30.1 C
Bhubaneswar
Monday, May 6, 2024
Homeଓଡିଶାଗାଁରେ ପହଞ୍ଚିଲେ ୟୁକ୍ରେନ୍‌ରେ ଥିବା ଓଡ଼ିଆ ଛାତ୍ରୀ

ଗାଁରେ ପହଞ୍ଚିଲେ ୟୁକ୍ରେନ୍‌ରେ ଥିବା ଓଡ଼ିଆ ଛାତ୍ରୀ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ସମାଜସେବୀ କିଶୋର ନାୟକଙ୍କ ଝିଅ ମଧୁସ୍ମିତା ନାୟକ ଗତ ୩ବର୍ଷ ହେଲା ୟୁକ୍ରେନ୍‌ର ରାଜଧାନୀ କ୍ୱିଭ୍‌ରେ ରହି ମେଡିକାଲ କଲେଜରେ ପାଠ ପଢ଼ୁଥିଲେ । କ୍ୱିଭ୍ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ ହେବା ପରେ ସେଠାକାର ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ସହ ଯୁଦ୍ଧର ଭୟାବହତା ବୃଦ୍ଧି ପାଇଥିଲା । ମଧୁସ୍ମିତାଙ୍କ ସହ ଆଲୋଚନାରୁ ଜଣାପଡ଼ିଥିଲା ଯେ ୨୪ତାରିଖ ଆକ୍ରମଣ ପରେ ସମସ୍ତଙ୍କୁ ଆପାର୍ଟମେଣ୍ଟ ତଳେ ଥିବା ବଙ୍କରରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିଲା । ସୂଚନା ଅନୁଯାୟୀ ସେଠାରେ ପ୍ରତ୍ୟେକ ଘର ତଳେ ବଙ୍କର ରହିଛି ।

ହୁଏତ ଯେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ଏପରି ବ୍ୟବସ୍ଥା କରାଯାଇଛି । ମଧୁସ୍ମିତା ନିଜର ସାଙ୍ଗମାନଙ୍କର ସହ ନିକଟସ୍ଥ ସପିଂ ମଲ୍‌ରୁ ପ୍ରବଳ ଭିଡ଼ ଭିତରେ ଆବଶ୍ୟକୀୟ ଜିନିଷପତ୍ର ତଥା ଶୁଖିଲା ଖାଦ୍ୟ କିଣି ବଙ୍କରରେ ଆଶ୍ରୟ ନେଇଥିଲେ । ତେବେ ଦିନରେ କର୍ଫ୍ୟୁ କୋହଳ ହେବା ପରେ ସେମାନେ ନିଜ ବଙ୍କରରୁ ବାହାରକୁ ଆସି ନିଜ ରୁମ୍‌ରେ ରହୁଥିଲେ । ତେବେ ୨୫ତାରିଖ ଦିନ ପାଖ ଆପାର୍ଟମେଣ୍ଟରେ ବମ୍ ପଡ଼ିବା ପରେ ସେମାନେ ଭୟଭୀତ ହୋଇ ବଙ୍କର ଭିତରେ ପଶିଯାଇଥିଲେ । ବଙ୍କରରେ ରହିଥିବା ୟୁକ୍ରେନୀୟମାନେ ଖୁବ ଭଲ ବ୍ୟବହାର ଦେଖାଇବା ସହ ସମସ୍ତ ପ୍ରକାର ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥିଲେ ।

ଏଟିଏମ୍‌ଗୁଡ଼ିକ କାମ କରୁନଥିଲା । ଖାଦ୍ୟ ମଧ୍ୟ ଶେଷ ହୋଇଆସୁଥିଲା । ଯୁଦ୍ଧ ଜିତିବା ପରେ ରୁଷୀୟ ସୈନ୍ୟମାନେ ବଙ୍କର ଭିତରେ ପ୍ରବେଶ କରି ନାରକୀୟ କାଣ୍ଡ ଘଟାଇବାର ଆଶଙ୍କା ମଧ୍ୟ ତୀବ୍ର ହେବାରେ ଲାଗିଥିଲା । ଆଶା ଓ ଆଶଙ୍କା ଭିତରେ ରହିଥିବା ଛାତ୍ରଛାତ୍ରୀଙ୍କୁ କ୍ୱିଭ୍ ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା । ସେଣ୍ଟ୍ରାଲ ଷ୍ଟେସନ୍‌ରେ ଟ୍ରେନ୍ ଚଢ଼ି ୟୁକ୍ରେନ୍ ସୀମା ଲବିବ୍ ପଳାଇବାକୁ ପରାମର୍ଶ ଦିଆଯିବା ପରେ ଷ୍ଟେସନ ପର୍ଯ୍ୟନ୍ତ ଯିବା ମଧ୍ୟ ମୃତ୍ୟୁକୁ ସାମ୍ନା କରିବା ଭଳି ପରିସ୍ଥିତି ଥିଲା ବୋଲି ମଧୁସ୍ମିତା କହିଛନ୍ତି । ଶେଷରେ ମଧୁସ୍ମିତା ଓ ତାଙ୍କର ସାଙ୍ଗମାନେ ଲବିବ୍‌ରେ ଟିକିଏ ଆଶ୍ୱସ୍ତ ହୋଇଥିଲେ ।

ହଙ୍ଗେରୀ ସୀମା ପାର ହୋଇ ୧ ତାରିଖରେ ବୁଦାପେଷ୍ଟ୍‌ରେ ପହଞ୍ôଚବା ପରେ ୬ ଦିନର ଜୀବନ ମରଣକୁ ନେଇ ଯେଉଁ ଅବସ୍ଥା ସୃଷ୍ଟି ହୋଇଥିଲା ତାହା ଶେଷ ହୋଇଥିଲା । କିଛି ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେଠାକାର ଭାରତୀୟ ଦୂତାବାସ ତରଫରୁ ହୋଟେଲରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ‘ଆର୍ଟ ଅଫ୍ ଲିଭିଙ୍ଗ୍‌’ ପରିସରରେ ରଖାଯାଇଥିଲା । ତେବେ ଭାରତରେ ପହଞ୍ଚାଇବା ପାଇଁ ସରକାର ସବୁକିଛି ସାହାଯ୍ୟ କରିଥିଲେ ବୋଲି କହନ୍ତି ମଧୁସ୍ମିତା । ଦିଲ୍ଲୀରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଭବନରେ ରଖାଯାଇଥିଲା । ସେଠାରୁ ରାଜ୍ୟ ସରକାର ବିମାନ ଯୋଗେ ଛାତ୍ରଛାତ୍ରୀଙ୍କୁ ଆଣି ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚାଇବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁ ଜୀବନ ନେଇ ଘରେ ପହଞ୍ôଚପାରିଲୁ ବୋଲି କହିଛନ୍ତି ମଧୁସ୍ମିତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking