ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାରେ ୨୦୦୪ ମସିହାରେ ଏସିଆର ସର୍ବ ବୃହତ ପୋଲାଭରମ୍ ଜଳ ପ୍ରକଳ୍ପ ଆରମ୍ଭ କରିଥିଲେ । ସେତେବେଳ ତତକାଳୀନ କେନ୍ଦ୍ର ସରକାର ଏହାକୁ ଅନୁମୋଦନ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ୍ ଉତ୍ପାଦନ କରାଯାଇ ବଡ ବଡ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇ ଜଳସେଚନ ପାଇଁ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । କିନ୍ତୁ ପ୍ରକଳ୍ପର ଉଚ୍ଚତା ଆନ୍ଧ୍ର ସରକାର ପ୍ରକଳ୍ପର ଜଳ ଧାରଣ ଉଚ୍ଚତା ବୃଦ୍ଧି କରିବା ଦ୍ୱାରା ଜଳ ଭଣ୍ଡାରର ଜଳ ଆନ୍ଧ୍ର , ଓଡିଶା , ଛତିଶଗଡ ଏବଂ ତେଲେଙ୍ଗାନା ରାଜ୍ୟର ଅନେକ ଅଂଚଳ ଜଳ ମଗ୍ନ ହେବା ସହ ହଜାର ହଜାର ବାସିନ୍ଦା ସେମାନଙ୍କ ଜମି ,ଭିଟାମାଟି ହରାଇବେ । ଏଥିସହ ସହ ଅନେକ ଜଙ୍ଗଲ ନଷ୍ଟ ହେବ । ବିଶେଷ କରି ମାଲକାନଗିରି ଜିଲ୍ଲା ବହୁଳ ପରିମାଣରେ କ୍ଷତି ଗ୍ରସ୍ତ ହେବା ସହ ମାଲକାନଗିରି ଜିଲ୍ଲା ମାନଚିତ୍ରରୁ ଲୋପ ପାଇବ ବୋଲି ପିପୁଲ୍ସ ଏଗେଷ୍ଟ ପୋଲାଭରମ୍ ପ୍ରକଳ୍ପର ସଭାପତି ପ୍ରଭାକର ହନ୍ତାଳ ଅଭିଯୋଗ କରିଛନ୍ତି ।
ଆଜି ଜିଲ୍ଲାର ମୋଟୁସ୍ଥିତ ବାତ୍ୟା ଆଶ୍ରୟ ସ୍ତଳୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ଗତ ୧୯୮୬ ଓ ୨୦୦୬ ମସିହାରେ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ସୀମାନ୍ତ ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍କାସନ ହୋଇନପାରି ମାଲକାନଗିରି ଜିଲ୍ଲାର ମାଥିଲି , କୋରୁକୋଣ୍ଡା , କାଲିମେଳା ଏବଂ ପଡିଆ ବ୍ଲକର ୧୩୦ ଟି ଗ୍ରାମ ଜଳ ମଗ୍ନ ହୋଇଥିଲା । ବର୍ତମାନ ପୋଲାଭରମ୍ ଡ୍ୟାମ୍ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହି ଡ୍ୟାମ୍ର ଜଳ ଧାରଣ କ୍ଷମତା ବୃଦ୍ଧି ଯୋଗୁଁ ମାଲକାନଗିରି ଜିଲ୍ଲାରେ ୪ ଟି ପଂଚାୟତରେ ଥିବା ୨୦ ଟି ଗ୍ରାମ ଯଥା ମୋଟୁ , ବାରିବାଂଛା , ବିନାୟକପୁର , ଆଲ୍ମା , ମୁରଲୀଗୁଡା , ରେଡିପଲ୍ , କତାଗୁଡା , ପିନାମାଦୁଗୁର , କମାଲାପୁରା , ମକାନାପାଲ୍ଲି , ଘର୍ଷାପାଲି , କୁର୍ଶନପାଲ୍ଲି , ନେଲ୍କୁଟା , ପେଟା , ଲଛିପୁରମ୍ , ଲଖନଗୁଡା , ଟେଟ୍ରାଇ , ଚିତମ୍ପେଂଟା , ଜେନେଲ୍ଗୁଡା , କଟମପାଲି , କାନ୍ଦରଗୁଡା ଗ୍ରାମ ଜଳ ମଗ୍ନ ହେବ । ଏଥିସହ ସମସ୍ତ ଜଙ୍ଗଲ , ଜମି , ଭିଟାମାଟି ଲୋପ ପାଇବ ବୋଲି ମୋଟୁ ସରପଂଚ ସୋଡି ପଦା , ପୁଷୁଗୁଡା ସରପଂଚ ରେବା ରାମା , ମାଲାଭରମ ପଂଚାୟତ ଉଇକୋ କିଟୋ , ତଣ୍ଡାବାଇ ପଂଚାୟତର ଲାଡି ମାଡକାମି ପ୍ରକାଶ କରିଛନ୍ତି ।
ବର୍ତମାନ ପୋଲାଭରମ୍ର ମାଟି ବନ୍ଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏହି ମାଟି ବନ୍ଧ ପ୍ରକଳ୍ପ ଶେଷ ହେଲେ ଡ୍ୟାମ୍ର ପଛୁଆ ପାଣି ମାଲକାନଗିରି ଜିଲ୍ଲାକୁ ବୁଡାଇ ଦେବ ବୋଲି ସଂଗଠନ ଆଶଙ୍କା ପ୍ରକାଶ କରିଛି । ରାଜ୍ୟ ସରକାର ଏଥିନେଇ ସୁପ୍ରିମ୍ କୋର୍ଟରେ ମାମଲା ରୁଜୁ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ମାମଲା ଚୁଡାନ୍ତ ହୋଇପାରୁନାହିଁ । ପୋଲାଭରମ୍ ପ୍ରକଳ୍ପ ଜଳସେଚନ ଉଦ୍ଦେଶ୍ୟରେ ଆନ୍ଧ୍ର ସରକାର ନିର୍ମାଣ କରୁଥିବା ପ୍ରକାଶ କରୁଥିବା ବେଳେ କେବଳ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ଆନ୍ଧ୍ର ସରକାର ଏପରି ଚକ୍ରାନ୍ତ କରି ଥିବା ପୋଲାଭରମ୍ ପ୍ରକଳ୍ପ ବିରୋଧି ମଂଚ ଅଭିଯୋଗ କରିଛି ।
ଏହି ପ୍ରକଳ୍ପ ପାଇଁ ତତପାଳୀନ ୟୂପି.ଏ ସରକାରଙ୍କ ସହ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ଦାୟୀ କରିଛନ୍ତି । ଯଦି ଆନ୍ଧ୍ର ସରକାର ପୋଲାଭରମ୍ ମାଟି ବନ୍ଧ ପ୍ରକଳ୍ପ ବନ୍ଦ ନ କରେ, ତେବେ ୪ ଟି ରାଜ୍ୟର ବିସ୍ତାପିତ ହେବାକୁ ଥିବା ସ୍ଥାନୀୟ ବାସିନ୍ଦାମାନଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଂଚର ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ସୁନାମ ଭେଙ୍କେଟ ରାବଣା, ମଂଚର ଓଡ଼ିଶା ଉପ ସଭାପତି ଦାରୀ ଲିଙ୍ଗା, ଛତିଶଗଡ଼ର ସାଙ୍ଗଠନିକ ସମ୍ପାଦକ ପି.ବିଜୟ , ଓଡ଼ିଶା ଯୁଗ୍ମ ସମ୍ପାଦକ ଏ.ଡି.ଦେବ ଦାନମ, କାର୍ଯ୍ୟକାରୀ ସଦସ୍ୟ ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗ ଦେଇଥିଲେ ।