ନୂଆଦିଲ୍ଲୀ: କୋଭିଡ୍ ଯୋଗୁଁ କେନ୍ଦ୍ର ସରକାର ଚଳିତବର୍ଷର ସିବିଏସ୍ଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଚୂଡାନ୍ତ ମାର୍କ ପ୍ରଦାନ ନିମନ୍ତେ ସିବିଏସ୍ଇ ଏକ ଫର୍ମୂଲା ପ୍ରସ୍ତୁତ କରିଥିବାବେଳେ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । ତେବେ ପରୀକ୍ଷା ଫି ବାବଦରେ ଛାତ୍ରଛାତ୍ରୀଙ୍କଠାରୁ ନିଆଯାଇଥିବା ଅର୍ଥ ଫେରାଯିବ କି ନାହିଁ, ସେ ସମ୍ପର୍କରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଜଣାଇବାକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ପରୀକ୍ଷା ଫି’କୁ ନେଇ ଦୀପା ଜୋଶେଫ ନାମ୍ନୀ ଜଣେ ଅଭିଭାବକ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି । ୧୦ମ ଶ୍ରେଣୀରେ ପଢୁଥିବା ଝିଅର ପରୀକ୍ଷା ଫିସ୍ ବାବଦରେ ସେ ୨୧୦୦ ଟଙ୍କା ଦାଖଲ କରିଥିଲେ । ବର୍ତ୍ତମାନ ପରୀକ୍ଷା ବାତିଲ ହୋଇଥିବାରୁ ସିବିଏସ୍ଇ ଏହି ଟଙ୍କା ଫେରାଇବାକୁ ସେ ଦାବି କରିଛନ୍ତି । ତେବେ ବିଚାରପତି ଜଷ୍ଟିସ ପ୍ରତୀକ ଜଲାନ ବୁଧବାର ମାମଲାର ଶୁଣାଣି କରି ପିଟିସନକୁ ଖାରଜ କରିଥିବାବେଳେ ୮ ସପ୍ତାହ ମଧ୍ୟରେ ସିବିଏସ୍ଇ କର୍ତ୍ତୃପକ୍ଷଙ୍କ ମତାମତ ଲୋଡିଛନ୍ତି ।