ଦଶରଥପୁର : ମେଡିକାଲ ଶଯ୍ୟାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ ଅନ୍ତର୍ଗତ ମୁରାରୀପୁର ଗ୍ରାମର ଗଗନ ଜେନାଙ୍କ ପୁଅ ରାଜେଶ ଜେନା (୨୩) । କିଡନୀ ଫେଲ୍ ହେବାରୁ କଟକ ମେଡିକାଲରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ଆବଶ୍ୟକ ଅର୍ଥ ଅଭାବରୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ । ବାପା ଗଗନ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଘର ଚଳାଉଥିବାବେଳେ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ନାହିଁ । ରାଜେଶ ବଡ଼ ପୁଅ ହୋଇଥିବାବେଳେ ଝିନ ସାନ । ମଜୁରୀ ଲାଗି ୪ ପ୍ରାଣୀ ଚଳିବା କଷ୍ଟସାଧ୍ୟ । କଟକ, ଦିଲ୍ଲୀ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସା କରି ସର୍ବସ୍ୱାନ୍ତ ହୋଇସାରିଲେଣି ଗଗନ । ମେଡିକାଲ ଯିବା ଆସିବା କାରଣରୁ ମଜୁରୀ ମଧ୍ୟ ଲାଗିପାରୁନାହାନ୍ତି ସେ । ଏହାକୁ ଦୃଷ୍ଟିରେ ରଖି ଗାଁ ଲୋକେ କିଛି ଚାନ୍ଦା ଆଦାୟ କରି ଚିକିତ୍ସା ପାଇଁ ହାତ ବଢାଇଥିଲେ ହେଁ ତାହା ଯଥେଷ୍ଟ ନୁହେଁ । ଏଣୁ ଜିଲ୍ଲାପ୍ରଶାସନ ଏବଂ କୌଣସି ସହୃଦୟର ବ୍ୟକ୍ତି ରାଜେଶଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।