29.1 C
Bhubaneswar
Thursday, September 17, 2026
Homeଓଡିଶାମୋଦୀଜୀଙ୍କ ସ୍ୱପ୍ନ ପୂରଣ କରିବ ଓଡ଼ିଶା, ଭାରତ ନିଶ୍ଚୟ ବିଶ୍ୱଗୁରୁ ହେବ : ମୁଖ୍ୟମନ୍ତ୍ରୀ

ମୋଦୀଜୀଙ୍କ ସ୍ୱପ୍ନ ପୂରଣ କରିବ ଓଡ଼ିଶା, ଭାରତ ନିଶ୍ଚୟ ବିଶ୍ୱଗୁରୁ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଞ୍ଜ ନଇଁଆସୁଥିଲା। ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧୀରେ ଧୀରେ ଜମୁଥିଲା ଆଲୋକର ବାତାବରଣ। ସେ ଆଲୋକ କୌଣସି କୃତ୍ରିମ ବୈଦ୍ୟୁତିକ ଲାଇଟ ନଥିଲା, ବରଂ ତାହା ଥିଲା ଆମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ସ୍ୱରୂପ ପବିତ୍ର ସଳିତାର ଶିଖା। ଧାଡ଼ିରେ ଜଳୁଥିଲା ହଜାର ହଜାର ଦୀପ। ସନ୍ଧ୍ୟା ଆରତୀର ଘଣ୍ଟ ଘଣ୍ଟା-ଶଙ୍ଖ ଧ୍ୱନି ଏବଂ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଗାୟନରେ ମୁକ୍ତେଶ୍ୱର’ର ପ୍ରାଚୀନ ପାଷାଣ ପ୍ରାଚୀର ଗୁଞ୍ଜରିତ ହୋଇଉଠିଥିଲା। ଭକ୍ତିର ଏହି ମାଦକତା ଭିତରେ, ହଜାର ହଜାର ମହିଳା ଏକାଠି ହୋଇ ଜାଳିଥିଲେ ୧୧,୦୦୦ ରୁ ଅଧିକ ଦୀପ। ଗୋଟିଏ ପରେ ଗୋଟିଏ ସଳିତା ଜଳିଉଠିବା କ୍ଷଣି ସମ୍ପୂର୍ଣ୍ଣ ମନ୍ଦିର ପରିସର ଏକ ସ୍ୱର୍ଣ୍ଣାଭ ପ୍ରଭାରେ ପ୍ରଜ୍ୱଳିତ ହୋଇଉଠିଥିଲା, ଯେମିତି ମନେହେଉଥିଲା ଆକାଶର ତାରାସବୁ ମାଟିକୁ ଓହ୍ଲାଇ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ “ଆଶୀର୍ବାଦର ଦୀପ” କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ତଥା ଯୁବବର୍ଗଙ୍କ ସମାଗମ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ସୃଷ୍ଟି କରିଥିଲା। ହାତରେ ଜଳନ୍ତା ଦୀପ ଧରି ଉପସ୍ଥିତ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଦୀର୍ଘ ଆୟୁ, ସୁସ୍ଥ ଓ ନିରାମୟ ଜୀବନ ପାଇଁ ନିଷ୍ଠାପର ପ୍ରାର୍ଥନା କରିଥିଲେ। ଏହି ମୁହୂର୍ତ୍ତ ଆହୁରି ଆକର୍ଷଣୀୟ ହୋଇ ଉଠିଥିଲା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏବଂ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ।

ଏହି ଆଧ୍ୟାତ୍ମିକ ସମାବେଶ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ସମସ୍ତ ଉତ୍ସାହିତ ଯୁବବର୍ଗଙ୍କ ଗହଣକୁ ଯାଇ ସେମାନଙ୍କ ସହ ଭାବବିନିମୟ କରିଥିଲେ। ସମସ୍ତଙ୍କ ଏହି ଅକୁଣ୍ଠ ଆଶୀର୍ବାଦ, ସମର୍ପଣ ଓ ଶ୍ରଦ୍ଧାଭାବକୁ ସେ ଆନ୍ତରିକତାର ସହ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘‘ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୭୬ତମ ଜନ୍ମ ଦିନ ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଏହି ପବିତ୍ର ଦୀପର ଶିଖା ମୋଦୀଜୀଙ୍କ ପ୍ରତି ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ହୃଦୟରୁ ନିସୃତ ଆଶୀର୍ବାଦର ପ୍ରତୀକ। ଭାରତ ନିଶ୍ଚୟ ବିଶ୍ୱଗୁରୁ ହେବ, ମୋଦୀଜୀଙ୍କ ସ୍ୱପ୍ନ ସାକାର କରିବାକୁ ଆମେ ନିରନ୍ତର ଉଦ୍ୟମ ଜାରି ରଖିବୁ।’’ ପ୍ରସିଦ୍ଧ ଓଡ଼ିଆ ଗାୟକ-ଗାୟିକାମାନଙ୍କ ଭକ୍ତିପୂତ ଭଜନ ପରିବେଶକୁ ଅଧିକ ଆଧ୍ୟାତ୍ମିକ ଓ ମନ୍ତ୍ରମୁଗ୍ଧକର କରିତୋଳିଥିଲା। ଉଲ୍ଲେଖଯୋଗ୍ୟ ଯେ, ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଅନ୍ତର୍ଗତ ରାଜ୍ୟର ୩୦ଟି ଜିଲ୍ଲାରେ ୧ କୋଟିରୁ ଅଧିକ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରାଯାଇଛି। ପ୍ରତ୍ୟେକ ପରିବାର ନିଜ ଘରେ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରି ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ପରିବାର ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜିତ ହୋଇଛି। ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ସାମୂହିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଦେବାଳୟମାନଙ୍କରେ ଝୋଟି ଚିତା ସହ ସାମୂହିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ହିତାଧିକାରୀ, ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ବ୍ୟାପକ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking