ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଥିବା ସମସ୍ତ ୫ଟି ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରର ଶିଶୁ ପ୍ରାଣୀ ସଂଗରୋଧ କକ୍ଷରେ ସେମାନଙ୍କ ଚିକିତ୍ସା ଚାଲିଛି ।ଏମ୍ସ ଶିଶୁ ବିଭାଗର ଡାକ୍ତର ଏବଂ ହେଲ୍ଥ କମିଟିର ଦୁଇଜଣ ସଦସ୍ୟ ନନ୍ଦନକାନନ ଆସି ଓରାଂଉଟାନ୍ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି । ସ୍ୱାସ୍ଥ୍ୟ ନିରୀକ୍ଷଣ ଠିକ୍ ଥିବା ଜଣାପଡ଼ିବା ପରେ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଓରାଂଉଟାନ୍ ଛୁଆଙ୍କୁ କୃମିନାଶକ ଔଷଧ ଦେବା ସହ ରକ୍ତ, ଅସ୍ଥି ଓ ଶରୀରର ବିକାଶ ପାଇଁ ଆଇରନ୍, କ୍ୟାଲସିୟମ୍ ଓ ପ୍ରୋଟିନ୍ ଦେବାକୁ ପରାମର୍ଶ ଦିଆଯାଇଛି ।
ଶିଶୁ ଓରାଂଉଟାନ୍ଙ୍କ ପୋଷଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୈନିକ ଖାଦ୍ୟ ତାଲିକାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ନାନୋଲାକ୍ ସହ ଗାଜର, ବିନ୍ ଓ ସିଝା କନ୍ଦମୂଳକୁ ଗ୍ରାଇଣ୍ଡିଂ କରି ମିଶାଇ ଖାଇବାକୁ ଦିଆଯାଉଛି । ଡାକ୍ତରଙ୍କ ଉପସ୍ଥିତିରେ ସମସ୍ତ ଖାଦ୍ୟ ଓ ଔଷଧ ଦିଆଯାଉଥିବା ବେଳେ ଏହାର ରେକର୍ଡ ମଧ୍ୟ ରଖାଯାଉଛି । ଓରାଂଉଟାନ୍ ଛୁଆଙ୍କ ଓଜନ ଓ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଆସିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଛୁଆମାନେ ଝୁଲା ଓ ସିଡ଼ିରେ ଚଢ଼ିବା ସହ ଖେଳକୁଦ କରୁଥିବା ନଜରକୁ ଆସିଛନ୍ତି ।










