34.1 C
Bhubaneswar
Friday, May 22, 2026
Homeଓଡିଶାଆନ୍ତର୍ଜାତୀୟ ଜୈବବିବିଧତା ଦିବସ: ସ୍ଥାନୀୟ ପଦକ୍ଷେପରୁ ବିଶ୍ୱସ୍ତରୀୟ ପ୍ରଭାବ

ଆନ୍ତର୍ଜାତୀୟ ଜୈବବିବିଧତା ଦିବସ: ସ୍ଥାନୀୟ ପଦକ୍ଷେପରୁ ବିଶ୍ୱସ୍ତରୀୟ ପ୍ରଭାବ

ଭୁବନେଶ୍ୱର:  ଓଡ଼ିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନର ଷ୍ଟେଟ୍ କନଭେନସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ “ଆନ୍ତର୍ଜାତୀୟ ଜୈବବିବିଧତା ଦିବସ” ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଚଳିତ ବର୍ଷର ମୂଳ ବିଷୟବସ୍ତୁ ଥିଲା — “ସ୍ଥାନୀୟ ପଦକ୍ଷେପର ବିଶ୍ୱସ୍ତରୀୟ ପ୍ରଭାବ”। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଥିଲେ ଯେ, ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ। ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ଅଲିଭ୍-ରିଡ୍ଲେ କଛପ ସୁରକ୍ଷା, ହେନ୍ତାଳ ବନର ପୁନରୁଦ୍ଧାର, ସମୁଦାୟ ଭିତ୍ତିକ ବନ ସୁରକ୍ଷା, ବନାଗ୍ନି ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ “ଲୋକକେନ୍ଦ୍ରିକ ସଂରକ୍ଷଣ ମଡେଲ୍” ଭାବେ ସ୍ୱତନ୍ତ୍ର ପରିଚୟ ଦେଇଛି।ଏହି ଅବସରରେ ପୂର୍ବରୁ ଆୟୋଜିତ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଜୈବବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ ଜଣଙ୍କୁ “ଜୈବବିବିଧତାର ରକ୍ଷକ” ଏବଂ ୨ ଜଣଙ୍କୁ “ଜୈବବିବିଧତାର ବିଜେତା” ସମ୍ମାନରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ “ଓଡ଼ିଶାର ଆଦ୍ରଭୂମିରେ ବିଦେଶୀ ପ୍ରଜାତିର ଜୀବଙ୍କ ପ୍ରଭାବ ଉପରେ ସମୀକ୍ଷା”, “ଗନ୍ଧମାର୍ଦ୍ଦନର କାହାଣୀ”, ଓଡ଼ିଶା ଜୈବବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ (୨୦୨୫-୨୬) ଏବଂ ବୋର୍ଡର ମୁଖପତ୍ର “ଷ୍ଟ୍ରିଙ୍ଗସ ଅଫ ବାଇଓଡାଇଭର୍ସିଟି” ସହିତ ମୋଟ ୪ଟି ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ପରବର୍ତ୍ତୀ ବୈଷୟିକ ଅଧିବେଶନରେ ବିଭିନ୍ନ ଜିଲ୍ଲାର ଜୈବବିବିଧତା ପରିଚାଳନା ସମିତିମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ଆଲୋଚନା ହୋଇଥିଲା। ଏହାସହ ‘ପିବିଆର୍ ମାନୁଆଲ’ ଏବଂ ‘ସ୍ଥାନୀୟ ଜୈବବିବିଧତା ପାଣ୍ଠି ପରିଚାଳନା ନିୟମାବଳୀ’ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ କେ. ମୁରୁଗେସନ୍, ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ କେ. ଏସ୍. ପ୍ରଦୀପ ଏବଂ ସଦସ୍ୟ ସଚିବ, ଓଡ଼ିଶା ଜୈବବିବିଧତା ବୋର୍ଡ଼, ଡ. ନିହାର ରଞ୍ଜନ ନାୟକ ମଧ୍ୟ ଯୋଗଦେଇଥିଲେ।ଜୈବବିବିଧତା ସଂରକ୍ଷଣକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହଳର ସକ୍ରିୟ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ, ବିଭିନ୍ନ ଜିଲ୍ଲାର ଜୈବବିବିଧତା ପରିଚାଳନା ସମିତିର ସଦସ୍ୟ, ବୈଜ୍ଞାନିକ, ଗବେଷକ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପାରମ୍ପରିକ ଜ୍ଞାନକୌଶଳର ପ୍ରୟୋଗକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking