31.1 C
Bhubaneswar
Tuesday, May 26, 2026
Homeଓଡିଶାଓଏଏସ୍ ରେଜଲ୍ଟ ପ୍ରକାଶିତ, ବୁବୁନ ସାହୁ ଟପ୍ପର

ଓଏଏସ୍ ରେଜଲ୍ଟ ପ୍ରକାଶିତ, ବୁବୁନ ସାହୁ ଟପ୍ପର

-ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୬ ପୁଅ, ୪ ଝିଅ
-ମୋଟ୍ ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ
-ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ: ଓଡ଼ିଶା ଲୋକସେବା ଆୟୋଗ ଦ୍ୱରା ପରିଚାଳି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା(ଓସିଏସ୍‌)-୨୦୨୪ ଫଳାଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ଏହି ଓଏସ୍ ପରୀକ୍ଷାରେ ୨୦୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୭୮ ଜଣ ମହିଳା ଅଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁଅ ଥିବା ବେଳେ ୪ ଜଣ ଝିଅ ଅଛନ୍ତି। ବୁବୁନ ସାହୁ ଓସିଏସ୍ ଟପ୍ପର ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଶୋଭନା ମହାନ୍ତି, ତୃତୀୟ ସ୍ଥାନରେ ଜିତମିତ୍ର ସାହୁ, ଚତୁର୍ଥରେ କନକ ଜୈନ, ୫ମରେ ସଂଗ୍ରାମ ପ୍ରଧାନ, ଷଷ୍ଠରେ ଅମନ ଗୋୟଲ, ସପ୍ତମରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମରେ ନିତେଶ କୁମାର ବାରିକ, ନବମରେ ଶୀତଲ ପାତ୍ର ଓ ୧୦ମ ସ୍ଥାନରେ ଈତିଶ୍ରୀ ଜେନା ରହିଛନ୍ତି।

ଉକ୍ତ ତାଲିକାରେ ଅଣସଂରକ୍ଷିତ ବର୍ଗରେ ୭୦ ଜଣ ଓଏଏସ୍ ପାଇଥିବାବେଳେ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗରେ ୩୫, ଅନୁସୂଚିତ ଜାତି ବର୍ଗରେ ୪୫, ଅନୁସୂଚିତ ଜନଜାତି ବର୍ଗରେ ୫୦ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି। ଗତ କିଛି ବର୍ଷ ହେଲା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଦରଖାସ୍ତ ଆହ୍ୱାନରୁ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ସମୁଦାୟ ପ୍ରକ୍ରିୟା ୨୧/୨୨ ମାସ ସମୟ ଲାଗୁଥିଲା। କିନ୍ତୁ ଏଥର ୧୭ ମାସରେ ଏହି ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୨୪ର ଲିଖିତ ପରୀକ୍ଷା ୨୦୨୬ ମସିହା ଜାନୁଆରୀ ୩୧ ଆରମ୍ଭ ହୋଇଥିଲା। ଏହି ପରୀକ୍ଷାରେ ୭୦୭ ଜଣ ମହିଳାଙ୍କ ସମେତ ୨୦୫୮ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ଏହା ମଧ୍ୟରୁ ୧୫୫ମହିଳାଙ୍କ ସମେତ ୩୮୫ ପାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗର କାର୍ଯ୍ୟାଳୟକୁ ଚଳିତ ମାସ ୧୪ତାରିଖରୁ ୨୦ତାରିଖ ଅବଧି ମଧ୍ୟରେ ଡକାଯାଇଥିଲା। ଅନ୍ୟପକ୍ଷରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ସହ ଶୁଭ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପ୍ରଶାସନିକ ସେବାକୁ କେବଳ ଏକ ପଦବୀ ନୁହେଁ, ବରଂ ଜନସେବାର ଏକ ପବିତ୍ର ବ୍ରତ ଭାବେ ଗ୍ରହଣ କରିବାକୁ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଏକ ସ୍ୱଚ୍ଛ, ପାରଦର୍ଶୀ ଓ ଜନକୈନ୍ଦ୍ରିକ ପ୍ରଶାସନିକ ବ୍ୟବସ୍ଥା ଗଠନ ସହ ସରକାରଙ୍କ ପ୍ରତିନିଧି ଭାବେ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ସମାଜର ଶେଷ ଧାଡ଼ିରେ ଥିବା ହିତାଧିକାରୀଙ୍କ ପର୍ଯ୍ୟନ୍ତ ସଫଳତାର ସହ ପହଞ୍ଚାଇବା ଆପଣମାନଙ୍କର ମୁଖ୍ୟ ସଂକଳ୍ପ ହେଉ ବୋଲି ଉଲ୍ଲେଖ କରିଛନ୍ତି। ‘ସମୃଦ୍ଧ ଓଡ଼ିଶା’ଗଠନର ଏହି ଗୌରବମୟ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking