28.1 C
Bhubaneswar
Saturday, April 27, 2024
Homeଓଡିଶାପଞ୍ଚାୟତ ନିର୍ବାଚନ ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ: ବିଜେଡିକୁ ସର୍ବାଧିକ ୭୬୫...

ପଞ୍ଚାୟତ ନିର୍ବାଚନ ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ: ବିଜେଡିକୁ ସର୍ବାଧିକ ୭୬୫ ଆସନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ସୋପାନ ଶେଷ ହୋଇଛି । ବିଜେଡି ଆଶାତୀତ ସଫଳତା ଲାଭ କରି ୩୦ରୁ ୩୦ ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି । ଗତକାଲି ଗଣତି ଶେଷ ହେବା ପରେ ଚୂଡ଼ାନ୍ତ ଫଳାଫଳ ଆସିଯାଇଛି । ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୬ଟିରେ ବିଜେଡି ବିଜୟୀ ହୋଇଛି । ବିଜେପିକୁ ୪୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ହାତେଇଛି ୩୭ଟି । ସ୍ୱାଧୀନ ପ୍ରାର୍ଥୀ ୩ଟି ଓ ଅନ୍ୟ ଦଳକୁ ମିଳିଛି ୪ଟି ଆସନ । ବରଗଡ଼ ଜିଲ୍ଲା ଅମ୍ବାଭୋନାର ଏକ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇଥିଲେ । ସେହିଭଳି କେନ୍ଦୁଝରର ଘସିପୁରାରେ ଏକ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗ୍ରହଣ କରାଯାଇ ନାହିଁ । ତେଣୁ ୮୫୧ ଆସନ ପାଇଁ ନିର୍ବାଚନ ହୋଇଥିଲା ।
୨୦୨୨ ନିର୍ବାଚନରେ ବିଜେଡି ନିଜର ପୂର୍ବ ରେକର୍ଡକୁ ଭଙ୍ଗ କରିଛି । ୨୦୧୭ରେ ଏହି ଦଳ ୨୦ଟି ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ ଏଥର ୩୦ ଜିଲ୍ଲା ପରିଷଦ ଗଠନ କରିବା ନିଶ୍ଚିତ ହୋଇଯାଇଛି । ୨୦୧୭ରେ ବିଜେପି ହାତରେ ୮ଟି ଓ କଂଗ୍ରେସ ହାତରେ ୨ଟି ଜିଲ୍ଲା ପରିଷଦ ଥିବା ବେଳେ ଏଥର ଏହି ଦୁଇ ଦଳ ଗୋଟିଏ ବି ପରିଷଦ ଗଠନ କରିବାକୁ ସକ୍ଷମ ହୋଇନାହାନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୯୭, କଂଗ୍ରେସ ୬୦ ଓ ଅନ୍ୟାନ୍ୟ ପ୍ରାର୍ଥୀ ୧୬ଟି ଆସନରେ ଜିତିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ସଫଳ ଗୋଟି ଚାଳନାରେ ବିରୋଧୀ ପ୍ରାୟ ଧରାଶାୟୀ ହୋଇଛନ୍ତି । ୩୦ଟି ଜିଲ୍ଲାର ୩୧୪ଟି ବ୍ଳକ୍ ଅନ୍ତର୍ଗତ ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ମୋଟ ୨ କୋଟି ୧୦ ଲକ୍ଷ ୨୮ ହଜାର ୪୦୩ ବୈଧ ଭୋଟ୍ ପଡ଼ିଥିଲା । ସେଥିରୁ ବିଜେଡି ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ପାଇଥିଲା ବେଳେ ବିଜେପି ୬୩ ଲକ୍ଷ ୨୩ ହଜାର ୭୪୬ଟି ଭୋଟ୍ ପାଇଛି । କଂଗ୍ରେସକୁ ମିଳିଛି୨୮ ଲକ୍ଷ ୫୪ ହଜାର ୩୯୮ ଖଣ୍ଡ ଭୋଟ୍ । ସେହିପରି ସ୍ୱାଧୀନ ପ୍ରାର୍ଥୀଙ୍କୁ ୨ ଲକ୍ଷ ୮୧ ହଜାର ୨୧୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି ୪ ଲକ୍ଷ ୭୯ ହଜାର ୩୩୪ ଖଣ୍ଡ ଭୋଟ୍ ।
ଜିଲ୍ଲାୱାରି ଫଳାଫଳ ଦେଖିବାକୁ ଗଲେ ଅନୁଗୁଳର ୨୮ଟି ଆସନରୁ ବିଜେଡିକୁ ୨୭ ଓ ବିଜେପିକୁ ୧ଟି ଆସନ ମିଳିଥିବା ବେଳେ ବାଲେଶ୍ୱରର ୪୫ଟି ଆସନରୁ ବିଜେଡିକୁ ୩୯, ବିଜେପିକୁ ୪ ଓ କଂଗ୍ରେସକୁ ୨ଟି ଆସନ ମିଳିଛି । ବରଗଡ଼ର ୩୪ଟି ଆସନ ମଧ୍ୟରୁ ବିଜେଡି ୨୬ଟିରେ ଓ ବିଜେପି ୭ଟି ବିଜୟୀ ହୋଇଥିବା ବେଳେ ଭଦ୍ରକର ୨୮ଟି ଆସନରୁ ବିଜେଡିକୁ ସବୁ ଆସନ ମିଳିଛି । ଏହି ଜିଲ୍ଲାରେ ଅନ୍ୟ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ସେହିପରି ବଲାଙ୍ଗିରର ୩୪ଟି ଆସନରୁ ବିଜେଡି ୨୬, ବିଜେପି ୪ ଓ କଂଗ୍ରେସ ୪ ଆସନ ପାଇଥିବା ବେଳେ ବୌଦ୍ଧର ୯ ଆସନରୁ ବିଜେଡି ୭ଟି ଓ ବିଜେପି ୨ଟି ଆସନ ପାଇଛି । କଟକର ମୋଟ ଆସନ ୪୬ ହୋଇଥିଲା ବେଳେ ବିଜେଡି ୪୫ ଆସନ ପାଇ ନିଜର ଦବ୍‌ଦବା ଦେଖାଇଛି । ବିଜେପି ମାତ୍ର ଗୋଟିଏ ଆସନ ପାଇଛି । ଦେବଗଡ଼ରେ ୭ ଆସନ ଥିବା ବେଳେ ବିଜେଡି ବ୍ୟତୀତ ଅନ୍ୟ କାହାକୁ ସୁଯୋଗ ମିଳିନାହିଁ । ଢେଙ୍କାନାଳରେ ମୋଟ ଆସନ ୨୭ ଥିବା ବେଳେ ବିଜେଡିକୁ ୨୬ ଓ ବିଜେପିକୁ ଗୋଟିଏ ଆସନ ମିଳିଛି । ଗଜପତିର ୧୪ ଆସନରୁ ବିଜେଡିକୁ ୧୧, ବିଜେପିକୁ ୧ ଓ କଂଗ୍ରେସକୁ ୨ଟି ଆସନ ମିଳିଛି । ଗଞ୍ଜାମ ଜିଲ୍ଲାରେ ୬୯ଟି ଆସନ ଥିବା ବେଳେ ବିଜେଡି ୬୭ଟି ଆସନ ଦଖଲ କରିଛି । ମାତ୍ର ୨ଟି ଆସନ ବିଜେପିକୁ ମିଳିଛି । ଜଗତସିଂହପୁରରେ ମୋଟ ୨୬ଟି ଆସନ ଥିବା ବେଳେ ବିଜେଡି ୨୫ ଆସନ ଦଖଲ କରଛି । କଂଗ୍ରେସ ଏହି ଜିଲ୍ଲାରେ ମାତ୍ର ଗୋଟିଏ ସିଟ୍ ପାଇଛି । ଯାଜପୁରରେ ଅନ୍ୟ କୌଣସି ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ବିଜେଡି ସବୁ ଆସନ ପୋଛି ନେଇଛି । ସେହିପରି ଝାରସୁଗୁଡ଼ାରେ ଅନ୍ୟ ଦଳକୁ ଗୋଟିଏ ବି ଆସନ ମିଳିନାହିଁ । ବିଜେଡି ୯ରୁ ୯ ଆସନ ଦଖଲ କରିଛି । କଳାହାଣ୍ଡିରେ ଗତଥର ବିଜେପି ପରିଷଦ ଗଠନ କରିଥିଲା ବେଳେ ଏଥର ବିଜେଡି ତାହାକୁ ଅକ୍ତିଆର କରିଛି । ମୋଟ ୩୬ ଆସନରୁ ବିଜେଡି ୩୩, ବିଜେପି ୨ ଓ କଂଗ୍ରେସ ୧ଟି ଆସନ ପାଇଛନ୍ତି । କନ୍ଧମାଳରେ ୧୮ ଆସନ ଥିବା ବେଳେ ବିଜେଡି ୧୩, ବିଜେପି ୨ ଓ କଂଗ୍ରେସ ୩ଟି ଆସନ ପାଇଛି । କେନ୍ଦ୍ରାପଡ଼ାରେ ମୋଟ ୩୨ ଆସନରୁ ବିଜେଡି ୩୧ଟି ଦଖଲ କରିଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନ ପାଇଛି । କେଉଁଝରରେ ମୋଟ ଆସନ ୩୭ ଥିବା ବେଳେ ବିଜେଡି ୩୩ ଓ ବିଜେପି ୩ଟି ଆସନ ପାଇଛି । ଖୋର୍ଦ୍ଧାରେ ମୋଟ ୩୦ ଆସନରୁ ବିଜେଡିକୁ ୨୮ ଓ ବିଜେପିକୁ ୨ ଆସନ ମିଳିଛି । ସେହିପରି କୋରାପୁଟର ୨୯ ଆସନରୁ ବିଜେଡି ୧୬ଟି ଆସନ ପାଇ ପରିଷଦ ଗଠନ କରିବାକୁ ଯାଉଛି । କଂଗ୍ରେସ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ୧୨ଟି ଆସନ ପାଇଛି । ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାଲକାନଗିରିର ୧୫ ଆସନରୁ ବିଜେଡିକୁ ୧୨ଟି ଓ କଂଗ୍ରେସକୁ ୩ଟି ଆସନ ମିଳିଥିବା ବେଳେ ମୟୂରଭଞ୍ଜର ୫୬ ଆସନ ମଧ୍ୟରୁ ବିଜେଡି ୫୩ଟି ଦଖଲ କରି ପରିଷଦ ଗଠନ କରିବା ନିଶ୍ଚିତ ହୋଇଛି । ଜେଏମଏମ୍ ୩ ଆସନ ପାଇଛି । ନବରଙ୍ଗପୁରରେ ୨୬ ଆସନ ଥିବା ବେଳେ ବିଜେଡି ୨୪, କଂଗ୍ରେସ ୧ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ପାଇଛନ୍ତି । ନୟାଗଡ଼ର ୨୪ ଆସନରୁ ବିଜେଡି ୨୨ଟି ପାଇଥିବା ବେଳେ ବିଜେପିକୁ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଆସନ ମିଳିଛି । ନୂଆପଡ଼ାରେ ମୋଟି ଆସନ ୧୪ ଥିବା ବେଳେ ବିଜେଡି ୧୨ଟି, ବିଜେପି ୧ ଓ କଂଗ୍ରେସ ୧ଟି ଆସନ ପାଇଛି । ପୁରୀର ୩୩ ଆସନରୁ ବିଜେଡି ୩୦ ଆସନ ପାଇଛି । ବିଜେପି ମାତ୍ର ୩ଟି ଆସନ ପାଇବାକୁ ସକ୍ଷମ ହୋଇଛି । ରାୟଗଡ଼ାରେ ମୋଟ ଆସନ ୨୨ ଥିବା ବେଳେ ବିଜେଡି ୧୬ ଓ କଂଗ୍ରେସ ୬ ଆସନ ପାଇଛି । ସମ୍ୱଲପୁରରେ ମୋଟ ୧୮ ଆସନରୁ ବିଜେଡିକୁ ୧୬ ଓ ବିଜେପିକୁ ୨ ଆସନ ମିଳିଛି । ସୋନପୁରର ୧୩ଟି ଆସନରୁ ବିଜେଡି ୧୧ଟି, ବିଜେପି ଗୋଟିଏ ଏବଂ କଂଗ୍ରେସ ଗୋଟିଏ ଆସନ ପାଇଥିବା ବେଳେ ସୁନ୍ଦରଗଡ଼ର ୩୫ ଆସନରୁ ବିଜେଡି ୩୩ ଏବଂ ବିଜେପି ଓ ସିପିଆଇକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ଯାଜପୁର, ଝାରସୁଗୁଡ଼ା, ଦେବଗଡ଼ ଓ ଭଦ୍ରକରେ ବିରୋଧୀ ଦଳଙ୍କୁ ଗୋଟିଏ ବି ଆସନ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking