30.1 C
Bhubaneswar
Wednesday, April 24, 2024
Homeଓଡିଶାବିଶ୍ୱାସରେ ବିଷ ଦେଉଥିଲେ : ୩ ସଂସ୍ଥା ଉପରେ ଚଢ଼ଉ, ୧ କ୍ୱିଣ୍ଟାଲ୍ ଖାଦ୍ୟ ନଷ୍ଟ

ବିଶ୍ୱାସରେ ବିଷ ଦେଉଥିଲେ : ୩ ସଂସ୍ଥା ଉପରେ ଚଢ଼ଉ, ୧ କ୍ୱିଣ୍ଟାଲ୍ ଖାଦ୍ୟ ନଷ୍ଟ

କଟକ:  ନିଜର ଫାଇଦା ପାଇଁ ଲୋକଙ୍କ ବିଶ୍ୱାସରେ ବିଷ ଦେଉଥିବା ୩ଟି ନାମକରା ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଉପରେ ସିଏମ୍‌ସି ପକ୍ଷରୁ ଚଢ଼ଉ କରାଯାଇଛି । ଏମାନେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ପାଇଁ ସିଏମ୍‌ସିର ସ୍ୱତନ୍ତ୍ର ଟିମ୍ ବୁଧବାର ଚଢ଼ଉ କରିଛି । ଆଖି ଆଗରେ ଧରାପଡ଼ିବା ପରେ ସେମାନଙ୍କଠରୁ ୧୫ହଜାର ଲେଖାଏଁ ୪୫ ହଜାର ଟଙ୍କା ତଣ୍ଡ ନିଆଯାଇଛି । ଆଗକୁ ଆଉ ଏପରି କରିବେନି ବୋଲି ସମ୍ମତିପତ୍ର ଦେଇଥିଲାବେଳେ ଏଥିରେ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସିଲ୍ କରିଦିଆଯିବ ବୋଲି ସିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନା ମୁତାବକ ଲକ୍‌ଡାଉନ ଓ ସଟ୍‌ଡାଉନ୍ ସମୟରେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର ରଖି ଜମାଟୋ, ସ୍ୱିଗି ଭଳି ସଂସ୍ଥା ବଡ଼ ବଡ଼ ହୋଟେଲ୍‌, ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇ ଲୋକମାନଙ୍କୁ ଯୋଗାଇଥାନ୍ତି । ମନଲୋଭା ଚକ୍‌ମକିଆ ପ୍ୟାକେଟ୍‌ରେ ଘରେ ପହଞ୍ଚୁଥିବା ଖାଦ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ବୋଲି ସାଧାରଣତଃ ସମସ୍ତଙ୍କର ବିଶ୍ୱାସ ରହିଛି ।

ମାତ୍ର କିଛି ଅସାଧୁ ବ୍ୟବସାୟୀ ନିଜର ଫାଇଦା ପାଇଁ ନିମ୍ନମାନର, ରାସାୟନିକ ସାମଗ୍ରୀ ମିଶ୍ରିତ ବାସି ତଥା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ଖାଦ୍ୟ ପ୍ରସ୍ତୁତ କରୁଥିବା ସୁରାକ୍ ମିଳିଥିଲା । ବୁଧବାର ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଖାଦ୍ୟ ନିରୀକ୍ଷକଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କଲେଜ ଛକ ଅଞ୍ଚଳର ୩ଟି ହୋଟେଲ୍‌-ରେଷ୍ଟୁରାଣ୍ଟ ତଥା ବାର୍ବଜ୍ ରେଷ୍ଟୁରାଣ୍ଟ, ବିଗିଜ୍ ଓ ରଷୋଇ ରେଷ୍ଟୁରାଣ୍ଟ ଉପରେ ଚଢ଼ଉ କରିଥିଲେ । ତେବେ ଅସ୍ୱାସ୍ଥ୍ୟକର ପରିବେଶରେ ବାସି ଖାଦ୍ୟଗୁଡ଼ିକୁ ପୁନଃ ପ୍ରକ୍ରିୟାକରଣ କରି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଉଥିବା ଲୋକଙ୍କ ପାଇଁ ପାର୍ସଲ୍ ତିଆରି କରୁଥିବା ଧରାପଡ଼ିଥିଲେ । ପରେ ସମ୍ପୃକ୍ତ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକଠାରୁ ଜୋରିମାନା ଆଦାୟ କରାଯିବା ସହ ନିମ୍ନମାନର ଖାଦ୍ୟଗୁଡ଼ିକ ନଷ୍ଟ କରାଯାଇଥିଲା । ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ୧୫ ହଜାର ଲେଖାଏଁ ମୋଟ ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବାବେଳେ ପ୍ରାୟ ୧ କ୍ୱିଣ୍ଟାଲ୍ ନିମ୍ନମାନର ଖାଦ୍ୟ ନଷ୍ଟ କରାଯାଇଥିବା ଡାକ୍ତର ମହାପାତ୍ର ପ୍ରକାଶ କରିଛନ୍ତି ।

ଏଥି ସହିତ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଆସନ୍ତା ୧୫ଦିନ ମଧ୍ୟରେ ଉପଯୁକ୍ତ ପରିବେଶରେ ଉତ୍କୃଷ୍ଟମାନର ଖାଦ୍ୟ ପ୍ରସ୍ତୁତ ନକଲେ ଉପରୋକ୍ତ ସଂସ୍ଥାଗୁଡ଼ିକୁ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କଠାରୁ ସମ୍ମତିପତ୍ର ଗ୍ରହଣ କରାଯାଇଛି । ଆଗାମୀ ଦିନରେ ସହରର ପ୍ରତ୍ୟେକ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଏହିଭଳି ଚଢ଼ଉ କରାଯିବା ସହ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କ ବିଶ୍ୱାସରେ ବିଷ ଦେଉଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡା. ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking