କଟକ: ଥାନା ସମ୍ମୁଖରେ ପରିବାରର ସମୂହ ଆତ୍ମହତ୍ୟା ଉଦ୍ୟମ । କଟକ ଜିଲ୍ଲା ଭଦ୍ରେଶ୍ଵର ଥାନା ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। ଗୋଟିଏ ପରିବାରର ୮ଜଣ ସଦସ୍ୟ ପେଟ୍ରୋଲ, ଦିଆସିଲି ଓ ଦଉଡ଼ି ଧରି ଥାନା ସାମନାରେ ସମୂହ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ପୁଲିସ ସେମାନଙ୍କୁ କାବୁ କରି ନେଇଛି। ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଶାହାନିଆଜପୁର ଗାଁର ରଘୁନାଥ ସୂତାରଙ୍କୁ ଘର କରାଇ ନଦେବା ପାଇଁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଥାନାରେ ଏତଲା ଦେଇଆସୁଥିଲେ । ଏତଲାକୁ ଭିତ୍ତିକରି ଭଦ୍ରେଶ୍ଵର ଥାନା ପୁଲିସର ଜଣେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘର ତିଆରି କରିବାକୁ ବାରମ୍ୱାର ବାରଣ କରିଆସୁଥିଲେ। ଏହି ମାମଲା କୋର୍ଟରେ ବି ପହଞ୍ଚିଛି ।
ଏଥିରେ ଅତିଷ୍ଠ ହୋଇ ରଘୁନାଥ ପରିବାର ସହ ଭଦ୍ରେଶ୍ୱର ଥାନାକୁ ଆସି ଏତଲା ଦେଇଥିଲେ । ଏହାପରେ ପେଟ୍ରୋଲ ଓ ଦଉଡ଼ି ଧରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇ ପେଟ୍ରୋଲ, ଦଉଡ଼ି ଓ ଦିଆସିଲ ଜବତ କରିଛି। ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ରଘୁନାଥଙ୍କ ୮ଜଣ ପରିବାର ସଦସ୍ୟ ଥାନା ସମ୍ମୁଖରେ ସମୂହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଜମି ଉପରେ ନିର୍ମାଣ ପାଇଁ ଅଦାଲତଙ୍କ ରହିତାଦେଶ ଥିବାରୁ ଘର କାର୍ଯ୍ୟ ବନ୍ଦ କରାଯାଇଥିବା ପୁଲିସ ସୂଚନା ଦେଇଛି। ତୁରନ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଭଦ୍ରେଶ୍ୱର ଥାନା ଆଇଆଇସି କହିଛନ୍ତି।










