ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ । ଜିଲୁଣ୍ଡା ସ୍ଥିତ ଲ୍ୟାମ୍ପର ମ୍ୟାନେଜିଂ ଡାଇରେକ୍ଟର ତାରିଣୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ପୂର୍ବରୁ ବିଭାଗୀୟ ତଦନ୍ତରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅବିଯୋଗ ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ଘରେ ଛଅ ଜଣିଆ ଭିଜିଲାନ୍ସ ଟିମ ଚଢାଉ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଲ୍ୟାମ୍ପରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବିଭାଗୀୟ ତଦନ୍ତ ରିପୋର୍ଟ ଅନୁଯାୟୀ ଲ୍ୟାମ୍ପସ୍ ର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ପାଖାପାଖି ୭୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଲ୍ୟାମ୍ପସ୍ ରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷି ମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଭାଗ ପକ୍ଷରୁ ଏଆରସିଏସ୍ ଜନ୍ମୋଜୟ ମହାପାତ୍ର ତଦନ୍ତ କରିଥିଲେ । ତେବେ ଟଙ୍କା ନେଣଦେଣ ଓ ପରିଚାଳନା କ୍ଷେତ୍ରରେ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା । ସେହିପରି କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ବ୍ୟାଙ୍କ ଏକାଉଣ୍ଟରୁ ତାଳମେଳ ହୋଇନଥିଲା । ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭିଜିଲାନ୍ସ ଟିମ୍ ସମସ୍ତ ଲ୍ୟାମ୍ପସ୍ କାଗଜପତ୍ର ଜବତ କରିଥିଲା । ଆଜି ଭିଜିଲାନ୍ସ ର ଟିମ୍ ତନତନ କରି ଯାଞ୍ଚ୍ କରୁଛି ।










