ଭୁବନେଶ୍ୱର: ସେବ ସଂକଳ୍ପ ଅଭିଯାନ ଅବସରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଏହି ଅଭିଯାନରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ଉପଲବ୍ଧ କରାଇବା ସହ ସେବା ଯୋଗାଇଦେବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ଅଭିଯାନ ଉପଲକ୍ଷେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତୀୟ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ ପ୍ରକ୍ରିୟା, ଖାଦ୍ୟଶସ୍ୟ ପରିମାଣ, ଅଭିଯୋଗ ସମାଧାନ ସଚେତନତା ଓ ସରକାରୀ ସୁଲଭ ମୂଲ୍ୟ ଦୋକାନ ସଂପର୍କିତ ସୂଚନା ବାବଦରେ ସଚେତନତା ସୃଷ୍ଟି କରାଯିବ । ସେହିଭଳି ଚଳିତ ମାସ ୨୬ରୁ ୩୦ ତାରିଖ ମଧ୍ୟରେ ସେବାସେତୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ରାସନ କାର୍ଡ ସହ ଆଧାର ଓ ମୋବାଇଲ୍ ନମ୍ବର ସଂଯୋଗୀକରଣ, ଇ-କେୱାସି ଆଦି ସଂପର୍କିତ ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଏଥି ସହ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ରାସନ କାର୍ଡ ସମ୍ବନ୍ଧୀୟ ସମସ୍ୟା, ପରିବାର ସଦସ୍ୟଙ୍କ ନାମ ଯୋଗ ସଂଶୋଧନ ପାଇଁ ରାସନ କାର୍ଡ ଓ ପିଡ଼ିଏସ୍ ସେବା ଶିବିର ଆୟୋଜନ କରାଯିବ ।
ଏତଦ୍ବ୍ୟତୀତ ଅକ୍ଟୋବର ୪ରୁ ୮ ତାରିଖ ମଧ୍ୟରେ ସରକାରୀ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ମହଜୁଦ ଖାଦ୍ୟଶସ୍ୟର ପରିମାଣ, ଦର ଓ ବଣ୍ଟନ ରେକର୍ଡ ଯାଞ୍ଚ, ଇ-ପସ୍ ତଥ୍ୟ ଓ ବାସ୍ତବ ବଣ୍ଟନ ଯାଞ୍ଚ କରାଯିବ । କୌଣସି ଅନିୟମିତତା ନଜରକୁ ଆସିଲେ ନିୟମାନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ଅକ୍ଟୋବର ୯ରୁ ୧୨ ତାରିଖ ମଧ୍ୟରେ ରାସନ୍ ନ ମିଳିବା, କମ୍ ଓଜନ ଓ ଅନିୟମିତତା ଅଭିଯୋଗ ଗ୍ରହଣ କରିବା ପ୍ରକ୍ରିୟା ଏବଂ ପୂର୍ବରୁ ଥିବା ଅଭିଯୋଗଗୁଡ଼ିକର ସ୍ଥିତାବସ୍ଥା ସଂପର୍କରେ ଅବଗତ କରାଇବା ପାଇଁ ଅଭିଯୋଗ ନିବାରଣ ଓ ସହାୟତା ଶିବିର ଆୟୋଜନ କରାଯିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅକ୍ଟୋବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବଞ୍ଚିତ ଯୋଗ୍ୟ ପରିବାର ଓ ହିତାଧିକାରୀ ଚିହ୍ନଟ, ଆବଶ୍ୟକ ଯାଞ୍ଚ ପରେ ଯୋଗ୍ୟସେବା ପ୍ରଦାନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ । ଉକ୍ତ ସେବା ସଂକଳ୍ପ ଅଭିଯାନର ଶେଷ ଦୁଇଦିନ ଅକ୍ଟୋବର ୧୬ ଓ ୧୭ ତାରିଖରେ ହିତାଧିକାରୀମାନଙ୍କୁ ମିଳିଥିବା ସେବାର ସମୀକ୍ଷା କରାଯାଇ ବିଭାଗ ପକ୍ଷରୁ ମିଳିଥିବା ଜିଲ୍ଲାୱାରୀ ରିପୋର୍ଟ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଉକ୍ତ ଅଭିଯାନ ଖାଦ୍ୟଯୋଗାଣ ବିଭାଗ, ଜିଲ୍ଲା ଯୋଗାଣ ଓ ନିରୀକ୍ଷଣ ଅଧିକାରୀ, ଜିଲ୍ଲା ପ୍ରଶାସନ, ସ୍ୱାୟତ୍ତ ଶାସନ ସଂସ୍ଥା ଓ ବ୍ଲକ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ।










