32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଆନ୍ଧ୍ରର ଯୋଜନାରେ ଲୋଭାଷିକ୍ତ ସୀମାନ୍ତ ଓଡ଼ିଆ  ହାତରୁ ଖସିବକି ସୀମାନ୍ତ ଗ୍ରାମ!

ଆନ୍ଧ୍ରର ଯୋଜନାରେ ଲୋଭାଷିକ୍ତ ସୀମାନ୍ତ ଓଡ଼ିଆ  ହାତରୁ ଖସିବକି ସୀମାନ୍ତ ଗ୍ରାମ!

ରାୟଗଡ଼ା : ସୀମାନ୍ତରେ ବସବାସ କରୁଥିବା ବାସିନ୍ଦାଙ୍କ ମୁହଁରେ ପଶୁନି ଓଡ଼ିଆ ଭାଷା । ୮୦ ପ୍ରତିଶତ ସୀମାନ୍ତବାସୀ ଓଡ଼ିଆ ପରିବର୍ତ୍ତେ ତେଲୁଗୁ ପାଲଟିଛି ସେମାନଙ୍କ ମାତୃଭାଷା । ଯେଉଁ କିଛି ଲୋକ ଓଡ଼ିଆ କହୁଛନ୍ତି ତାହା ପୁଣି ଆକ୍ଷରିକ ନୁହେଁ ଭଙ୍ଗ ଓଡ଼ିଆ । କେବଳ ଭାଷା ନୁହେଁ ଜୀବନ ଜୀବିକା ସହ ଜୀବନସାଥୀର ବାଛିବା ପାଇଁ ସୀମାନ୍ତବାସୀଙ୍କ ପାଇଁ ଆନ୍ଧ୍ର ପାଲଟିଛି ଏକମାତ୍ର ଭରସା । ଏଭଳି ଚିତ୍ର ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ଗୋଟିଏ କି ଦୁଇଟି ଗାଁର ନୁହଁ । କହିବାକୁ ଗଲେ ସରକାରଙ୍କ ଦ୍ୱାରା ଚିହ୍ନଟ ସୀମାନ୍ତର ୬୧ ଟି ଗାଁରେ ଏକାସ୍ଥିତି ରହିଛି । ଓଡ଼ିଶାର ଏଭଳି ଅନେକ ଗାଁ ପରୋକ୍ଷ, ପ୍ରତ୍ୟକ୍ଷ ଭାବେ ଆନ୍ଧ୍ର କବ୍‌ଜାରେ ରହିଛି । ତେବେ କ\’ଣ ରହିଛି ଗ୍ରାଉଣ୍ଡ ଜିରୋର ପ୍ରକୃତ ଦୃଶ୍ୟ ତାକୁ ପରିଖିବା ପାଇଁ ଦୁଇଟି ଅଲଗା ଅଲଗା ଦିଗରେ ଥିବା ସାନଲୁକୁଟି ଏବଂ ଆନିଜା ଗାଁରେ ଆମ ପ୍ରତିନିଧି ଗ୍ରାମରେ ପହଞ୍ଚିଥିଲେ । ଉଭୟ ଗାଁର ଚିତ୍ର ସ୍ପଷ୍ଟ ବୟାନ କରୁଥିଲା ସ୍ୱାଧୀନତାର ପରେ ବି କେତେ ଅବହେଳିତ ଏହି ଗ୍ରାମ । ଯଦିଓ ସାନଲୁକୁଟି ଗାଁକୁ ସଂଯୋଗ କରିବା ପାଇଁ ଆନ୍ଧ୍ର ସରକାର ବ୍ରିଜ୍ ଏବଂ ରାସ୍ତା ନିର୍ମାଣ କରୁଛନ୍ତି ତେବେ ସ୍ଥାନୀୟ ଲୋକେ ବିରୋଧ କରୁନାହାନ୍ତି କାହିଁକି । ସେହିଭଳି ରାୟଗଡ଼ା ବ୍ଲକ୍ କେରେଡ଼ା ପଞ୍ଚାୟତ ଅଧୀନରେ ରହିଛି ଓଡ଼ିଶା ଆନ୍ଧ୍ରର ସୀମାନ୍ତ ଗାଁ ଅନିଜା । ଏଠି ମଧ୍ୟ ଏକାଚିତ୍ର । ଅନିଜା ଗାଁ ଆନ୍ଧ୍ର ସୀମାନ୍ତରେ ଥିବା ବେଳେ ଗାଁକୁ ଯୋଗାଯୋଗ କ୍ଷେତ୍ରରେ ନାଗାବଳୀ ନଦୀ ବାଧକ ସାଜିଛି । ବହୁ ଦାବିପରେ ମଧ୍ୟ ନାଗାବଳୀ ଉପରେ ପୋଲଟିଏ ନିର୍ମାଣ ନ ହେବା ଯୋଗୁ ଅନିଜାବାସୀ ୨୦୧୭ ମସିହାରେ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଇଥିଲେ । ଏହାପରେ ପ୍ରଶାସନ ଚେତିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନାଗାବଳୀ ଉପରେ ପୋଲ ନିର୍ମାଣ ଚାଲିଛି ।
ଗ୍ରାମବାସୀଙ୍କ କହିବାନୁଯାୟୀ, ନଦୀ ଉପରେ ପୋଲ ନିର୍ମାଣ ପାଇଁ ଓଡ଼ିଶା ସରକାର ସହମତି ଦେବାକୁ ୭୦ ବର୍ଷ ଲାଗିଗଲା । ଏବେ ମଧ୍ୟ ଓଡ଼ିଶା ସରକାରଙ୍କ ବହୁ ଯୋଜନା ଗାଁ ଲୋକଙ୍କ ନିକଟରେ ପହଞ୍ଚିପାରୁନି । ବିକାଶ ଏଠି ବାଟ ହୁଡୁଛି । ଓଡ଼ିଶାରେ ବାର୍ଦ୍ଧକ୍ୟ ଭତ୍ତା ୫ ଶହ ଟଙ୍କା ମିଳୁଥିବା ବେଳେ ଆନ୍ଧ୍ରରେ ୩ ହଜାର ଟଙ୍କା ମିଳୁଛି । ପ୍ରତି ଗାଁ ପିଛା ଆନ୍ଧ୍ର ସରକାର ସ୍ୱେଚ୍ଛାସେବୀ ନିଯୁକ୍ତି କରି ଜମିଜମା ସମସ୍ୟା ଠୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଶିକ୍ଷା, ରାସନ ସାମଗ୍ରୀ ଘରେ ପହଞ୍ଚାଇବା ଦିଗରେ କାମ କରୁଛନ୍ତି । ସବୁ ସୁବିଧା ସୁଯୋଗ କାରଣରୁ ଓଡ଼ିଶା ସହ ଆମର ସମ୍ପର୍କ କମିବାରେ ଲାଗିଛି । ଏପରିକି ଗ୍ରାମର ଅଧିକାଂଶ ଝିଅ ଆନ୍ଧ୍ରରେ ବିବାହ ହୋଇଥିବା ବେଳେ ଗ୍ରାମର ପୁଅଙ୍କ ପାଇଁ ବୋହୂ ମଧ୍ୟ ଆନ୍ଧ୍ରରୁ ଆସିଥିବା ଗ୍ରାମବାସୀମାନେ କହିଛନ୍ତି । କେବଳ ସେତିକି ନୁହଁ ପେନସନ୍‌, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା, ମୋବାଇଲ୍ ଯୋଗାଯୋଗ ସବୁ କ୍ଷେତ୍ରରେ ଓଡ଼ିଶାଠୁ ବହୁ ଆଗରେ ଆନ୍ଧ୍ର ରହିଛି । ଓଡ଼ିଶାରେ ଆମେ ରହୁଥିଲେ ମଧ୍ୟ ଆନ୍ଧ୍ର ଆମକୁ ଓଡ଼ିଶା ବାସିନ୍ଦା ନ ଭାବି ପ୍ରତ୍ୟକ କ୍ଷେତ୍ରରେ ଗୁରୁତ୍ୱ ଦେଇଆସୁଛି । ଫଳରେ ଏସବୁ ଦିଗରେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ସୀମାନ୍ତବାସୀ ଓଡ଼ିଶାରେ ରହି ଆନ୍ଧ୍ରକୁ ସମର୍ଥନ କରି ଚାଲିଛନ୍ତି । ଓଡ଼ିଶା ସୀମାରେ ଆନ୍ଧ୍ରର ଉନ୍ନୟନମୂଳକ କାମ ସହ ମନୋଲୋଭା ସରକାରୀ ଯୋଜନା ଯୋଗୁ ଧିରେଧିରେ ଗୋଟିଏ ପରେ ଗୋଟିଏ ସୀମାନ୍ତ ଗ୍ରାମ ଏବେ ଓଡ଼ିଶା ହାତରୁ ଖସିବକୁ ବସିଲାଣି । ତେବେ ଆନ୍ଧ୍ରର ଯୋଜନାରେ ଲୋଭାଷିକ୍ତ ସୀମାନ୍ତ ଓଡ଼ିଆ ଯେ ଭବିଷ୍ୟତରେ ଓଡ଼ିଶା ହାତ ନ ଛାଡ଼ିବେ ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking