ଭୁବନେଶ୍ୱର : ବେସରକାରୀ ମେଡିକାଲ୍ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ନାଁରେ ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ରାକେଟର ପର୍ଦ୍ଧାଫାଶ କରିଛି କମିଶନରେଟ୍ ପୋଲିସ । ଘରୋଇ ମେଡିକାଲ୍ କଲେଜରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନାମ ଲେଖାଇବାପାଇଁ ଜନୈକା ଯୁବତୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଗତ ୫ ତାରିଖରେ ଇନ୍ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ପୋଲିସ ରାଜ୍ୟ ବାହାରୁ ଅର୍ଥାତ୍ କୋଲକାତା ଓ ବିହାରରୁ ଦୁଇ ଆନ୍ତଃରାଜ୍ୟ ଠକକୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ପଶ୍ଚିମବଙ୍ଗର ସୁଗତ ଚୌଧୁରୀ ଓରଫ୍ ଅମିତ୍ ବାର୍ନାଜୀ ଓରଫ୍ ସଞ୍ଜୟ ଚୌଧୁରୀ(୪୦) ଓ ବିହାରର ଅଭିମନ୍ୟୁ କୁମାର ସିଂହ ଓରଫ୍ ଡକ୍ଟର ବିକାଶ ରଞ୍ଜନ(୩୯) ।
ସେମାନଙ୍କ ଠାରୁ ପୋଲିସ ନଗଦ ୧୦ ଲକ୍ଷ ୨୯ ହଜାର ୫୦୦ଟଙ୍କା, ନଅଟି ଫୋନ୍ ଓ ଦୁଇଟି ଲ୍ୟାପଟପ୍ ଜବତ କରିଛି । ଅଭିଯୁକ୍ତଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ପାଇଁ ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିଛି । ଉଭୟଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ଠକେଇର ଚେର କର୍ଣ୍ଣାଟକ, ମହାରାଷ୍ଟ୍ର ଠାରୁ ଆରମ୍ଭ କରି ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ।
ପୋଲିସ ସୂଚନାନୁସାରେ, ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଏକ ଘରାଇ ମେଡିକାଲ୍ କଲେଜରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନାମ ଲେଖାଇବାପାଇଁ ପଶ୍ଚିମବଙ୍ଗ ସିଲିଗୁଡିରୁ ପଲ୍ଳଭୀ ଶାହା ନାମକ ଜଣେ ଯୁବତୀ ୨୦୨୧ ଅକ୍ଟୋବର ୧୦ ତାରିଖରେ ଉକ୍ତ କଲେଜକୁ ଆସିଥିଲେ । ସେଠାରେ ଅଭିଯୁକ୍ତ ସୁଗତ ନିଜକୁ ଅମିତ୍ ବାର୍ନାଜୀର ପରିଚୟ ଦେବା ସହ କଲେଜର ଚାକିରି କରିଥିବା କହିଥିବା ବେଳେ ଅଭିମନ୍ୟୁ ନିଜକୁ ଡକ୍ଟରର ପରିଚୟ ଦେଇ ପଲ୍ଳଭୀଙ୍କ ସହ କଥା ହୋଇଥିଲେ । ପରେ ସେମାନେ ପଲ୍ଲଭୀଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନାମ ଲେଖାଇଦେବେ ବୋଲି କହିବାସହ ୨୦୨୧ ଅକ୍ଟୋବରରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପାଞ୍ଚୋଟି ପର୍ଯ୍ୟାୟରେ ୩୨ ଲକ୍ଷ ଟଙ୍କା ନେଇଥିଲେ ଏବଂ କହିଥିଲେ ମେ’ ମାସରେ ନାମଲେଖା କରିବାପାଇଁ । ପଲ୍ଲଭୀ ମେ’୫ରେ ଆସି ନାମ ଲେଖାଇବାକୁ ଯିବାବେଳେ କଲେଜ ପକ୍ଷରୁ ତାଙ୍କୁ ମନା କରାଯିବାପରେ ସେ ଠକେଇର ଶୀକାର ହୋଇଥିବା ଜାଣିପାରି ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ଏକ ବିଶେଷ ସୂତ୍ରକୁ ଆଧାର କରି ପୋଲିସର ଏକ ଟିମ୍ ଗତ ୧୬ ତାରିଖରେ ରାଜ୍ର ବାହାରକୁ ଯାଇ କୋଲକତାସ୍ଥିତ ଅଭିଯୁକ୍ତଙ୍କ ଘର ଉପରେ ଚଢଉ କରି ମୁଖ୍ୟ ଅଭିଯୁକ୍ତ ସୁଗତ ଚୌଧୁରୀ ଓରଫ୍ ଅମିତ ବାନାର୍ଜୀଙ୍କୁ ଗିରଫ କରିବା ସହିତ ୧୭ ତାରିଖରେ କୋର୍ଟ ଚାଲାଣ କରିଥିଲେ । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଅଭିମନ୍ୟୁ କୁମାର ସିଂହ ଓରଫ ଡାକ୍ତର ବିକାଶ ରଞ୍ଜନଙ୍କୁ ୧୮ ତାରିଖରେ ବିହାରର ଦାନପୁର ରେଲୱେ ଷ୍ଟେସନରୁ ଗିରଫ କରି ଦୁଇ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିବା ସହିତ ଆଜି କୋର୍ଟ ଚାଲାଣ କରାଯାଇଛି । ପୋଲିସ ସେମାନଙ୍କଠାରୁ ଟଙ୍କା, ଫୋନ୍ ଓ ଲ୍ୟାପଟପ୍ ଜବତ କରିଛି ।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଅଭିଯୁକ୍ତ ଦୁହିଁଙ୍କ ଏହି ଠକେଇ ଜନିତ ନେଟୱାକ୍ର୍ ଓଡିଶାରୁ ଆରମ୍ଭ କରି କର୍ଣ୍ଣାଟକ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ୱିଛି । ସେମାନେ ଦୀର୍ଘ ୧୦ ବର୍ଷ ହେଲା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ମେଡିକାଲ୍ କଲେଜରେ ଏଭଳି ଠକେଇ କରିଚାଲିଥିଲେ । ସେମାନେ ନିଜ ନାମକୁ ବଦଳାଇ ଜାଲ ପରିଚୟ ପତ୍ର ତିଆରି କରି ବିଭନ୍ନ ରାଜ୍ୟ ମଧ୍ୟ ବୁଲୁଥିଲେ । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ନେଇ ତଦନ୍ତ ଚାଲିଥିବାବେଳେ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଦ୍ୱୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବାପାଇଁ କୋର୍ଟରେ ଆବେଦନ କରାଯାଇଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।