31.1 C
Bhubaneswar
Sunday, May 5, 2024
Homeଓଡିଶାଗାଡ଼ି ସାଇଡ୍‌ମରାରୁ ହଣାକଟା ଘଟଣା : ବୁବୁଗ୍ୟାଙ୍ଗ୍‌ର ୩ସଦସ୍ୟ ଗିରଫ

ଗାଡ଼ି ସାଇଡ୍‌ମରାରୁ ହଣାକଟା ଘଟଣା : ବୁବୁଗ୍ୟାଙ୍ଗ୍‌ର ୩ସଦସ୍ୟ ଗିରଫ

ଭୁବନେଶ୍ୱର:  ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ବୁବୁଗ୍ୟାଙ୍ଗ୍‌ର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏୟାରପୋର୍ଟ ଥାନା ଅଞ୍ଚଳର ଜିବିତେଶ ପାତ୍ର ଓରଫ ଟୁକୁନ(୨୪),  ନୟାପଲ୍ଲୀ ବେହେରାସାହିର ସୁମନ କୁମାର ପରିଡ଼ା ଓରଫ ସୁମନ(୨୬) ଓ ଖଣ୍ଡଗିରି ଡେଲ୍‌ଟା ଛକର ନରେନ୍ଦ୍ର କୁମାର ସାହୁ ଓରଫ ବବୁଲ(୨୦) । ଏମାନଙ୍କ ଠାରୁ ୨ଟି କାର୍‌, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ୍‌, ଗୋଟିଏ ନିନ୍‌ଞ୍ଜା ବାଇକ୍‌, ଗୋଟିଏ ଆପାଚି ବାଇକ୍‌, ଗୋଟିଏ କଳାପଲ୍ସର, ଗୋଟିଏ କଟୁରି ଓ ମାରଣାସ୍ତ୍ର ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ମାମଲାର ମୁଖ୍ୟଅଭିଯୁକ୍ତ ବୁବୁ ସମେତ ବାକି ୧୦ଜଣ ଫେରାର୍ ଅଛନ୍ତି ।

ସେମାନଙ୍କୁ ଧରିବା ପାଇଁ ପୁଲିସ ଟିମ୍ ଚେଷ୍ଟା ଚଳାଇଥିବା ନୟାପଲ୍ଲୀ ଥାନାଧିକାରୀ ଶରତ ସାହୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳର ଦେବୀପ୍ରସାଦ ଜେନା ଓରଫ ବୁବୁର ଏକ ଅପରାଧୀ ଗ୍ୟାଙ୍ଗ୍ ରହିଛି । ଏମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଧମକାଇବା ସହ ମାର୍‌ପିଟ କରନ୍ତି । ଗତ ୨୧ ତାରିଖ ସକାଳେ ବରମୁଣ୍ଡା ପାଇକନଗର ପ୍ଲଟ୍ ନଂ ୨୧୬/୫୯୪ରେ ରହୁଥିବା ବିନୟ ଆଚାର୍ଯ୍ୟ(୩୩) ଓ ବୁବୁ ଗ୍ୟାଙ୍ଗ୍‌ର ଜଣେ ଯୁବକଙ୍କ ମଧ୍ୟରେ ଗାଡ଼ି ସାଇଡ୍‌ମରାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ଉଭୟ ଯୁକ୍ତିତର୍କ କରିବା ସହ ଧସ୍ତାଧସ୍ତି ହୋଇଥିଲେ ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ବୁବୁ ଗ୍ୟାଙ୍ଗ୍‌ର ଯୁବକ ଜଣକ ବିନୟଙ୍କୁ ମାରିବାକୁ ଧମକ ଦେଇଥିଲା । ସେହିଦିନ ସନ୍ଧ୍ୟା ୭ଟାବେଳେ ବରମୁଣ୍ଡା ପୂଜା ପେଣ୍ଡାଲ୍ ନିକଟରେ ବିନୟ ଏବଂ ତାଙ୍କ ସାଙ୍ଗ ଆଶୁତୋଷ ବେହେରା ଛିଡ଼ା ହୋଇଥିଲେ । ଏତିକିବେଳେ ସେଠାରେ ବୁବୁ ତା’ର ଗ୍ୟାଙ୍ଗ୍ ସଦସ୍ୟ ଚେଙ୍ଗା, ଅମ୍ଲାନ୍‌, ଡୁଡୁଲୁ, ଚୋଚା, ସୁମନ, ପ୍ରଭୁ, ଟୁକୁନ, ଅମନ, ଲିପୁନ,ସନିଆ, ବବୁଲ, ସାହିଲଙ୍କୁ ନେଇ ସେଠାରେ ପହଞ୍ଚିଥିଲା । ସଙ୍ଗେସଙ୍ଗେ ପୂଜା ମଣ୍ଡପ ନିକଟରେ ଥିବା ଚେୟାର ଓ ଟେବୁଲକୁ ବୁବୁ ଗ୍ୟାଙ୍ଗ୍ ଭାଙ୍ଗିବା ଆରମ୍ଭ କରିଦେଇଥିଲେ ।
ଏହାଦେଖି ବିନୟ ଓ ତାଙ୍କ ସାଙ୍ଗ ଆଶୁତୋଷ ବିରୋଧ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ବୁବୁ ଏକ ପ୍ଲାଷ୍ଟିକ୍ ପାଇପ୍‌ରେ ବିନୟଙ୍କୁ ପିଟିଥିବାବେଳେ ଡୁଡୁଲୁ ଏକ ମୋଟରସାଇକେଲ୍ କ୍ରାଙ୍କ୍‌ରେ ନିର୍ମିତ ମାରଣାସ୍ତ୍ରରେ ଚୋଟ ପକାଇଥିଲା । ଏତିକିବେଳେ ସନିଆ ଓ ଅମ୍ଲାନ୍ ବିନୟଙ୍କ କାନ୍ଧ ଓ ପେଟକୁ କଟୁରିରେ ଚୋଟ ପକାଇଥିଲେ । ଅନ୍ୟ ଅଭିଯୁକ୍ତମାନେ ବିନୟ ଓ ଆଶୁତୋଷଙ୍କୁ ଆଇରନ୍ ରଡ୍‌ରେ ପିଟିବାରେ ଲାଗିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇ ବିନୟ ଓ ଆଶୁତୋଷ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ । ଏହାଦେଖି ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଏହାପରେ ଆହତଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଘଟଣାଦିନ ରାତି ୧୧ଟା ୩୩ମିନିଟ୍‌ରେ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ୩ଜଣଙ୍କୁ ଧରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking