ରାଜସ୍ଥାନ: ରାଜସ୍ଥାନର ଅଲୱାରରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି । ରାଜସ୍ଥାନ ସମେତ ସମଗ୍ର ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ପାର୍କିଂ ହୋଇଥିବା ଏକ କାର ଭିତରେ ବସିଥିବା ଦୁଇଜଣ ନାବାଳିକା ଭଉଣୀଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି । ଅଲୱାରର ଖୁଦନପୁରୀ ଅଞ୍ଚଳରେ ଘଟିଥିବା ଏହି ଦୁଃଖଦ ଘଟଣା କୁ ନେଇ ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ସୂଚନା ଅନୁଯାୟୀ, ୮ ବର୍ଷର ଟିନା ଓ ୫ ବର୍ଷର ଲକ୍ଷ୍ମୀ ବୁଧବାର ଅପରାହ୍ମରେ ସେମାନଙ୍କ ଘର ନିକଟରେ ଖେଳୁଥିଲେ । ଖେଳୁଥିବା ସମୟରେ ସେମାନେ ଏକ କାର ସର୍ଭିସ ସେଣ୍ଟର ନିକଟରେ ପହଞ୍ଚି ଯାଇଥିଲେ । ଖେଳୁ ଖେଳୁ ସେଠାରେ ଥିବା କାର ଭିତରେ ସେମାନେ ପଶି ଯାଇଥିଲେ ଓ ଭୁଲବଶତଃ କାର ଡୋର ଲକ ହୋଇଯାଇଥିଲା । ଭୀଷଣ ଗରମରେ ଦୁଇ ଭଉଣୀ କାର ଭିତରୁ ବାହାରକୁ ଆସିପାରିନଥିଲେ ଓ ଅଧ ଘଣ୍ଟା ଭିତରେ କାରଟି ହିଟ ଚାମ୍ବରରେ ପାଲଟି ଯାଇଥିଲା ବୋଲି ପୋଲିସ କହିଛି । ଦୀର୍ଘ ସମୟ ଯାଏଁ ପିଲାମାନଙ୍କର ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ଓ ପଡୋଶୀ ତଲାସି ଆରମ୍ଭ କରିଥିଲେ । ଦୁଇ ଭଉଣୀଙ୍କୁ କାର ସର୍ଭିସ ସେଣ୍ଟରର କାର ଭିତରେ ଅଚେତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଜିଲ୍ଲା ହସ୍ପିଟାଲ ଶବାଗାରରେ ମୃତଦେହ ରଖି ଘଟଣାର ତଦନ୍ତ କରୁଛି । ଶିଶୁ ଦୁଇ ଜଣ କାର ଭିତରକୁ ଯିବାର ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି ।










