ମହାନଦୀ ଟି୍ରବୁ୍ୟନାଲରେ ଓଡିଶା ସରକାର ସଠିକ୍ ତଥ୍ୟ ଉପସ୍ଥାପିତ କରୁ
ବିଭ୍ରାନ୍ତିକର ତଥ୍ୟ ଓଡିଶା ଓ ନଦୀ ରକ୍ଷାର ପରିପନ୍ଥୀ
ରାଜ୍ୟ ସରକାରଙ୍କ ତଥ୍ୟକୁ ମହାନଦୀ ବଞ୍ଚାଅ ଆନେ୍ଦାଳନର ଚ୍ୟାଲେଞ୍ଜ
ଭୁବନେଶ୍ୱର: ଓଡିଶାର ଜୀବନରେଖା ମହାନଦୀର ଜଳ ସ୍ରୋତକୁ ଦୀର୍ଘ ବର୍ଷ ଧରି ଏକଚାଟିଆ ଭାବେ ଛତିଶଗଡ ଅଟକାଇ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରିଆସୁଛି । ଲଗାତାର ଭାବେ କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କୁ ଅନୁରୋଧ କରି କୌଣସି ସୁଫଳ ନମିଳିବାରୁ ଓଡିଶା ସୁପି୍ରମକୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବଂ ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶରେ ଆନ୍ତରାଜ୍ୟ ଜଳ ବିବାଦ ଟି୍ରବୁ୍ୟନାଲ ଗଠନ ହୋଇଥିଲା । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହି ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରିଲା ନାହିଁ କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ବିଜେପି ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ । ସରକାର ଦ୍ୱନ୍ଦ୍ୱରେ ଅଛନ୍ତି । ପ୍ରଥମେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ ବୋଲି କୁହାଗଲା, କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହେଲା ନାହିଁ ବୋଲି କହିଥିଲେ । ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଜ୍ୟ ବିଜେପି ସରକାର ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ବସିଛି । ଛତିଶଗଡ଼ ଓଡିଶା ସରକାରଙ୍କ କଥାକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ ଓ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ନାହିଁ । ଛତିଶଗଡ଼ ଏବେ ଅଧିକ ଜଳ ରୋକିବା ପାଇଁ ତଳ ଅଞ୍ଚଳରେ ଓ ଉପ ନଦୀରେ ମଧ୍ୟ ଚେକ୍ ଡ୍ୟାମ ଓ ବାଲି ବନ୍ଧ ନିର୍ମାଣ କରୁଛି । ଗୋଟିଏ ପଟେ ଓଡ଼ିଶାର ଲୋକେ ପାଣି ମୁନ୍ଦିଏ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି, ଆର ପଟରେ ଛତିଶଗଡ଼ ଶିଳ୍ପକୁ ଜଳ ବିକ୍ରି କରୁଛି । ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପରିବର୍ତ୍ତେ, ରାଜ୍ୟ ବିଜେପି ସରକାର ନାଟକବାଜି କରୁଛନ୍ତି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଇତିମଧ୍ୟରେ ମହାନଦୀ ଟି୍ରବୁ୍ୟନାଲର ନିଦେ୍ର୍ଦଶ କ୍ରମେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମହାନଦୀରେ ଉପଲବ୍ଧ ଜଳରାଶି ସଂକ୍ରାନ୍ତୀୟ ତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ଘୋଷଣା କରାଯାଇଛି । ଟି୍ରବୁ୍ୟନାଲରେ ଦିଆଯାଇଥିବା ତଥ୍ୟକୁ ନେଇ ‘ମହାନଦୀ ବଞ୍ଚାଓ ଆନେ୍ଦାଳନ’ ପ୍ରଶ୍ନ କରିଥିଲେ । ଏହି ମର୍ମରେ ମହାନଦୀ ବଞ୍ଚାଓ ଆନେ୍ଦାଳନ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ ଏବଂ ତାଙ୍କ ସହିତ ଆଲୋଚନା କରିବା ନିମନ୍ତେ ଏକ ସମୟ ନିର୍ଦ୍ଧାରଣ ପାଇଁ ଅନୁରୋଧ କରିଥିଲେ । ମାନନୀୟ ମୁଖ୍ୟମନ୍ତ୍ରୀ ନା ଅନୁରୋଧ ରକ୍ଷା କଲେ ନା ‘ମହାନଦୀ ବଞ୍ଚାଓ ଆନେ୍ଦାଳନ’କୁ କୌଣସି ସମୟ ଦେଲେ । ମଇ ୨୦ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ସୁଯୋଗ ନମିଳିବାରୁ ଆଜି ‘ମହାନଦୀ ବଞ୍ଚାଓ ଆନେ୍ଦାଳନ’ର କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ଏହା ପରେ କମିଶନରେଟ ପୋଲିସ ଦ୍ୱାରା ମହାନଦୀ ପାଇଁ ଆନେ୍ଦାଳନରତ କର୍ମୀମାନଙ୍କୁ ସେଠାରୁ ଅଗଣତାନ୍ତ୍ରିକ ଭାବେ ଜୋରଜବରଦସ୍ତ ଉଠାଇ ନେଇଥିଲେ । ମହାନଦୀ ଜଳରାଶି ସଂକ୍ରାନ୍ତୀୟ ଯେଉଁ ତଥ୍ୟ ୨ଟି ରାଜ୍ୟ ଉପସ୍ଥାପିତ କରିଛନ୍ତି, ତାହା ସାର୍ବଜନୀନ ହେବା ଦରକାର ବୋଲି ବିଜୁ ଜନତା ଦଳ ମନେକରେ । ସ୍ୱଚ୍ଛତାର ସହ ମହାନଦୀ ସଂକ୍ରାନ୍ତୀୟ ତଥ୍ୟକୁ ସାର୍ବଜନୀନ କରିବା ପରିବର୍ତ୍ତେ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଚାହିଁଥିଲେ ଏବଂ ମହାନଦୀ ଉପରେ ଚର୍ଚ୍ଚା କରିବା ପାଇଁ ଚାହିଁଥିଲେ, ତାଙ୍କୁ ପୋଲିସ୍ ଉଠାଇନେଲା । ଏହା ସୂଚାଉଛି ଯେ, ରାଜ୍ୟ ସରକାର କିଛି ତଥ୍ୟ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି । ଯଦି ରାଜ୍ୟ ସରକାର ମହାନଦୀ ଜଳରାଶି ଉପରେ ସଠିକ୍ ତଥ୍ୟ ଦେଉଛନ୍ତି, ତାହେଲେ ତାହାକୁ ସାର୍ବଜନୀନ କରିବାରେ ଅସୁବିଧା କ’ଣ ? ମହାନଦୀ ପରି ଗୋଟେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ଅତ୍ୟନ୍ତ ନିନ୍ଦନୀୟ ।










