରେ ରାଜସ୍ଥାନ ୭ ୱିକେଟ୍ ହରାଇ ୨୦୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ କରିଥିବା ରୋଭମାନ୍ ପାୱେଲ୍ ଶେଷ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ୧୨ ପଏଣ୍ଟ ନେଇ ଟେବଲ୍‌ର ଚତୁର୍ଥ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ଏହା ରାଜସ୍ଥାନର ସିଜନ୍‌ରେ ଦ୍ୱିତୀୟ ପରାଜୟ ହୋଇଥିବା ବେଳେ ଟିମ୍ ପୂର୍ବପରି ଶୀର୍ଷରେ କାଏମ୍ ରହିଛି ।

୨୦୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସଙ୍କୁ ପ୍ରଥମ ଓଭର୍‌ରେ ଭୁବନେଶ୍ୱର କୁମାର ଡବଲ୍ ଝଟ୍‌କା ଦେଇଥିଲେ । ଦ୍ୱିତୀୟ ବଲ୍‌ରେ ମାର୍କୋ ଜାନ୍‌ସେନ୍‌ଙ୍କୁ ହାତରେ ଜୋସ୍ ବଟ୍‌ଲର୍ (୦)ଙ୍କୁ କ୍ୟାଚ୍ କରାଇବା ପରେ ପଞ୍ଚମ ବଲ୍‌ରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ (୦)ଙ୍କୁ ବୋଲ୍ଡ କରିଥିଲେ । ଏକ ରନ୍‌ରେ ଟିମ୍ ଦୁଇଟି ୱିକେଟ୍ ହରାଇବା ପରେ ଯଶସ୍ୱୀ ଜୟସ୍ୱାଲ୍ ଓ ରିୟାନ୍ ପରାଗ ୧୩୪ ରନ୍‌ର ଶତକୀୟ ଭାଗୀଦାରି କରିିଥିଲେ । ଯଶସ୍ୱୀ ୪୦ ବଲ୍‌ରୁ ୭ ଚୌକା ୨ ଛକା ସହାୟତାରେ ୬୭ ରନ୍ କରିଥିଲେ । ରିୟାନ୍ ପରାଗ ୪୯ ବଲ୍‌ରେ ୮ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୭୭ ରନ୍‌ର ଇନିଂସ୍ ଖେଳିଥିଲେ । ଶେଷ ଓଭର୍‌ରେ ବିଜୟ ପାଇଁ ୧୩ ରନ୍‌ର ଆବଶ୍ୟକତା ଥିବାବେଳେ ରାଜସ୍ଥାନ ରୟାଲ୍ସ ମାତ୍ର ୧୧ ରନ୍ କରିବାକୁ ସମର୍ଥ ହୋଇଥିଲା । ରୋଭ୍‌ମାନ୍ ପାୱେଲ୍ ୧୫ ବଲ୍‌ରେ ୨୭ ରନ୍ କରି ଶେଷ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି ୱିକେଟ୍ ନେଇଥିବା ବେଳେ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ଏବଂ ଟି. ନଟରାଜନ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନେଇଥିବା ହାଇଦ୍ରାବାଦ ପକ୍ଷରୁ ନୀତୀଶ ରେଡ୍ଡୀ ୪୨ ବଲ୍‌ରେ ୩ ଚୌକା ଓ ୮ ଛକା ସହାୟତାରେ ସର୍ବାଧିକ ୭୬ ରନ୍ କରିଥିଲେ । ହେଡ୍ ୪୪ ବଲ୍‌ରେ ୬ ଚୌକା ଓ ୩ ଛକା ସହାୟତାରେ ୫୮ ରନ୍ କରିଥିଲେ । ହେଡ୍ ଓ ନୀତୀଶଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୯୬ ରନ୍‌ର ଭାଗୀଦାରି ହୋଇଥିଲା । ପରେ ନୀତୀଶଙ୍କ ସହ ହେନରୀ କ୍ଲାସେନ୍ ଶେଷ ପାଞ୍ଚ ଓଭର୍‌ରେ ୭୦ ରନ୍ ଉଠାଇ ସ୍କୋର୍ ୨୦୧ ରନ୍‌ରେ ପହଞ୍ଚାଇଥିଲେ । କ୍ଲାସେନ୍ ୧୯ ବଲ୍‌ରେ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍ କରି ନୀତୀଶଙ୍କ ସହ ଅପରାଜିତ ରହିଥିଲେ । ରାଜସ୍ଥାନ ପକ୍ଷରୁ ଆଭେସ୍ ଖାନ୍‌ଙ୍କୁ ଦୁଇଟି ଓ ସନ୍ଦୀପ ଶର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking