30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ'ଓସା' ଦ୍ୱାରା ଆମେରିକୀୟ ଓଡ଼ିଆ ପିଲାଙ୍କର ଚିଠି ମହୋତ୍ସବ ଆୟୋଜିତ

‘ଓସା’ ଦ୍ୱାରା ଆମେରିକୀୟ ଓଡ଼ିଆ ପିଲାଙ୍କର ଚିଠି ମହୋତ୍ସବ ଆୟୋଜିତ

କାଲିଫର୍ଣିଆ, ତା. ୨୧.୧୧.: ଓଡିଶା ସୋସାଇଟି ଅଫ ଆମେରିକାଜ଼(ଓସା) ଦ୍ୱାରା ନିକଟରେ ଓଡ଼ିଆ ପିଲାମାନଙ୍କର ଚିଠି ଲେଖା ୱେବ ମହୋତ୍ସବ ଆୟୋଜିତ ହୋଇଯାଇଛି । ‘ଜେଜେଙ୍କୁ ଚିଠି’ ନାମକ ଏହି ବିରଳ ସାରସ୍ୱତ ଆସର ରେ ଆମେରିକାର ବିଭିନ୍ନ ନଗରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର କୁନି ଛୁଆ ମାନେ ଅଂଶ ଗ୍ରହଣ କରିଥିଲେ । ନିଜ ମାତୃଭାଷା କୁ ପ୍ରବାସରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ଲକ୍ଷରେ କାର୍ଯ୍ୟକାରୀ ହେଉଥିବା ଏହି ମହାନ ପ୍ରୟାସ ଓସାର ‘ଚାଲ ଆମେ ଓଡ଼ିଆ ଶିଖିବା’ ଶୀର୍ଷକ ଏକ ବୃହତ ଯୋଜନାର ଅଂଶବିଶେଷ ବୋଲି ଜଣାଯାଇଛି | ପ୍ରଥମେ ୨୦୦୦ ମସିହାରେ କାଲିଫର୍ଣିଆ ରୁ ଶୁଭାରମ୍ଭ ହୋଇଥିବା ଏହି ଶିକ୍ଷା କାର୍ଯ୍ୟକ୍ରମ କୁ ୨୦୧୦ ମସିହାରେ ଓସା ଗ୍ରହଣ କରିଥିଲା । ଅନଲାଇନ କ୍ଲାସ ଜରିଆରେ ଛାତ୍ରଛାତ୍ରୀ ମାନଙ୍କର ଓଡ଼ିଆ ଲେଖିବା ଓ କହିବାର କୁଶଳତା କୁ ବିକଶିତ କରିବା ପାଇଁ ଏହି ପ୍ରକଳ୍ପ ଉତ୍ସର୍ଗୀକୃତ । ଡିଜିଟାଲ ମଞ୍ଚ ଜରିଆରେ ଏହି ଚିଠି ସମାବେଶରେ ଭାଗନେଇ ପିଲାମାନେ ଭାରତରେ ରହୁଥିବା ସେମାନଙ୍କର ଅଜା,ଆଇ, ଜେଜେମା, ଜେଜେବାପାଙ୍କୁ ଓଡ଼ିଆରେ ଲେଖିଥିବା ସୁନ୍ଦର, ସୁନ୍ଦର ଭାବାବେଗଭରା ଚିଠି ଗୁଡିକୁ ପାଠ କରିଥିଲେ । ଅଂଶଗ୍ରହଣକାରୀ ପିଲାମାନଙ୍କ ସହିତ ସେମାନଙ୍କର ପିତା, ମାତା ଓ ବୁଢ଼ା ବାପା, ବୁଢ଼ୀମା ମାନେ ମଧ୍ୟ ଏହି ନୂତନଧର୍ମୀ ସୃଜନଶୀଳ ପରିକଳ୍ପନାକୁ ଵେଶ ପସନ୍ଦ ଓ ଖୂବ ଆଦୃତ କରିଥିବା ଜଣାଯାଇଛି ।

ଆମେରିକାକୁ ଆମ ଓଡିଶାରୁ ଅନେକ ଉଚ୍ଚ ପଢାଲେଖା ବ୍ୟକ୍ତିବିଶେଷ ଆସି, କାର୍ଯ୍ୟଯୋଗୁଁ ଏଠାରେ ବସବାସ କରୁଛନ୍ତି । ସେମାନେ ସେମାନଙ୍କର ନିଜନିଜ କାର୍ଯ୍ୟକ୍ଷେତ୍ର ରେ ବହୁବିଧ କୃତିତ୍ୱ ର ପ୍ରଦର୍ଶନ କରିଛନ୍ତି ଓ ମାତୃପ୍ରଦେଶ ଓଡିଶା ପାଇଁ ଵେଶ ସୁନାମ ଅର୍ଜନ କରିଛନ୍ତି । ସବୁ ଦିଗରୁ ବାହାବା ପାଇଲେବି, ସବୁବେଳେ ଏଠିକା ମା, ବାପାଙ୍କ ମନରେ ଥାଏ , ଆହା ଓଡ଼ିଆ ଭାଷାରେ ଆମ ପିଲାମାନେ ଯଦି ସେମାନଙ୍କର ଗୁରୁଜନ ମାନଙ୍କ ସହିତ ନିଜର ଭାବନା ପ୍ରକାଶ କରିପାରନ୍ତେ, ତାହାଲେ ସେମାନଙ୍କର ଆଈ, ଅଜା, ଜେଜେମା , ଜେଜେ ବାପା ସତେଯେ କେତେ ଖୁସି ନହୁଅନ୍ତେ । ଏହି ଡିଜିଟାଲ ସାହିତ୍ୟ ସମାରୋହ ଦ୍ୱାରା ଅନେକ ଓଡ଼ିଆ ନାତି, ନାତୁଣୀ ସେମାନଙ୍କର ଏହି ଇଛାଟି ପୁରା କରିପାରିଛନ୍ତି । ଏହି ଅବସରରେ ପିଲାମାନେ ଓଡ଼ିଶାର ମହାନ ସାହିତ୍ୟ ସାଧକ ମଧୁସୂଦନ ରାଓ,ଗୋପବନ୍ଧୁ ଦାସ ଏବଂ ଫକୀର ମୋହନ ସେନାପତିଙ୍କ ଦ୍ୱାରା ରଚିତ କବିତା ଗୁଡ଼ିକୁ ମଧ୍ୟ ଆବୃତ୍ତି କରିଥିଲେ । ଓଡିଶା ଓ ଆମେରିକାରେ ଥିବା ବୟସ୍କ ବ୍ୟକ୍ତିମାନେ ଓସାର ନିମନ୍ତ୍ରଣ କୁ ଖୁସିରେ ଗ୍ରହଣକରି ପିଲାମାନଙ୍କର ଏହି ଚିଠି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏହାକୁ ବହୁତ ଉପଭୋଗ କରିଥିବା ଦେଖାଯାଇଛି । ବଡ଼ ମାନଙ୍କର ଉପସ୍ଥିତି ସାନମାନଙ୍କର ମନୋବଳକୁ ବଢ଼ାଇବାରେ ବିଶେଷ ଭାବେ ସାହାଯ୍ୟ କରିଛି ।

ଉପସ୍ଥିତ ପିଲାମାନଙ୍କର ପ୍ରତିଭା ଓ ପାରଦର୍ଶିତା ଅଭୂତପୂର୍ବ ଥିଲା ବୋଲି ବ୍ୟାପକ ସଫଳତା ହାସଲ କରିଥିବା ଏହି ଇଣ୍ଟରନେଟ ଚିଠି ମହୋତ୍ସବର ମୁଖ୍ୟ ଆୟୋଜକ ତଥା ପରିଚାଳକ ଓସାର ସଭାପତି କୁକୁ ଦାସ ପ୍ରକାଶ କରିଛନ୍ତି । ସମାବେଶ କୁ ନେଇ ସୃଷ୍ଟି ହୋଇଥିବା ବିପୁଳ ଆଗ୍ରହ, ଉତ୍ସାହ ଓ ଉଦ୍ଦୀପନା, ତାଙ୍କୁ ଅଭିଭୂତ କରିଛି ଓ ଭବିଷ୍ୟତରେ ଓସା ଏହି ଭଳି ଅନନ୍ୟ ସାହିତ୍ୟ କାର୍ଯ୍ୟକ୍ରମ ଗୁଡିକୁ ନିଶ୍ଚିତ ଭାବେ ହାତକୁ ନେବ ବୋଲି ଶ୍ରୀମତୀ ଦାସ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking