27.1 C
Bhubaneswar
Tuesday, May 7, 2024
Homeଓଡିଶାଦୀର୍ଘ ୧୮ ମାସ ପରେ ଆଜିଠୁ ଆରମ୍ଭ ଅଷ୍ଟମ ଶ୍ରେଣୀ ପାଠପଢ଼ା

ଦୀର୍ଘ ୧୮ ମାସ ପରେ ଆଜିଠୁ ଆରମ୍ଭ ଅଷ୍ଟମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ବର: ୧୮ ମାସ ପରେ ଆଜିଠୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ସ୍କୁଲ ଖୋଲିବା ପୂର୍ବରୁ ଗତ ୮ ଦିନ ହେଲା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତି(ଏସ୍‌ଏମ୍‌ସି)ର ବୈଠକ ବସି ଅଷ୍ଟମ ଶ୍ରେଣୀର ପିଲାମାନଙ୍କର ପାଠପଢ଼ା ସମ୍ପର୍କିତ ଆଲୋଚନା କରାଯାଇଛି। ଇତିମଧ୍ୟରେ ସ୍କୁଲଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ସହ ବିଶୋ‌ଧନ କରାଯାଇଛି।

ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ଯଥା ଅକ୍ଟୋବର ୨୫ ଓ ୨୬ରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍‌ ସମୟରେ କିପରି ବିତାଇଲ ତା’ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଏହି ଦୁଇଦିନ କୌଣସି ପାଠପଢ଼ା ହେବ ନାହିଁ। ପିଲାମାନେ ମୁକ୍ତ ଭାବେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା, ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ଆଲୋଚନା ଇତ୍ୟାଦି କାର୍ଯ୍ୟକ୍ରମ କରିବେ। ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ ଚେଷ୍ଟା କରିବେ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ୭ମ ଶ୍ରେଣୀରେ କିଛି ପଢ଼ିନାହାନ୍ତି। ଷଷ୍ଠ ଶ୍ରେଣୀର ପାଠ ଉପରେ ସେମାନଙ୍କର କିଛି ଧାରଣା ରହିଛି। ତେଣୁ ସବୁ ପିଲାଙ୍କ ଶିକ୍ଷଣସ୍ତରର ଏକ ଆକଳନ କରାଯିବ।

୨୭ ତାରିଖରେ ଓଡ଼ିଆ, ୨୮ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ। ଏହାର ସମୟସୀମା ମାତ୍ର ୧ଘଣ୍ଟା ରହିବ। ପ୍ରଶ୍ନପତ୍ର ଓସେପା ଓ ଏସ୍‌ସିଇଆରଟି ପକ୍ଷରୁ ଯୋଗାଇ ଦିଆଯିବ। ପ୍ରଧାନ ଶିକ୍ଷକମାନେ ପ୍ରଶ୍ନପତ୍ରକୁ ଜେରକ୍ସ କରି ସବୁ ଛାତ୍ରଛାତ୍ରୀମାନଙ୍କୁ ଦେବେ। ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ, ପ୍ରଧାନଶିକ୍ଷକ/ଶିକ୍ଷକ ସେମାନଙ୍କ ଘରକୁ ବା ଗାଁକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଫଳାଫଳ ଲିପିବଦ୍ଧ କରାଯାଇ ଏହାର ବିଶ୍ଳେଷଣ ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯିବ। ୧୮ ମାସ ପରେ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ ହେଉଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସପ୍ତମ ଶ୍ରେଣୀର ସହଜ ବିଷୟବସ୍ତୁ ପ୍ରଥମେ ପଢ଼ାଇବେ। ଯେଉଁ ବିଷୟଗୁଡ଼ିକ ଉଭୟ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ରହିଛି, ସେଗୁଡ଼ିକୁ ପ୍ରଥମେ ପଢ଼ାଇ ପିଲାଙ୍କ ମନରୁ ପାଠ ପ୍ରତି ଭୟ ଦୂର କରିବା ଉଚିତ୍। ବିଦ୍ୟାଳୟ ତ୍ୟାଗ କରିଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking