ବାଲେଶ୍ୱର: ଉଦୟପୁର ତାଳସାରି ରଣସିଂହପୁର କୀର୍ତ୍ତିନୀଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ବର୍ଷା , ପବନ, ଘଡଘଡି ପାଇଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟ ବିଭାଗ । ଚଳିତ ମାସ ୨୮ ଓ ୨୯ ତାରିଖରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଛି । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଲେ ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ।ଭୋଗରାଇ ବ୍ଲକ ଅଧିନରେ ରହିଛି ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର । ବଙ୍ଗୋପସାଗରରେ ବର୍ଷା, ପବନ, ଘଡଘଡି ଯୋଗୁଁ ସମୁଦ୍ର ଅଶାନ୍ତ ରହିବ । ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ପ୍ରବଳ ସମ୍ଭାବନା ନେଇ ଉଦୟପୁର ତାଳସାରି ରଣସିଂହପୁର କୀର୍ତ୍ତିନିଆ ଆଦି ସ୍ଥାନରେ ମତ୍ସ୍ୟଜୀବୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ପ୍ରବଳ ପବନରେ ଡଙ୍ଗାକୁ ଡଙ୍ଗା ବାଡେଇ ହେବାର ସମ୍ଭାବନା ଥିବା ବେଳେ ମାଛଧରା ଜାଲ ଓ ସମସ୍ତ ସାମଗ୍ରୀ ଡଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ଆଉ ଏହାକୁ କେହି ମତ୍ସ୍ୟଜୀବୀ ଅବମାନନା କରି ଯଦି ସମୁଦ୍ରକୁ ଯାଆନ୍ତି ତେବେ ତାଙ୍କ ଉପରେ ମତ୍ସ୍ୟ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।










