30.1 C
Bhubaneswar
Wednesday, May 1, 2024
Homeଓଡିଶାପ୍ରଥମ ପତ୍ନୀଙ୍କୁ ଅଲୋଡ଼ା କହି ଜଙ୍ଗଲରେ ଛାଡ଼ିଲେ ସ୍ୱାମୀ

ପ୍ରଥମ ପତ୍ନୀଙ୍କୁ ଅଲୋଡ଼ା କହି ଜଙ୍ଗଲରେ ଛାଡ଼ିଲେ ସ୍ୱାମୀ

ବୌଦ୍ଧ : ସମାଜରେ କନ୍ୟା ସନ୍ତାନ ସଂରକ୍ଷଣ ଓ ସୁରକ୍ଷା ନେଇ ଅନେକ ଆଇନ କାର୍ଯ୍ୟକାରୀ ହୋଇଥିବାବେଳେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବନପାଲି ଗ୍ରାମରେ ଏକ ଘଟଣା ସମାଜରେ ପୁଅ ଓ ଝିଅ ଜନ୍ମକୁ ନେଇ ରହିଥିବା କୁସଂସ୍କାର ପଦାରେ ପକାଇଛି । ସୂଚନା ଅନୁଯାୟୀ, ବନପାଲି ଗ୍ରାମର ଦୀନବନ୍ଧୁ ମେହେରଙ୍କ ପୁଅ ଦୁର୍ଯ୍ୟୋଧନ ମେହେର ୧୬ ବର୍ଷ ତଳେ କୁଳାଚାର ମତେ ମନମୁଣ୍ଡା ଥାନା ବଡ଼ଡୁଙ୍ଗରିପାଲି ଗ୍ରାମର ଉଦେ ମେହେରଙ୍କ ଝିଅ ମଦନା ମେହେରଙ୍କୁ ବିବାହ କରିଥିଲେ । ବିବାହ ପରେ ମଦନାଙ୍କ ଦୁଇଟି କନ୍ୟା ସନ୍ତାନ ଜନ୍ମ ହେବାପରେ ପୁତ୍ର ସନ୍ତାନ ନହେବାରୁ ସ୍ୱାମୀ ତାଙ୍କୁ ସବୁବେଳେ ନିର୍ଯାତନା ହେଉଥିଲେ ।

ଝିଅମାନଙ୍କ ଭବିଷ୍ୟତକୁ ଦେଖି ମଦନା ସ୍ୱାମୀଙ୍କ ସମସ୍ତ ଅତ୍ୟାଚାରକୁ ନିରବରେ ସହି ଚାଲିଥିଲେ । ଗତ ୫ବର୍ଷ ତଳେ ଦୁର୍ଯ୍ୟୋଧନ ପୁଅ ପାଇଁ ଦ୍ୱିତୀୟ ପତ୍ନୀ ଗ୍ରହଣ ପାଇଁ ମଦନାଙ୍କୁ କହିବାରୁ ସେ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ଦୁର୍ଯ୍ୟୋଧନ ପତ୍ନୀଙ୍କ ପ୍ରତିବାଦକୁ ଖାତିର ନ କରି ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ ।

ଦ୍ୱିତୀୟ ପତ୍ନୀଙ୍କ ଆଡୁ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହେବାରୁ ଦୁର୍ଯ୍ୟୋଧନ ପ୍ରଥମ ପତ୍ନୀ ମଦନାଙ୍କୁ ଅଧିକ ଅବହେଳା କରିବା ସହିତ ଠିକ୍‌ରେ ଖାଇବାକୁ ଦେଇନଥିଲେ । ଦୁଇ ଝିଅଙ୍କୁ ମା’ ସହ କଥା ନ ହେବାକୁ ଧମକଚମକ ଦେଇଥିଲେ । ପିତା ଦିନ ମଜୁରୀ କରି ଚଳୁଥିବାରୁ ସବୁ ଅତ୍ୟାଚାରକୁ ସହି ମଦନା ସ୍ୱାମୀ ଘରେ ପଡ଼ିରହିଥିଲେ । ଦୁର୍ଯ୍ୟୋଧନ ଦୁଇ ଦିନ ତଳେ ପ୍ରଥମ ପତ୍ନୀ ମଦନାଙ୍କୁ ତାଙ୍କ ପିତା ଘରକୁ ବୁଲାଇନେବାକୁ କହି ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ବାହାରିଥିଲେ । କିନ୍ତୁ ଶ୍ୱଶୁରଘର ବଡଡୁଙ୍ଗୁରିପାଲି ନିକଟସ୍ଥ ଜଙ୍ଗଲରେ ମଦନାଙ୍କୁ ଛାଡି ଦୁଇଝିଅଙ୍କୁ ସାଙ୍ଗରେ ନେଇ ଦୁର୍ଯ୍ୟୋଧନ ଘରକୁ ଫେରିଆସିଥିଲେ ଏବଂ ପୁନର୍ବାର ବନପାଲି ଫେରିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ମଦନା ଦୁଇଝିଅଙ୍କୁ ଦେଖି  ସ୍ୱାମୀଙ୍କ ଘରେ ଜୀବନର ଶେଷ ସମୟ କାଟିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳିନଥିଲା ।

ଦ୍ୱିତୀୟ ପତ୍ନୀ ଓ ପୁଅ ପାଇବା ପରେ ତାଙ୍କ ଉପରେ ନିର୍ଯାତନା ବଢ଼ିବା ସହିତ ତାଙ୍କର ଦୁଇଝିଅଙ୍କ ଭବିଷ୍ୟତକୁ ନେଇ ଆଶଙ୍କାରେ ଥିବା ମଦନା ଶେଷରେ ସ୍ୱାମୀଙ୍କ ବିରୋଧରେ ବାଉଁଶୁଣୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ଦୁର୍ଯ୍ୟୋଧନକୁ ଡକାଯାଇ ବୁଝାଶୁଝା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ମଦନାଙ୍କୁ ସାଙ୍ଗରେ ନେବାକୁ ମନା କରିଦେଇଥିଲେ ଏବଂ ସେଥିପାଇଁ ସେ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଥିଲେ । ମଦନାଙ୍କୁ ଅଭିଯୋଗକୁ ଭିତ୍ତିକରି ପୁଲିସ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମଦନାଙ୍କୁ ତାଙ୍କ ପିତାଙ୍କ ଜିମାରେ ଛାଡିଦିଆଯାଇଥିବା ପୁଲିସ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking