30.1 C
Bhubaneswar
Wednesday, May 1, 2024
Homeଓଡିଶାଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର: ୨୦୨୨-୨୩ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ ପରୀକ୍ଷା ଗତ ୧୧ରୁ ଆରମ୍ଭ ହୋଇଛି । ଦୀର୍ଘ ୨ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ଚଳିତବର୍ଷ ପରୀକ୍ଷା ଆରମ୍ଭ ହେବାରେ ବିଳମ୍ବ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଆସନ୍ତା ୨୨ରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ କିଛି କାରଣ ବଶତଃ ଖାତାଦେଖା ମେ’ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା ଲାଗି ପ୍ରାୟ ୨୪ରୁ ୨୬ଦିନ ଲାଗିବ । ପରେ ଅନାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି +୨ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଏଥର ବିଜ୍ଞାନ ଏବଂ ବାଣିଜ୍ୟର ସମସ୍ତ ଉତ୍ତରଖାତା ଇ-ମୂଲ୍ୟାଙ୍କନ ପଦ୍ଧତିରେ କରାଯିବ । ୪ଟି ଜୋନ୍ ଯଥା- ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲଜୋନରେ ୩୭ଟି ଇ-ମୂଲ୍ୟାଙ୍କନ କେନ୍ଦ୍ରର ବ୍ୟବସ୍ଥା ହୋଇଛି ।

ସେହିପରି କଳା ଏବଂ ଧନ୍ଦାମୂଳକଶିକ୍ଷାର ମୂଲ୍ୟାଙ୍କନ ୬୪ଟି କେନ୍ଦ୍ରରେ କରାଯିବ । ମୂଲ୍ୟାଙ୍କନ ଲାଗି ୧୦ହଜାର ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବ । ଅଫ୍‌ଲାଇନ୍ କେନ୍ଦ୍ରରେ ଖାତାଦେଖା ଲାଗି ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧ୍ୟାପକ ରହିବେ । ସେମାନଙ୍କ ମଧ୍ୟରୁ ୨ଜଣ ଖାତାଦେଖିବେ ଏବଂ ଜଣେ ପୁନଃଯାଞ୍ଚ କରିବେ । ମୂଲ୍ୟାଙ୍କନରେ ସ୍ୱଚ୍ଛତା ଏବଂ ନିର୍ଭିଲ କରିବା ଲାଗି ଅଧିକ ଗୁରୁତ୍ୱ ଦିଆଯିବ ବୋଲି +୨ ପରିଷଦ ନିର୍ଦ୍ଦେଶ ଦେଇଛି । ସେହିପରି ରସାୟନ ବିଜ୍ଞାନରେ ସିଲାବସ ବାହାରୁ ପ୍ରଶ୍ନ ଆସିବା ନେଇ ଗ୍ରେସମାର୍କ ପ୍ରସଙ୍ଗରେ ମଧ୍ୟ ପରିଷଦ ପକ୍ଷରୁ ଯାଞ୍ଚ କରାଯାଇଛି । ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ଜଟିଳ ରହିଛି । ତେବେ ଆଉଟ ଅଫ୍ ସିଲାବସ୍‌ରୁ କୌଣସି ପ୍ରଶ୍ନ ଆସିନଥିବା +୨ ପରିଷଦ ପକ୍ଷରୁ କୁହାଯାଇଛି । ମୂଲ୍ୟାଙ୍କନ ସମୟରେ ଏକ୍ସପର୍ଟଙ୍କ ନିଷ୍ପତ୍ତି ଅନୁସାରେ ଗ୍ରେସମାର୍କ ଦିଆଯିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ ।

ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷକେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ ହଜାର ୭୭ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । ଅପରପକ୍ଷେ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯିବ । ପ୍ରଥମଟି ହେଲା- କଲେଜ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ୨୦% ୱେଟେଜ୍ ଦିଆଯିବ ।

ଏଥିପାଇଁ ତିନିଟି ଇଣ୍ଟରନାଲ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ । ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦ ପ୍ରତିଶତ ୱେଟେଜ୍ ଦିଆଯିବ । ଏପରି ଉଭୟ ଇଣ୍ଟରନାଲ୍ ପରୀକ୍ଷା ଏବଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ୱେଟେଜ୍ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ । ଦ୍ୱିତୀୟଟି ହେଲା- କେବଳ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୧୦୦ ପ୍ରତିଶତ ୱେଟେଜ୍ ଦିଆଯିବ । ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଚଳିତବର୍ଷ ଇ-ମୂଲ୍ୟାଙ୍କନ ପ୍ରକ୍ରିୟା ଦାୟିତ୍ୱ ମେରିଟ୍ ଟ୍ରାକକୁ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking