ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କୁଆଖାଇ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି ।ସୂଚନା ଅନୁଯାୟୀ, ବାଲିଅନ୍ତା ଥାନା ଅନ୍ତର୍ଗତ ସତ୍ୟଭାମାପୁର ପଞ୍ଚାୟତ ସାଇ ମନ୍ଦିର ନିକଟରେ ଚାରି ଜଣ ସାଙ୍ଗ ଭୋଜି କରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀ ବଢ଼ି ଥିବାରୁ ଏହି ସମୟରେ ହଠାତ୍ ଦୁଇ ଜଣ ନଦୀର ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ନିଖୋଜ ଯୁବକ ଦ୍ବୟ ଦିବ୍ୟଜ୍ୟୋତି ସ୍ୱାଇଁ ଓ ରୁଦ୍ର ନାରାୟଣ ସ୍ୱାଇଁ ବୋଲି ଜଣାପଡ଼ିଛି । ଦିବ୍ୟଜ୍ୟୋତିଙ୍କ ଘର ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ବେଳେ ରୁଦ୍ର ନାରାୟଣଙ୍କ ଘର ଧଉଳି ଅଞ୍ଚଳରେ । ଉଭୟଙ୍କ ବୟସ ପ୍ରାୟ ୨୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ଖବର ପାଇ ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।










