30.1 C
Bhubaneswar
Wednesday, May 1, 2024
HomeUncategorizedଆଇଆଇଏମସିରେ ଓଡି଼ଆ ସାମ୍ବାଦିକତା ନାମଲେଖା ବିଜ୍ଞାପନ ପ୍ରକାଶିତ

ଆଇଆଇଏମସିରେ ଓଡି଼ଆ ସାମ୍ବାଦିକତା ନାମଲେଖା ବିଜ୍ଞାପନ ପ୍ରକାଶିତ

ଢେଙ୍କାନାଳ:: ଢେଙ୍କାନାଳଠାରେ ଥିବା ଜାତୀୟ ସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଓଡି଼ଆ ସାମ୍ବାଦିକତାରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ଛାତ୍ରଛାତ୍ରୀମାନେ ଚଳିତ ଜୁଲାଇ ମାସ ୨୭ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ । ଆସନ୍ତା ମାସ ଅଗଷ୍ଟ ୪ତାରିଖରେ ଓଡି଼ଆ ସାମ୍ବାଦିକତା ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ଓଡି଼ଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର । ଯେଉଁମାନେ ଚଳିତ ବର୍ଷ ସ୍ନାତକ ଶ୍ରେଣୀ ପରୀକ୍ଷା ଦେଇଛନ୍ତି, ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡି଼ବ । ଓଡି଼ଆ ପାଠ୍ୟକ୍ରମ ନିମନ୍ତେ ଆବେଦନର ବୟସ ସୀମା ସର୍ବାଧିକ ୨୫ ବର୍ଷ ହୋଇଥିବା ବେଳେ ସଂରକ୍ଷିତ ବର୍ଗଙ୍କ ନିମନ୍ତେ ସରକାରୀ ନିୟମ ଅନୁସାରେ ବୟସ କୋହଳ କରାଯାଇଛି । ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳରେ ଓଡି଼ଆ ସାମ୍ବାଦିକତା ପାଠ୍ୟକ୍ରମରେ ସମୁଦାୟ ୨୫ଟି ସିଟ୍‍ ରହିଛି । ନାମଲେଖା ସଂପର୍କରେ ଅଧିକ ଜାଣିବାକୁ ଛାତ୍ରଛାତ୍ରୀମାନେ www.iimc.gov.in ଦେଖିପାରିବେ।
ଜାତୀୟ ସ୍ତରରେ ଭାଷା ସାମ୍ବାଦିକତା ଆରମ୍ଭ କରିବାରେ ଆଇଆଇଏମସି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସ୍ୱୟଂଶାସିତ ଅନୁଷ୍ଠାନ ୨୦୦୧-୦୨ ମସିହାରେ ଓଡ଼ିଆ ଭାଷାରେ ସାମ୍ବାଦିକତା ଶିକ୍ଷା ପ୍ରଦାନ ଆରମ୍ଭ କରିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ଜାତୀୟ ସ୍ତରରେ ସବୁଠାରୁ ସଫଳ ଭାଷା ସାମ୍ବାଦିକତା ଶିକ୍ଷା ଭାବେ ବିବେଚିତ ହୋଇଛି । ଆଇଆଇଏମସିରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଗଣମାଧ୍ୟମ, ପ୍ରତିଷ୍ଠାନ, ସରକାରୀ ପଦବୀ ଓ କମ୍ପାନୀ ମାନଙ୍କରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking