42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୋଦୀ ସରକାରଙ୍କୁ ଡବଲ୍ ଝଟ୍‌କା

ମୋଦୀ ସରକାରଙ୍କୁ ଡବଲ୍ ଝଟ୍‌କା

ନୂଆଦିଲ୍ଲୀ : ଆଗକୁ ୨୦୨୪ ଲୋକସଭା ନିର୍ବାଚନ ରହିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଆଜି ଦୁଇ ଦୁଇଟି ଘଟଣାରେ ଜୋରଦାର ଝଟ୍‌କା ଲାଗିଛି । ପ୍ରଥମତଃ ସୁପ୍ରିମକୋର୍ଟ, ଆଜି କେନ୍ଦ୍ର ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ସମ୍ପର୍କୀତ ବିଜ୍ଞପ୍ତି ଉପରେ ରୋକ୍ ଲଗାଇଦେଇଛନ୍ତି । ଦ୍ୱିତୀୟତଃ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ଆଜି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।
ପ୍ରକାଶ, କେନ୍ଦ୍ର ସରକାର ଏବେ ସରକାର ବିରୋଧୀ ମିଥ୍ୟା ଖବର ପ୍ରଚାର, ପ୍ରସାରକୁ ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛନ୍ତି । କେନ୍ଦ୍ର ସରକାର ଏସବୁୂ ମିଥ୍ୟା ଖବରକୁ ଚିହ୍ନଟ କରିବା ପାଇଁ ପ୍ରେସ ଇନ୍‌ଫର୍ମେସନ୍ ବ୍ୟୁରୋ (ପିଆଇବି) ଅଧୀନରେ ଏକ ଫ୍ୟାକ୍ଟ ଚେକିଂ ୟୁନିଟ୍ ଗଠନ କରିବାକୁ ବିଜ୍ଞପ୍ତି ଜାରି କରିବାକୁ ସଜବାଜ ହେଉଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମ, ୨୦୨୧ ଅଧୀନରେ ପିଆଇବି ଅଧୀନରେ ଏକ ଫ୍ୟାକ୍ଟ ଚେକିଂ ୟୁନିଟ୍ ଗଠନ କରାଯିବା ନେଇ ମାର୍ଚ୍ଚ ୨୦ ତାରିଖରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ତେବେ ଏହାକୁ ଦେଶର କିଛି ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବିରୋଧ କରିଥିଲେ । ସମ୍ଭାବ୍ୟ ସେନସରସିପ୍ ପାଇଁ ଏସବୁର ଅପବ୍ୟବହାର କରାଯିବାଜନିତ ସମ୍ଭାବନା ଅଧିକ ରହିଥିବା ନେଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଚିନ୍ତା ପ୍ରକଟ କରିଥିଲେ । ତେବେ ଏହି ମାମଲାରେ ସର୍ବପ୍ରଥମେ ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଥିଲା । କିନ୍ତୁ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । ଫଳରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା । ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମ୍‌ରା ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲାରେ ଶୁଣାଣି କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ନିଜ ରାୟରେ ଏପ୍ରକାର କୌଣସି ଏକ ୟୁନିଟ୍ ପ୍ରତିଷ୍ଠା କରାଯିବା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗାଇବା ସହ ବମ୍ବେ ହାଇକୋର୍ଟ ଗତ ୧୧ ତାରିଖରେ ଦେଇଥିବା ରାୟକୁ ରଦ୍ଦ କରିଦେଇଛନ୍ତି ।
ସେହିପରି ବିଜେପି ପକ୍ଷରୁ ଏବେ ‘ବିକଶିତ ଭାରତ ସମ୍ପର୍କ’ କାର୍ଯ୍ୟକ୍ରମ ଅଧୀନରେ ଦେଶବାସୀଙ୍କ ମୋବାଇଲ୍ ନମ୍ବରକୁ ହ୍ୱାଟ୍ସଆପ୍ କରାଯାଉଥିବା ବାର୍ତ୍ତା ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ଗୁରୁବାର କେନ୍ଦ୍ର ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ପାଖରେ ଏନେଇ ଅଭିଯୋଗ ହେବା ପରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ସଚିବଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏସମ୍ପର୍କରେ ନିର୍ଦ୍ଦେଶ ପାଳନକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷୀରେ କେନ୍ଦ୍ର ନିର୍ବାଚନ ଆୟୋଗ ଅନୁପାଳନ ରିପୋର୍ଟ ମଧ୍ୟ ମାଗିଛନ୍ତି । ପ୍ରକାଶ , ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହ ଦେଶବ୍ୟାପୀ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସୁତରାଂ କେନ୍ଦ୍ର ସରକାରଙ୍କ ଏପ୍ରକାର ଆଭିମୁଖ୍ୟକୁ କାଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା ଏବଂ ଏନେଇ ନିର୍ବଚାନ ଆୟୋଗଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking