29.1 C
Bhubaneswar
Monday, August 15, 2022
Homeଖେଳଆୟର୍ଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍‌ : ଆଜି ଅନ୍ତିମ ମ୍ୟାଚ୍‌

ଆୟର୍ଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍‌ : ଆଜି ଅନ୍ତିମ ମ୍ୟାଚ୍‌

ଡବଲିନ: ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିନେଇଛି । ବର୍ଷା ଯୋଗୁଁ ପାଖାପାଖି ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ର ଓଭର୍ ସଂଖ୍ୟାକୁ ୧୨କୁ କମାଇଦିଆଯାଇଥିଲା । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାରୁ ଘରୋଇ ଆୟର୍ଲାଣ୍ଡ୍ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା । ଭାରତୀୟ ବୋଲରମାନେ ମେଘୁଆ ପରିବେଶର ଫାଇଦା ନେଇ ମାତ୍ର ୨୨ ରନ୍ ମଧ୍ୟରେ ଘରୋଇ ଦଳର ୩ ଜଣ ଶୀର୍ଷ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ୟାଭିଲିଅନ୍‌କୁ ପଠାଇଦେଇଥିଲେ । ଅଧିନାୟକ ଆଣ୍ଡ୍ର‌୍ୟୁ ବାଲବର୍ଣ୍ଣି ଖାତା ଖୋଲିବା ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ବୋଲ୍ଡ ଆଉଟ୍ ହୋଇଥିଲେ । ପରେ ତାଙ୍କ ଓପନିଂ ଯୋଡ଼ିଦାର ପଲ୍ ଷ୍ଟର୍ଲିଂ ଗୋଟିଏ ମାତ୍ର ଚୌକା ଜରିଆରେ ୪ ରନ୍ କରି ଅଧିନାୟକ ହାର୍ଦ୍ଦିକଙ୍କ ବଲ୍‌ରେ ଦୀପକ ହୁଡ୍ଡାଙ୍କ ହାତରେ ଧରାପଡ଼ିଥିଲେ । ପରେ ଗାରେଥ୍ ଡେଲାନି ପେସର୍ ଅଭେଶ ଖାନ୍‌ଙ୍କ ବଲ୍‌ରେ ଆଉଟ୍ ହେବା ଫଳରେ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

କିନ୍ତୁ ହ୍ୟାରୀ ଟେକ୍ଟର ଓ ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ଲୋର୍କାନ୍ ଟକର୍ ୫୦ ରନ୍ ଯୋଡ଼ି ଏକ ଆହ୍ୱାନମୂଳକ ଟାର୍ଗେଟ୍ ଦେବାକୁ ଅଣ୍ଟା ଭିଡ଼ିଥିଲେ । ଅବଶ୍ୟ ଟକର୍ ୨ଟି ଛକା ସହ ୧୮ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଟେକ୍ଟର ଏକ ପ୍ରଶଂସନୀୟ ଇନିଂସ ଖେଳି ଭାରତ ଆଗରେ ୧୨ ଓଭର୍‌ରେ ୧୦୯ ରନ୍‌ର ଟାର୍ଗେଟ୍ ଧାର୍ଯ୍ୟ କରିଥିଲେ । ଟେକ୍ଟର ମାତ୍ର ୩୩ଟି ବଲ୍‌ର ସମ୍ମୁଖୀନ ହୋଇ ୬ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୬୪ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ଏଥିସହ ସେ ଚତୁର୍ଥ ୱିକେଟ୍‌ରେ ଜର୍ଜ ଡକରଲେ୍ (୪³)ଙ୍କ ସହ ଅବିଭାଜିତ ୨୬ ରନ୍‌ର ଭାଗୀଦାରୀ ମଧ୍ୟ କରିଥିଲେ । ୧୨ ଓଭର୍ ଶେଷ ସୁଦ୍ଧା ଆୟର୍ଲାଣ୍ଡ୍ ୪ ୱିକେଟ୍ ବିନିମୟରେ ୧୦୮ ରନ୍ କରିଥିବା ବେଳେ ଭାରତ ପାଇଁ ଚତୁର୍ଥ ୱିକେଟ୍‌ଟି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ରିଷ୍ଟ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ନେଇଥିଲେ ।
ଓପନର ଋତୁରାଜ ଗାଏକ୍ୱାଡ୍ ସାମାନ୍ୟ ଆହତ ଥିବାରୁ ତାଙ୍କ ସ୍ଥାନରେ ନିୟମିତ ଓପନର ଈଶାନ୍ କିଶନ୍‌ଙ୍କ ସାଥୀରେ ହୁଡ୍ଡା ଇନିଂସ ଆରମ୍ଭ କରିଥିଲେ । କିଶନ୍ ତାଙ୍କ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ମାତ୍ର ୧୧ଟି ବଲ୍‌ରେ ୨୬ ରନ୍ ସଂଗ୍ରହ କରିଥିଲେ ।

ଏଥିରେ ତାଙ୍କର ୩ଟି ଚୌକା ଓ ୨ଟି ଛକା ରହିଥିଲା । ସେ ଆଉଟ୍ ହେବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ଗୋଟିଏ ବଲ୍ ହିଁ ଖେଳିପାରିଥିଲେ । ଯାଦବ ବିନା ରନ୍‌ରେ ପ୍ୟାଭିଲିୟନ୍ ଫେରିବା ପରେ ଅଧିନାୟକ ହାର୍ଦ୍ଦିକ ପିଚ୍‌ରେ ହୁଡ୍ଡାଙ୍କ ସହ ଯୋଗଦେଇଥିଲେ । ଉଭୟ ମାତ୍ର ୩୧ଟି ବଲ୍‌ର ସମ୍ମୁଖୀନ ହୋଇ ତୃତୀୟ ୱିକେଟ୍‌ରେ ୬୪ ରନ୍‌ର ଭାଗୀଦାରୀ କରିବା ଫଳରେ ଆୟର୍ଲାଣ୍ଡ୍ ସିରିଜ୍‌ରେ ପଛୁଆ ହେବା ନିଶ୍ଚିତ ହୋଇଥିଲା । ହାର୍ଦ୍ଦିକ ୧୨ଟି ବଲ୍‌ରେ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୨୪ ରନ୍ କରି ଆଉଟ୍ ହୋଇଥିଲେ ହେଁ ହୁଡ୍ଡା ଇନିଂସ ମୁଣ୍ଡି ମାରିଥିଲେ । ସେ ଦୀନେଶ କାର୍ତ୍ତିକଙ୍କ ସହ ଚତୁର୍ଥ ୱିକେଟ୍‌ରେ ଅବିଭାଜିତ ୧୭ ରନ୍ ଯୋଡ଼ିବା ସହ ବ୍ୟକ୍ତିଗତ ଭାବେ ୨୯ଟି ବଲ୍ ଖେଳି ୪୭ ରନ୍‌ରେ ଅପରାଜିତ ଥିଲେ ।

ତାଙ୍କର ଏହି ପ୍ରଭାବୀ ଇନିଂସରେ ୬ଟି ଚୌକା ଓ ୨ଟି ଛକା ରହିଥିଲା । ଭାରତ ୯.୨ ଓଭର୍‌ରେ ୧୧୧ ରନ୍ କରି ବିଜୟ ହୋଇଥିବା ବେଳେ କାର୍ତ୍ତିକ ଗୋଟିଏ ଚୌକା ସହ ୫ ରନ୍ କରି ଅପରାଜିତ ଥିଲେ । ଆୟର୍ଲାଣ୍ଡ୍ ପକ୍ଷରୁ କ୍ରେଗ୍ ୟଙ୍ଗ୍ ୨ଟି ଏବଂ ଜୋଶୁଆ ଲିଟଲ୍ ଗୋଟିଏ ୱିକେଟ୍ ନେଇଥିଲେ । ଏଥିସହ ଭାରତ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବେଳେ ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟି-୨୦ ମଙ୍ଗଳବାର ଖେଳାଯିବ । ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ଭ୍ରମଣକାରୀ ଦଳ କ୍ଲିନ୍‌ସୁଇପ୍ ମାଧ୍ୟମରେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍ ସକାଶେ ଉତ୍ତମ ପ୍ରସ୍ତୁତି ପାଇଁ ଉଦ୍ୟମ କରିବ । ଅନ୍ୟପକ୍ଷରେ ଘରୋଇ ଆୟର୍ଲାଣ୍ଡ୍ ଏହି ମ୍ୟାଚ୍‌କୁ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking