ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ, ଭାରତକୁ ସିରିଜ୍
ଦାମ୍ବୁଲା :ଚଳିତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍କୁ ଭ୍ରମଣକାରୀ ଭାରତ ୨-୧ରେ ଜିତିନେଇଛି । ପୂର୍ବରୁ ସିରିଜ୍ରେ ୨-୦ର ଅପରାଜେୟ ଅଗ୍ରଣୀ ହାସଲ କରିସାରିଥିବା ଭାରତୀୟ ମହିଳା ଦଳ ବିପକ୍ଷରେ ସୋମବାର ଅନ୍ତିମ ଟି-୨୦କୁ ୭ ୱିକେଟ୍ରେ ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ଅଧିନାୟିକା ତଥା ଓପନର ଚମାରି ଅଟ୍ଟାପଟୁଙ୍କ ଅପରାଜିତ ୮୦ ରନ୍ର ଇନିଂସ ସହାୟତାରେ ଘରୋଇ ଦଳ ସିରିଜ୍ କ୍ଲିନ୍ସୁଇପ୍ରୁ ବର୍ତ୍ତିଯାଇଛି । ମାତ୍ର ୪୮ଟି ବଲ୍ ଖେଳି ୧୪ଟି ଚୌକା ଓ ଗୋଟିଏ ଛକା ଜରିଆରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ଚମାରି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟିକା ହରମନ୍ପ୍ରୀତ୍ କୌର୍ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି । ସେହିପରି ଚମାରି ଦେଶର ପ୍ରଥମ କ୍ରିକେଟର୍ ଭାବେ ଟି-୨୦ ଫର୍ମାଟ୍ରେ ୨ ହଜାର ରନ୍ ପୂରଣ କରି ରେକର୍ଡ ବୁକ୍ରେ ନିଜ ନାମ ଦରଜ କରିଛନ୍ତି । ଦେଶର ପୁରୁଷ କ୍ରିକେଟର୍ଙ୍କ ମଧ୍ୟରେ ତିଲକରତ୍ନେ ଦିଲସାନ୍ ୧୮୮୯ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତ ୫ ୱିକେଟ୍ ବିନିମୟରେ ୧୩୮ ରନ୍ କରିଥିଲା । ଓପନର ଶେଫାଳୀ ବର୍ମା ଗୋଟିଏ ଚୌକା ସହ ୫ ରନ୍ କରି ପ୍ରଥମ ଓଭର୍ର ଅନ୍ତିମ ବଲ୍ରେ ଆଉଟ୍ ହୋଇଥିଲେ । ତେବେ ଅନ୍ୟତମ ଓପନର ତଥା ଉପଅଧିନାୟିକା ସ୍ମୃତି ମନ୍ଧାନା ଓ ସାବିନେନି ମେଘନାଙ୍କ ମଧ୍ୟରେ ୪୧ ରନ୍ର ଭାଗୀଦାରୀ ହୋଇଥିଲା । ମନ୍ଧାନା ୩ଟି ଚୌକା ସହ ୨୨ ରନ୍ କରି ଆଉଟ୍ ହୋଇଥିବା ବେଳେ ମେଘନା ମଧ୍ୟ ସମାନ ସଂଖ୍ୟକ ରନ୍ରେ ବିଦାୟ ନେଇଥିଲେ । କିନ୍ତୁ ଇନ୍ଫର୍ମ ବ୍ୟାଟ୍ସଓମ୍ୟାନ୍ ହରମନ୍ପ୍ରୀତ୍ ସାଥୀ ବ୍ୟାଟ୍ସଓମ୍ୟାନ୍ ଜେମିମା ରଡରିଗ୍ସଙ୍କ ସହ ମିଶି ଚତୁର୍ଥ ୱିକେଟ୍ରେ ୧୧୫ ରନ୍ ଯୋଡ଼ିଥିଲେ । ରଡରିଗ୍ସ ୩ଟି ଚୌକା ସହ ୩୩ ରନ୍ କରି ବିଦାୟ ନେଇଥିଲେ ହେଁ ହରମନ୍ପ୍ରୀତ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।
ସେ ୩ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୩୯ ରନ୍ କରିଥିବା ବେଳେ ପୂଜା ବସ୍ତ୍ରାକାର ମାତ୍ର ୬ଟି ବଲ୍ ଖେଳି ୨ଟି ଚୌକା ମାଧ୍ୟମରେ ୧୩ ରନ୍ କରି ଇନିଂସର ଅନ୍ତିମ ବଲ୍ରେ ରନ୍ଆଉଟ୍ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ସୁଗନ୍ଦିକା କୁମାରୀ, ଆମା କାଞ୍ଚନା, ଓଶେଦି ରଣସିଂହେ ଓ ଇନୋକା ରଣବୀରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ସାଥୀ ଓପନର ବିସ୍ମି ଗୁଣରତ୍ନେଙ୍କୁ ସଅଳ ହରାଇଥିଲେ ମଧ୍ୟ ଚମାରି ଗୋଟିଏ ପଟେ ଦୃଢ଼ ଭାବେ ବ୍ୟାଟିଂ ଜାରି ରଖିଥିଲେ ।
ଗୁଣରତ୍ନେ ମାତ୍ର ୫ ରନ୍ କରି ଆଉଟ୍ ହେବା ପରେ ଚମାରି ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ହର୍ଷିତା ସମରବିକ୍ରମାଙ୍କ ସହ ଦ୍ୱିତୀୟ ୱିକେଟ୍ରେ ୩୭ ଏବଂ ନୀଳାକ୍ଷୀ ଡି’ସିଲ୍ଭାଙ୍କ ସହ ତୃତୀୟ ୱିକେଟ୍ରେ ୭୭ ରନ୍ର ବଳିଷ୍ଠ ଭାଗୀଦାରୀ କରିଥିଲେ । ୨ଟି ଚୌକା ସହ ହର୍ଷିତା ୧୩ ଓ ୪ଟି ଚୌକା ସହ ଡି’ସିଲ୍ଭା ୩୦ ରନ୍ କରିଥିଲେ । ଏହାଛଡ଼ା କବିଶା ଦିଲ୍ହାରି ୭ ରନ୍ କରି ଚମାରିଙ୍କ ସହ ଅପରାଜିତ ଥିଲେ । ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦୁଇ ଦଳ ମଧ୍ୟରେ ଆସନ୍ତା ୧ରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଲେକେଲ୍ଠାରେ ଆରମ୍ଭ ହେବ ।