32.1 C
Bhubaneswar
Friday, April 26, 2024
Homeଓଡିଶାମୋ ବସ୍‌ରୁ ଚୋରି କରୁଥିବା ବଞ୍ଜରା ଗ୍ୟାଙ୍ଗର ପର୍ଦ୍ଦାଫାଶ

ମୋ ବସ୍‌ରୁ ଚୋରି କରୁଥିବା ବଞ୍ଜରା ଗ୍ୟାଙ୍ଗର ପର୍ଦ୍ଦାଫାଶ

ଯାଜପୁରରୁ ୨ ଗିରଫ, ୧୫ ମୋବାଇଲ୍‌, ସୁନା ଅଳଙ୍କାର ଜବତ
ଭୁବନେଶ୍ୱର: ଗତ ସପ୍ତାହ ହେବ କ୍ରମାଗତ ଭାବେ ମୋ ବସରୁ ଚୋରି ମାମଲାର ତଦନ୍ତ କରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ । ଏହି ମାମଲାରେ ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ସଞ୍ଜୟ ସିଂହ(୨୬) ଓ ଗଣେଶ ପ୍ରଧାନ(୩୦) । ସଞ୍ଜୟର ଘର ପଶ୍ଚିମବଙ୍ଗରେ ହୋଇଥିବାବେଳେ ସେ ଏଠାରେ ଯାଜପୁର ଜିଲ୍ଲା ନୂତନ ଧର୍ମଶାଳା ରେଳଷ୍ଟେସନ ନିକଟରେ ରହୁଥିଲା । ସେହିପରି ଗଶେଶର ଘର ଯାଜପୁର ଜିଲ୍ଲା ଜାଖପୁର ଥାନା ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ ଟ୍ରାକ୍ କରି ଯାଜପୁରରୁ ଗିରଫ କରିଥିବା ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏମାନଙ୍କଠାରୁ ପୁଲିସ ରମାଦେବୀ ଛାତ୍ରୀଙ୍କ ଠାରୁ ଲୁଟ୍ ୨ ମୋବାଇଲ୍ ସମେତ ୧୫ଟି ଫୋନ୍‌, ୨ଟି ଲେଡିଜ୍ ମନିପର୍ସ, ଏକ ହଳ ସୁନା କାନଫୁଲ ଟପ୍‌, ୨ଟି ଲାପଟପ୍ ସହିତ ଲାପଟପ୍ ବ୍ୟାଗ ଓ ନଗଦ ୫ ହଜାର ୫୦୦ ଟଙ୍କା ଜବତ କରିଛି । ଏହି ଗ୍ୟାଙ୍ଗ ନାମରେ ଖଣ୍ଡଗିରି ଓ ଶହୀଦନଗର ଥାନାରେ ୨ଟି ମାମଲା ରହିଛି ।

ଏହି ଗ୍ୟାଙ୍ଗ ବିଶେଷ କରି ମୋ ବସ୍‌କୁ ଟାର୍ଗେଟ କରୁଥିଲେ । ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ମୋ ବସ୍‌ରେ କୃତ୍ରିମ ଭିଡ ସୃଷ୍ଟି କରୁଥିଲେ। ପରେ ତାହାର ଫାଇଦା ଉଠାଇ ଅନ୍ୟ ସଦସ୍ୟମାନେ ଯାତ୍ରୀଙ୍କ ପକେଟରୁ ପର୍ସ, ଟଙ୍କା, ମୋବାଇଲ୍ ଏବଂ ଭ୍ୟାନିଟ୍ ଆଦି ଚୋରି କରିବାରେ ସଫଳ ହେଉଥିଲେ । ଗୋଟିଏ ବସ୍‌ଷ୍ଟାଣ୍ଡରୁ ଚୋରି କରିବାପରେ ଆଗକୁ ଆସୁଥିବା ବସଷ୍ଟପ୍‌ରେ ଉହ୍ଲାଇପଡୁଥିଲେ । ସେହିପରି ବିଭିନ୍ନ ଘରୁ ମଧ୍ୟ ପାଣିପିଇବା ବାହାନାରେ ଲୋକଙ୍କ ଅନ୍ୟମନସ୍କର ସୁଯୋଗ ନେଇ ଏମାନେ ଚୋରି କରୁଥିଲେ । ଅନ୍ୟପକ୍ଷରେ ଜନଗହଳିପୂର୍ଣ୍ଣ ଅଞ୍ଚଳ, ସପ୍ତାହିକ ହାଟ, ମାଛ ମାର୍କେଟ, ପୂଜା ସମୟରେ, ମଲ୍ ଏବଂ ହସ୍ପିଟାଲ ଅଞ୍ଚଳରୁ ମଧ୍ୟ ଏମାନେ ସକ୍ରିୟ ରହି ଚୋରି କରିଥାନ୍ତି । ଆଗକୁ ପାର୍ବଣ ଆସୁଥିବାରୁ ରାଜଧାନୀରେ ଗହଳି ବଢ଼ିବ । ଏହାର ସୁଯୋଗ ନେଇ ଅନେକ ଲୁଟ୍‌ପାଟ ଓ ଛିନତାଇରେ ସଂପୃକ୍ତ ଅଭିଯୁକ୍ତ ସହର ମଧ୍ୟକୁ ପ୍ରବେଶ କରିବେ । ତେଣୁ ଜନସାଧାରଣ ବାହାରକୁ ଯାଉଥବା ବେଳେ ନିଜର ଜିନଷ ପ୍ରତି ସଚେତନ ହୁଅନ୍ତୁ । ଏଥିସହ ସାଙ୍ଗରେ ଛୋଟ ପିଲାମାନଙ୍କୁ ନେଇ ଯାଉଥିଲେ ସେମାନଙ୍କର ସୁରକ୍ଷା ନେଇ ଯଥେଷ୍ଟ ସଚେତନ ରହିବାକୁ ଡିସିପି ପ୍ରତିକ ସିଂ ସତର୍କ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking