30.1 C
Bhubaneswar
Monday, May 6, 2024
Homeଓଡିଶାଭୀମଟାଙ୍ଗିରେ ମହିଳାଙ୍କୁ ହତ୍ୟାକାଣ୍ଡ ଘଟଣା : ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ !

ଭୀମଟାଙ୍ଗିରେ ମହିଳାଙ୍କୁ ହତ୍ୟାକାଣ୍ଡ ଘଟଣା : ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ !

ଭୁବନେଶ୍ୱର: ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯିବା ଘଟଣା ଉପରେ ପରଦା ଧୀରେ ଧୀରେ ହଟିବାରେ ଲାଗିଛି । ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ହତ୍ୟାକାଣ୍ଡ ତ୍ରିକୋଣୀୟ ପ୍ରେମରୁ ଘଟିଥିବା ସନ୍ଦେହ କରାଯାଉଛି । ପ୍ରେମରେ ତୃତୀୟ ବ୍ୟକ୍ତିଙ୍କ ପ୍ରବେଶରୁ ଅଭିଯୁକ୍ତ ଜଗନ୍ନାଥ ତାଙ୍କ ପ୍ରେମିକା ପ୍ରିୟଙ୍କାକୁ ମାରିଥିବା ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ ହୋଇଛି । ଏନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିଲେ ବି ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ତେବେ ଏହି ତୃତୀୟ ବ୍ୟକ୍ତି ଜଣକର ନାଁ ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ ହୋଇଥିଲେ ବି ରକ୍ତଛିଟା ପଡ଼ିବା ଯୋଗୁ ଠିକ୍ ଭାବେ ଦେଖାଯାଉନାହିଁ । ଟିକେ ନିରିଖିକି ଦେଖିଲେ ସେହି ଚିଠିରେ ‘ତାପସ’ ବୋଲି ଜଣକ ନାଁ ଉଲ୍ଲେଖ ଥିବା ଦେଖାଯାଉଛି । ହେଲେ ନାମକୁ ନେଇ କୌଣସି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଚିଠିରେ ତୃତୀୟ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ।

କମିଶନରେଟ୍ ପୁଲିସର ୫ଜଣିଆ ଟିମ୍ ଯାଜପୁର ଯାଇ ଅଭିଯୁକ୍ତ ଜଗନ୍ନାଥ ଘର ଲୋକଙ୍କୁ ପଚରାଉଚରା କରିବା ସହ ସେଠାରୁ ଗୋଟିଏ ମୋବାଇଲ୍ ଓ କିଛି କାଗଜପତ୍ର ଜବତ କରିଛି । ଏହାସହ ଏହି ତ୍ରିକୋଣୀୟ ପ୍ରେମ ଦିଗକୁ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ କିଏ ସେହି ତୃତୀୟ ବ୍ୟକ୍ତି, ଜଗନ୍ନାଥ ସୁଇସାଇଡ୍ ନୋଟ୍‌ରେ ତା’ ନାଁ କାହିଁକି ଲେଖିଲେ, ପ୍ରିୟଙ୍କାଙ୍କ ମୃତ୍ୟୁ ପଛରେ ତା’ର କ’ଣ ଭୂମିକା, ଏଭଳି ଅନେକ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ,  ତାଙ୍କ ସ୍ୱାମୀ ରାକେଶ ସାହୁ ଏବଂ ୩ବର୍ଷର ପୁଅ ଘର ଭଡ଼ା ନେଇ ରହୁଥିଲେ । ଗତ ସୋମବାର ଯାଜପୁରର ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକ ପ୍ରିୟଙ୍କାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲା । ପରେ ଭିଡ଼ିଓ କଲ୍ କରି ପ୍ରିୟଙ୍କାଙ୍କ ସ୍ୱାମୀକୁ ସ୍ତ୍ରୀ’କୁ ଦେଖାଇଥିଲା । ଏହାପରେ ନିଜେ ବିଷ ପିଇ ଓ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ସୌଭାଗ୍ୟବଶଃତ ୩ବର୍ଷର ପୁଅ ଘରମାଲିକଙ୍କ ପାଖକୁ ପଳାଇଯାଇଥିଲେ । ନହେଲେ ତାକୁ ବି ଅଭିଯୁକ୍ତ ମାରିବାର ଯୋଜନା କରିଥିଲା । ଏସମ୍ପର୍କରେ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରିବା ସହ ଜଗନ୍ନାଥକୁ ହସ୍ପିଟାଲ ପଠାଇଥିଲା । ଏହାପରେ ସେଠାରୁ ସୁଇସାଇଡ୍ ନୋଟ୍ ସମେତ ଛୁରି ଓ ତଦନ୍ତ ସାପେକ୍ଷ ଜିନିଷ ଜବତ କରିଥିଲା ।

ବିଳମ୍ବ ହେବ ଖୁଲାସା !
ଏହି ହତ୍ୟାକାଣ୍ଡ ଘଟଣାର କାରଣ ଜାଣିବା ପୁଲିସ ପାଇଁ କଷ୍ଟକର ହୋଇପଡ଼ିଛି । ପ୍ରେମରେ ତିକ୍ତତା କାରଣରୁ ପ୍ରେମିକ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ବି ନିର୍ଦ୍ଦିଷ୍ଟ କାରଣକୁ ପୁଲିସ ଖୋଜୁଛି । ଏନେଇ ଯାଜପୁର ଯାଇ ଅଭିଯୁକ୍ତ ଓ ମୃତକଙ୍କ ଘରଲୋକଙ୍କୁ ପଚରାଉଚରା କରୁଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନାହିଁ । ସେ ଠିକ୍ ହେବାରୁ ଆହୁରି କିଛିଦିନ ଲାଗିବ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ତାକୁ ଜେରା କରାଯିବ । ତେଣୁ ହତ୍ୟାକାଣ୍ଡର ଖୁଲାସା ହେବାକୁ ଟିକେ ବିଳମ୍ବ ହେବାର ସମ୍ଭାବନା ରହିଛି ।

ମାସେ ତଳୁ ଯୋଜନା
ପ୍ରିୟଙ୍କା ବିବାହ କରିବା ପରେ ଜଗନ୍ନାଥଙ୍କ ସହ ଆଉ କଥା ହୋଇନଥିଲେ । ହେଲେ ଗତବର୍ଷ ଲକ୍‌ଡାଉନରେ ପୁଣି କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ ।   ଉଭୟ କିଛି ମାସ କଥା ହୋଇଥିଲେ । ହେଲେ ହଠାତ୍ ପ୍ରିୟଙ୍କା ଜଗନ୍ନାଥଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ତାଙ୍କ ହ୍ୱାଟ୍ସଆପ୍ ମେସେଜ୍‌ର ରିପ୍ଲାଏ ଦେଇନଥିଲେ । ଏମିତିକି ଆଉ ଜଣେ ଯୁବକ ସହିତ ପ୍ରିୟଙ୍କା କଥା ହେଉଥିବା ଜଗନ୍ନାଥ ସନ୍ଦେହ କରିଥିଲେ । ଏନେଇ ସେ ପ୍ରତିଷୋଧ ପରାୟଣ ହୋଇପଡ଼ିଥିଲେ । ତେବେ ପ୍ରିୟଙ୍କା ସମେତ ତାଙ୍କ ୩ବର୍ଷର ପୁଅକୁ ମାରିବା ପାଇଁ ମାସେ ତଳୁ ଜଗନ୍ନାଥ ଯୋଜନା କରିଥିଲା । ଯୋଜନା ମୁତାବକ ଗତ ସୋମବାର ସେ ହତ୍ୟାକାଣ୍ଡ ଘଟାଇଥିଲା । ହେଲେ ଏଥିରୁ ଅଳ୍ପକେ ଶିଶୁପୁତ୍ର ବର୍ତ୍ତିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking