29.1 C
Bhubaneswar
Monday, May 6, 2024
Homeଓଡିଶାଭୁବନେଶ୍ୱରରେ ବଢ଼ିଚାଲିଛି ସାଇବର ଲୁଟ୍ : ୧୦ ମାସରେ ୬ କୋଟି ୭୯ ଲକ୍ଷ ନେଇଗଲେ

ଭୁବନେଶ୍ୱରରେ ବଢ଼ିଚାଲିଛି ସାଇବର ଲୁଟ୍ : ୧୦ ମାସରେ ୬ କୋଟି ୭୯ ଲକ୍ଷ ନେଇଗଲେ

ଭୁବନେଶ୍ୱର: ଆଜିର ଅନ୍‌ଲାଇନ କାରବାର ଯୁଗରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ସାଇବର୍ ଠକେଇ । ସାରା ଓଡ଼ିଶାରେ ବହୁ ସାଇବର ଠକେଇ ମାମଲା ସାମ୍ନାକୁ ଆସୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । କେବଳ ୧୦ ମାସ ମଧ୍ୟରେ ରାଜଧାନୀବାସୀଙ୍କ ଠାରୁ ୬ କୋଟି ୭୯ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ସାଇବର୍ ଲୁଟେରା । ନିଜେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏହି ତଥ୍ୟ ରଖିଛନ୍ତି । ଡିସିପି ବିସ୍ତୃତ ତଥ୍ୟ ରଖି କହିଛନ୍ତି, ଚଳିତ ବର୍ଷ ଫେବୃଆରୀ ୧ ରୁ ଡିସେମ୍ୱର ୧୫ ତାରିଖ ଭିତରେ ଭୁବନେଶ୍ୱରରେ ମୋଟ ୬ ହଜାର ୪୯୫ଟି ସାଇବର ଠକେଇ ଅଭିଯୋଗ ରେକର୍ଡ ହୋଇଛି ।

ମୋଟ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ରାଜଧାନୀବାସୀଙ୍କ ପାଇଁ ଜାରି ହୋଇଥିବା ସାଇବର ଠକେଇ ହେଲ୍ପଲାଇନ୍ ନମ୍ବରକୁ ଚଳିତ ଡିସେମ୍ବର ୧୫ ସୁଦ୍ଧା କେବଳ ଭୁବନେଶ୍ୱରରୁ ୨୮୭୨ଟି କଲ୍ ଆସିଥିବାବେଳେ ଭୁବନେଶ୍ୱର ବାହାରୁ ସାଢ଼େ ୩ ହଜାର କଲ୍ ଆସିଛି । ଭୁବନେଶ୍ୱର ସାଇବର ସେଲ୍‌ରେ ମୋଟ୍ ୬୭ଟି ମାମଲା ଚଳିତ ବର୍ଷ ପଞ୍ଜୀକୃତ ହୋଇଥିବା ବେଳେ ଏହି ସବୁ ଠକେଇ ଘଟଣାରେ ମୋଟ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ରାଜ୍ୟ ଗୃହ ବିଭାଗର ସାଇବର ସେଲ୍‌କୁ ସମସ୍ତ ଫ୍ରଡ୍ କଲ୍ ନମ୍ୱର ପଠାଇଛି କମିଶନରେଟ ପୁଲିସ ।

ତେବେ ଗୋଲ୍ଡେନ୍ ଆୱାରରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପଲାଇନ ନମ୍ୱରକୁ କଲ୍‌କରି ଠକେଇର ଶିକାର ହୋଇଥିବା ଲୋକ ୧ କୋଟି ୪୮ ଲକ୍ଷ ୧୧ ହଜାର ୮୭୦ ଟଙ୍କା ଫେରିପାଇଛନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି । ସାଇବର ଠକେଇ ପାଇଁ ରାଜଧାନୀବାସୀ ସଚେତନ ହେବାକୁ ଡିସିପି ପରାମର୍ଶ ଦେଇଛନ୍ତି । ବିଶେଷ କରି ଏନିଡେସ୍କ ଆପ୍ ଡାଉନଲୋଡ୍ ନକରିବାକୁ ସେ ସଜାଗ କରାଇଛନ୍ତି । ଡିସିପି କହିଛନ୍ତି ଯେ ଏନିଡେସ୍କ ଆପ୍ ଏବଂ ମୋବାଇଲ ୟୁପିଆଇ ଜରିଆରେ ସର୍ବାଧିକ ସାଇବର୍ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱରରେ ସାଇବର ଠକେଇ ପାଇଁ କୁଖ୍ୟାତ ଜମତାରା ଗ୍ୟାଙ୍ଗ୍ ସକ୍ରିୟ ଥିବାର ଡିସିପି ସୂଚନା ଦେଇଛନ୍ତି । ଗୁଗୁଲ ମ୍ୟାପ୍ ସାହାଯ୍ୟରେ ସାଇବର ଠକଙ୍କ ଲୋକେସନ୍ କମିଶନରେଟ ପୋଲିସ ଟ୍ରାକ୍ କରୁଥିବା ସେ ଜଣାଇଛନ୍ତି । ଲୋକେ ସଜାଗ ହେଲେ ଏଭଳି ଘଟଣାରେ ନିୟନ୍ତ୍ରଣ ଲାଗିପାରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking