ଭୁବନେଶ୍ୱର: ରାଜ୍ୟର ଡାକ୍ତରମାନଙ୍କ ଆନେ୍ଦାଳନ ଯୋଗୁଁ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଶବ ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ଓପିଡି, ଆଇପିଡି, ଆଉଟ୍ଡୋର ରୋଗୀମାନଙ୍କ ଚିକିତ୍ସା ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତର ପ୍ରଭାବ ପଡ଼ିଛି । ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଚାରୁ ଭାବେ ପରିଚାଳନା କରିବାରେ ଡାକ୍ତରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସରକାର ଅହଙ୍କାର ମନୋଭାବ ରଖି ଡାକ୍ତରମାନଙ୍କ ନ୍ୟାୟୋଚିତ ଦାବି ବିଷୟରେ ଆଲୋଚନା ନ କରି ରୋଗୀମାନଙ୍କ ଜୀବନ ସହ ଖେଳୁଥିବାରୁ ସରକାରଙ୍କୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ୧୮ ସେପ୍ଟେମ୍ୱର ୨୦୨୪ରେ ଡାକ୍ତରମାନେ ସେମାନଙ୍କର ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନିକଟରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୫, ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସଚିବ ଓ ଜୁନ୍ ଏବଂ ଅଗଷ୍ଟ ମାସରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନଥିଲା । ଅକ୍ଟୋବର ୨୦୨୫ରେ ଡାକ୍ତରମାନେ ଆନେ୍ଦାଳନର ନୋଟିସ ଦେଲା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ୧୫ ନଭେମ୍ୱର ସୁଦ୍ଧା ସମସ୍ତ ଦାବି ପୂରଣ କରାଯିବ, କିନ୍ତୁ ତାହା ପୂରଣ ହୋଇପାରିଲା ନାହିଁ । ଏହା ସତ୍ତ୍ୱେ ଡାକ୍ତରମାନେ ଆଉଟ୍ଡୋର ସେବା ଜାରି ରଖି ବିଭିନ୍ନ ସମୟରେ ଆନେ୍ଦାଳନ କରିଥିଲେ । ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ରାଜ୍ୟରେ ରୋଗୀସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ୯ ଜାନୁଆରୀ ୨୦୨୬ରେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମ୍ସା)ର କର୍ମକର୍ତ୍ତାଙ୍କ ସହ ଡାକ୍ତରମାନଙ୍କର ୧୦ ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଦୁଇରୁ ତିନି ମାସ ମଧ୍ୟରେ ସମାଧାନର ବାଟ ବାହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ କମିଟିର ଅଧ୍ୟକ୍ଷ ଅତିରିକ୍ତ ମୁଖ୍ୟ ସଚିବ ଛୁଟିରେ ଯାଇ ପରେ ଅବସର ନେଇଥିବାରୁ କମିଟି ଗଠନ ହୋଇପାରିଲା ନାହିଁ । ଫଳସ୍ୱରୂପ ୬ ମାସ ପରେ ଜାତୀୟ ଡାକ୍ତର ଦିବସ ଜୁଲାଇ ୧ ତାରିଖରୁ ଧର୍ମଘଟ ନେଇ ଓମ୍ସା ନୋଟିସ ଦେଇଥିଲା । ଜୁନ୍ ୨ ତାରିଖରେ ସରକାରଙ୍କ ସହ ବୈଠକ ହୋଇଥିଲେ ମଧ୍ୟ କୌଣସି ନିର୍ଭରଯୋଗ୍ୟ ଆଶ୍ୱାସନା ମିଳିନଥିଲା । ସରକାର ଦାବି ପୂରଣ ନେଇ ଲିଖିତ ଭାବେ ଦେବାକୁ ଡାକ୍ତରମାନେ ଦାବି କରିଥିଲା ବେଳେ ସରକାର କୌଣସି ନିଷ୍ପତ୍ତି ନେଇନଥିଲେ । ୩୦ ଜୁନ୍ ବୈଠକରେ ଡାକ୍ତରମାନଙ୍କ ଦାବି ଉପରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବାରୁ ଧର୍ମଘଟ ସ୍ଥଗିତ ହୋଇପାରିଲା ନାହିଁ । ଡାକ୍ତରମାନଙ୍କ ଧର୍ମଘଟ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ସ୍ୱାସ୍ଥ୍ୟସେବା ସ୍ୱାଭାବିକ କରନ୍ତୁ । ରୋଗୀମାନେ ଯେପରି ସେବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । କୌଣସି ଅଘଟଣ ଘଟିଲେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ଗତ ତିନି ଦିନ ଧରି ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡ଼ିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ଭଳି ପରିସ୍ଥିତି ଆଜି ଏହି ସରକାର ସୃଷ୍ଟି କରିଛନ୍ତି । ପୂର୍ବ ବିଜେଡି ସରକାର ସମୟରେ, ଡିଏସିପିର ୬, ୧୨, ୧୮ ଓ ୨୪ ବର୍ଷର ପଦୋନ୍ନତି ବ୍ୟବସ୍ଥାକୁ ମଞ୍ଜୁର କରାଯାଇଥିଲା ଏବଂ ଇନ୍ସୁ୍ୟରାନ୍ସ ସହିତ ଡାକ୍ତରମାନଙ୍କ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ପୂରଣ କରାଯାଇଥିଲା । ଡାକ୍ତରମାନଙ୍କୁ କର୍ମ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଇନର ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ କେନ୍ଦ୍ରୀୟ ଡିଏସିପି ଲାଗୁ କରିବା ପାଇଁ ଓମ୍ସା ଦାବି କରିଛି । ଡବଲ୍ ଇଞ୍ଜିନ୍ ସରକାରକୁ ଦୁଇ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଡାକ୍ତରମାନଙ୍କ ଏହି ଦାବି ପ୍ରତି ସରକାର ଧ୍ୟାନ ଦେଉନାହାନ୍ତି । ଦାବି ପୂରଣ କରିବା ପରିବର୍ତ୍ତେ ସରକାର ନିଜର ଗର୍ବ ଓ ଅହଂକାରକୁ ଆଗରେ ରଖି କାର୍ଯ୍ୟ କରୁଛନ୍ତି । ଆଜି ଗଣଶିକ୍ଷା ବିଭାଗରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରୁ ସରକାର କିଛି ଶିଖିଲେ ନାହିଁ । ସାଧାରଣ ଲୋକଙ୍କ ଜୀବନ ଓ ରୋଗୀ ସେବାକୁ ସରକାର ନିଜର ଅହଂକାର ପାଇଁ ବଳି ଦେଉଛନ୍ତି । ସାରା ରାଜ୍ୟରେ ରୋଗୀସେବା ବ୍ୟାହତ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀ ମାନେ ଡାକ୍ତରମାନଙ୍କୁ ଡାକି ବ୍ୟକ୍ତିଗତ ଭାବେ ଆଲୋଚନା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଣ୍ଡ ନ ପୂରାଇ ନିଜର ଚୌକିକୁ ବଞ୍ଚାଇବା ପାଇଁ ଦିଲ୍ଲୀ ଦୌଡୁଛନ୍ତି । ରୋଗୀ ସେବାକୁ ପ୍ରାଥମିକତା ଦେଇ ଡାକ୍ତରମାନଙ୍କ ସହ ସରକାର ଆଲୋଚନା କରନ୍ତୁ, ସେମାନଙ୍କ ଦାବି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ।
ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ବର୍ତ୍ତମାନ ସରକାରୀ ଡାକ୍ତରଖାନାଗୁଡ଼ିକର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି, ଯାହାର ପ୍ରଭାବ ସାଧାରଣ ରୋଗୀଙ୍କ ଉପରେ ପଡ଼ୁଛି । ଡବଲ ଇଞ୍ଜିନ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି । ଆୟୁଷ୍ମାନ ଯୋଜନା ଉପରେ ସାଧାରଣ ଲୋକ ଭରସା କରିପାରୁ ନାହାନ୍ତି । ଏହି ଯୋଜନାରେ ଚିକିତ୍ସା ପାଇବାକୁ ଅଧିକ ସମୟ ଲାଗୁଛି ଏବଂ ମଧ୍ୟବର୍ତ୍ତୀ ଖର୍ଚ୍ଚ ବଢ଼ିଯାଉଛି । ଆବଶ୍ୟକତାଠାରୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି । ଆୟୁଷ୍ମାନ ଯୋଜନାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ । ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଗତ ୩ ଦିନ ଧରି ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଥିବାରୁ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଡବଲ ଇଞ୍ଜିନ ସରକାରରେ ଡାକ୍ତରମାନେ ବିଭିନ୍ନ ପ୍ରକାର ଅବହେଳାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରମାନେ ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର ଖାମଖିଆଲି ମନୋଭାବ ପ୍ରତିପୋଷଣ କରୁଛନ୍ତି । ସରକାରଙ୍କ ପକ୍ଷରୁ ଧମକ ଦିଆଯାଉଛି ଯେ, ଯଦି ଡାକ୍ତରମାନେ ଆନେ୍ଦାଳନ ବନ୍ଦ ନ କରିବେ, ତେବେ ସେମାନଙ୍କର ପଞ୍ଜୀକରଣ ବାତିଲ କରାଯିବ । ସରକାରଙ୍କ ଏହି ଅହଂକାର ମନୋଭାବ ଯୋଗୁଁ ଆଜି ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଡାକ୍ତରମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ରୋଗୀମାନେ ଯଥାର୍ଥ ଚିକିତ୍ସା ପାଉନାହାନ୍ତି । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ଅତ୍ୟନ୍ତ ଜରୁରୀ । ଯେତେଶୀଘ୍ର ଡାକ୍ତରମାନଙ୍କ ସହ ଆଲୋଚନା କରି ସରକାର ସମାଧାନର ବାଟ ବାହାର କରନ୍ତୁ, ନଚେତ୍ ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଆନେ୍ଦାଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ।










