ଭୁବନେଶ୍ୱର: ୫ ଦଫା ଦାବୀ ନେଇ ଗୁଡାରି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଗୁଡାରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକର ପ୍ରଭାବରେ ସହରର ଜରୁରୀକାଳୀନ ସେବା ବ୍ୟଥିତ ସମସ୍ତ ସେବା ବନ୍ଦ ରହିଛି । ବନ୍ଦର ପ୍ରଭାବରେ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଯାନ ବାହାନ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧା ସମ୍ମୁଖିନ ହୋଇଛନ୍ତି । ଗୁଡାରି ସହର ବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଗୁଡାରି ସହରର ପ୍ରବେଶ ପଥ ତଥା ବଂଶଧାରା ବିଜୁ ସେତୁ ଠାରୁ ଶିରିଗୁଡା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଗୁଡାରିରୁ ଭୁବନେଶ୍ୱର ଓ କଟକ ପର୍ଯ୍ୟନ୍ତ ଓଏସଆରଟିସି ବସ୍ ଚଳାଚଳା ପାଇଁ ଦାବି କରାଯାଉଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।
ସେହିପରି ଗୁଡାରି ଠାରୁ ବିଷମକଟକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ଏବଂ ଗୁଡାରିକୁ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍ ୱେ’ ଏବଂ ପାରଳାଖେମୁଣ୍ଡି-ଆମ୍ବାଭୋନା ୱେ ସହ ସଂଯୋଗ କରିବା, ପଦ୍ମପୁର-ଗୁଡାରି-ରାଇବିଜ ରାସ୍ତାକୁ କନ୍ଧମାଳ ଜିଲାର କୋଟଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ଏହାକୁ ରାଜ୍ୟ ରାଜପଥର ମାନ୍ୟତା ପ୍ରଦାନ କରିବାକୁ ଗୁଡାରିବାସୀ ଦାବି କରିଛନ୍ତି ।
ସେପ୍ଟେମ୍ବର ୨୧ ସୁଦ୍ଧା ଦାବିଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ଧ୍ୟାନ ଦେବା ସହରବାସୀଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ କିଛି ନିର୍ଭର ପ୍ରତିଶୃତି ନମିଳିବାରୁ ବାଧ୍ୟ ହୋଇ ସହରବାସୀ ବନ୍ଦ ପାଳନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ ଓ ବଣିକ ସଂଘ ସମର୍ଥନ ଜଣାଇଛନ୍ତି ।










