ଆଜମେର୍: ରାଜସ୍ଥାନର ଆଜମେର୍ ଜିଲ୍ଲାରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୪ ସଦସ୍ୟ ଜୀବନ୍ତ ଜଳି ଯାଇଥିବା ଜଣାପଡ଼ିଛି। ବୋରାଡା ଥାନା ଅନ୍ତର୍ଗତ ଶ୍ରୀରାମପୁରା ଗାଁ ନିକଟରେ ଭୋର ୫ଟା ୩୦ ମିନିଟରେ ସମୟରେ ଏହି ଘଟଣା ଘଟିଛି। ଦୁଇଜଣ ପୂର୍ବତନ ସରପଞ୍ଚ ଓ ତାଙ୍କ ପରିବାର ଏକ ସ୍କର୍ପିଓ ଗାଡ଼ିରେ ଯାଉଥିବାବେଳେ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ, ପରିବାର ଲୋକ ଗାଡ଼ିରୁ ବାହାରି ପାରିନଥିଲେ। ପୁଲିସ ଅଧୀକ୍ଷକ ହର୍ଷବର୍ଦ୍ଦନ ଅଗ୍ରୱାଲ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ରାମସିଂହ ଚୌଧୁରୀ, ତାଙ୍କ ମା’ ତଥା ପୂର୍ବତନ ସରପଞ୍ଚ ପୁସି ଦେବୀ, ପତ୍ନୀ ତଥା ଜିଲ୍ଲା ପରିଷଦ ସଦସ୍ୟ ସୁରଜ୍ଞାନୀ ଦେବୀ ଓ ଭାଣିଜୀ ମହିମାଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ପୁସି ଦେବୀଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ପୁଅ ରାମସିଂହ ତାଙ୍କୁ ହସ୍ପିଟାଲ ନେଇ ଯାଉଥିଲେ। ଏହି ସମୟରେ ସ୍କର୍ପିଓ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ରାମସିଂହ, ତାଙ୍କ ପତ୍ନୀ ଓ ଭାଣିଜୀ ଗାଡ଼ିରୁ ବାହାରି ନ ପାରି ଜିଅନ୍ତା ଜଳି ଯାଇଥିଲେ। ସ୍ଥାନୀୟ ଲୋକମାନେ ଗାଡ଼ି ଡୋର୍ ଭାଙ୍ଗି ପୁସି ଦେବୀଙ୍କୁ ବାହାରକୁ ବାହାର କରିଥିଲେ ମଧ୍ୟ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଏଫ୍ଏସ୍ଏଲ୍ ଟିମ୍ ସାହାଯ୍ୟରେ ଏହି ଘଟଣାର ତଦନ୍ତ କରାଯାଉଛି।










