ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପଦଯାତ୍ରା ଆଜି ୪ର୍ଥ ଦିନରେ ପହଂଚିଛି । ଯୁବ କଂଗ୍ରେସର ନେତୃବର୍ଗମାନେ ଆଜି କଳାହାଣ୍ଡି ଜିଲ୍ଲାର କୁଟ୍ରୁମାଳି ଅଂଚଳରେ ପଦଯାତ୍ରା କରିଥିଲେ । ବନବାସୀ, ଆଦିବାସୀ ଓ ଦଳିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ବକ୍ସାଇଟ୍ ଖଣି ଦ୍ୱାରା ତାଙ୍କର କ୍ଷତି ସଂପର୍କରେ ବୁଝିଥିଲେ । ତାଙ୍କର ଜୀବନ ଜୀବିକା, ଜଳ, ଜମି ଓ ଜଙ୍ଗଲର ସୁରକ୍ଷାକୁ ନେଇ ସଂଗ୍ରାମ ଜାରି ରହିବ ବୋଲି ଏହି ପଦଯାତ୍ରାରେ ଯୋଗ ଦେଇଥିବା ଅଖିଳ ଭାରତ ଯୁବ କଂଗ୍ରେସର ଏଆଇସିସି ପ୍ରଭାରୀ ଶ୍ରୀ ମନିଷ ଶର୍ମା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଦିବାସୀ ଓ ଦଳିତ ଲୋକଙ୍କର ତଣ୍ଟିରେ ଖୋଜ ପକାଇ ତାଙ୍କ ଘର ଭାଙ୍ଗି ତାଙ୍କର ଜାଗା ଛଡେଇ ନେଇ ବିଜେପି ସରକାର ଯେଉଁ ବକ୍ସାଇଟ ଉତ୍ତୋଳନ କଥା ନିଷ୍ପତ୍ତି ନେଇଛି ତା’ ବିରୁଦ୍ଧରେ ଯୁବ କଂଗ୍ରେସ କ୍ରମାଗତ ଆନ୍ଦୋଳନ କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି । ଓଡ଼ିଶାରେ ଥିôବା ସମଗ୍ର ଆଦିବାସୀ ଓ ଦଳିତ ଲୋକ ଏହି ଅନ୍ୟାୟ ବିରୁଦ୍ଧରେ ମୁହଁ ଖୋଲିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯୁବକ, ଛାତ୍ର, ବୁଦ୍ଧିଜୀବି, ସାମ୍ବାଦିକ ଓ ସାମାଜିକ କର୍ମୀ ଆଦିବାସୀ ଓ ଦଳିତ ଲୋକଙ୍କ ଉପରେ ହେଉଥିବା ଅକଥନୀୟ ଓ ଅତ୍ୟାଚାର ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ରଖି ରାଜରାସ୍ତା ଓହ୍ଲାଇବା ପାଇଁ ଶ୍ରୀ ଶର୍ମା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମହେଶ ଦେଶମୁଖ, ଖୁସି ଟିଗା, ସୁଦୀପ ସାମଲ, କୃଷ୍ଣ ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, ମୋହନ ନାୟକ, ଅଙ୍କିତ ସାହୁ, ନିରଞ୍ଜନ ଆଚାର୍ଯ୍ୟ, ସୁରଜ ବେହେରା, ପବିତ୍ର ସେଠୀ, ରଞ୍ଜନ ଦାସ, ସୁନେଶ ଧିର, ଆଲୋକ ଦାସ, ସ୍ମୃତିରଞ୍ଜନ ଲେଙ୍କା, ସମ୍ରାଟ ଜେନା, ପ୍ରୀତମ ପରିଜା, ରଞ୍ଜିତ ପାଇକରାୟ ଙ୍କ ସହିତ ଶତାଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।










