ବାଲିଚନ୍ଦ୍ରପୁର: ଆଜବେଷ୍ଟସ ଘରେ ଲାଗିଲା ନିଆଁ। ଆଉ ଜୀବନ୍ତ ଦଗ୍ଧ ହୋଇଗଲେ ଗୋଟିଏ ପରିବାରର ୪ଜଣ। ଶନିବାର ଆଜି ରାତିରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି।
ସୂଚନା ମୁତାବକ ନଳିପୁର ଗ୍ରାମର ସେକ୍ ନିଜାମ ଉଦ୍ଦିନଙ୍କ ଆଜବେଷ୍ଟ ଘରେ ଶନିବାର ରାତି ୮ ସମୟରେ କୌଣସି କାରଣରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ନିଜାମ ଉଦ୍ଦିନଙ୍କ ଆଜବେଷ୍ଟ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ତାଙ୍କ ବଡ଼ବୋହୂ ଏବଂ ଶାଶୁଘରୁ ଆସିଥିବା ତାଙ୍କ ଝିଅ ଓ ତାଙ୍କର ୧୦ ବର୍ଷର ନାତୁଣୀ ଓ ୮ ମାସର ନାତି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ମେଡ଼ିକାଲକୁ ପଠା ଯାଇଛି। ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଅଁକୁ ଆୟତ୍ତ କରିଥିଲା। ଏହି ଦୁଃଖଦ ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।










