28.1 C
Bhubaneswar
Saturday, April 27, 2024
Homeଓଡିଶାଶିକ୍ଷକଙ୍କ ବଦଳିକୁ ବିରୋଧ : ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ , ଛାତ୍ରଛାତ୍ରୀ

ଶିକ୍ଷକଙ୍କ ବଦଳିକୁ ବିରୋଧ : ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ , ଛାତ୍ରଛାତ୍ରୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଖୁଟବନଭେରା ପଞ୍ଚାୟତ ସାଧୁପଣ୍ଡରିପାଣି ପ୍ରକଳ୍ପ ୟୁପି ସ୍କୁଲ୍‌ରେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ୍ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଧାରଣାରେ ଦେଇଛନ୍ତି ।
ସାଧୁପଣ୍ଡରିପାଣି ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୦୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପିଲାଙ୍କ ଶିକ୍ଷାଦାନ ପାଇଁ ୪ଟି ଶ୍ରେଣୀ ଗୃହ ରହିଥିବା ବେଳେ ୬ ଜଣ ଶିକ୍ଷକ ନିଯୁକ୍ତ ଥିଲେ । ସେଥିରୁ କନିଷ୍ଠ ଶିକ୍ଷୟିତ୍ରୀ ଭାରତୀ ଚନ୍ଦ୍ରକାର ଦୀର୍ଘ ଦିନ ଧରି ଅନୁପସ୍ଥିତ ଅଛନ୍ତି । ସ୍କୁଲ୍‌ରେ ହରକରାମ ହରିଜନ ପ୍ରଧାନଶିକ୍ଷକ ଦାୟିତ୍ୱରେ ଅଛନ୍ତି । ତେବେ ଗତ ମାସେତଳେ ଶିକ୍ଷକ ହେମଦାସ ମାଣିକପୁରୀଙ୍କୁ ପତାଲଘୁଟକୁରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଦଳି ହୋଇଥିଲା । ଏହାକୁ ଅଭିଭାବକ ଓ ଗ୍ରାମବାସୀ ବିରୋଧ କରି ଶିକ୍ଷା ବିଭାଗକୁ ଜଣାଇଥିଲେ । ଏବେ ସ୍କୁଲ୍‌ରେ ଶିକ୍ଷାଦାନ ପାଇଁ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିବା ବେଳେ ବିଜ୍ଞାନ ଶିକ୍ଷକ ନାହାନ୍ତି । ଆଜି ଶିକ୍ଷକ ମଣିକପୁରୀଙ୍କ ସ୍ଥାନରେ ଶିକ୍ଷକ ଅମିଲାଲ ଶବର ଯୋଗ ଦେବାକୁ ଯାଇଥିଲେ । ଏହାର ପ୍ରତିବାଦରେ ଆଜି ସକାଳେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ସ୍କୁଲର ମୁଖ୍ୟ ଗେଟ୍ ତାଲାପକାଇ ଛାତ୍ରଛାତ୍ରୀଙ୍କୁ ଧରି ଧାରଣାରେ ବସିଥିଲେ । ଶିକ୍ଷକ ଶ୍ରୀ ମାଣିକପୁରୀଙ୍କ ବଦଳିକୁ ରଦ୍ଦ କରି ସ୍କୁଲରେ ପୁନଃନିଯୁକ୍ତି କରିବା ସହ ଅନ୍ୟ ଜଣେ ବିଏସ୍‌ସି ବିଇଡି ନିଯୁକ୍ତି କରିବାକୁ ଦାବି କରିଥିଲେ । ଏବେ ସ୍କୁଲରେ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଜଣେ ବି ବିଇଡି ଶିକ୍ଷକ ନିଯୁକ୍ତ ନାହାନ୍ତି । ଏଣୁ ସ୍କୁଲ୍‌ରେ ବିଏସ୍‌ସି ବିଇଡି ଶିକ୍ଷକ ନିତାନ୍ତ ଜରୁରୀ । ଶିକ୍ଷା ବିଭାଗ ଶିକ୍ଷକ ଶ୍ରୀ ମଣିକପୁରୀଙ୍କୁ ବଦଳି କରି ନେଇ ଜଣେ ମାଟ୍ରିକ ସିଟି ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ଫଳରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଶିକ୍ଷାଦାନରେ ବାଧାପ୍ରାପ୍ତ ହେବ । ତେବେ ସ୍କୁଲର ଶିକ୍ଷକ ଶ୍ରୀ ମାଣିକପୁରୀଙ୍କ ବଦଳି ରଦ୍ଦ କରିବାସହ ଅନ୍ୟ ଜଣେ ବିଏସ୍‌ସି ବିଇଡି ଶିକ୍ଷକ ନିଯୁକ୍ତ ନକରିବା ପର୍ଯ୍ୟନ୍ତ ଅନର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଧାରଣା ବେଳେ ସ୍କୁଲ୍ ପରିଚାଳନା କମିଟି ଅଧ୍ୟକ୍ଷ ବୈକୁଣ୍ଠ ମାଝୀ, ଲିଖନ ଦାସ, ରେଖରାମ ରାଉତ, ରାକ୍ଷୀସିଂ ମାଝି, ପ୍ୟାରେଲାଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ସଦର ବ୍ଲକ୍ ଶିକ୍ଷା ଅଧିକାରୀ ଡ.ରେଶମଲାଲ ନାଏକଙ୍କୁ ପଚାରିବାରୁ, ଏହି ଖବରପାଇ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଚୈତରାମ ନାଏକ ଘଟଣାସ୍ଥଳକୁ ଯାଇ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଅପରାହ୍ନରେ ତାଙ୍କୁ ଶିକ୍ଷକ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ସ୍କୁଲର ତାଲା ଖୋଲାଯାଇଥିଲା । ଅନ୍‌-ଲାଇନ୍‌ରେ ବଦଳି ପାଇଁ ହେମଦାସ ମାଣିକପୁରୀ ଆବେଦନ କରିଥିଲେ । ସେହି ଅନୁସାରେ ତାଙ୍କର ବଦଳି ହୋଇଥିଲା । ଆମେ ତାଙ୍କୁ ବଦଳି କରିନାହୁଁ । ଅନ୍ୟପକ୍ଷେ ସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକର ଆବଶ୍ୟକତା ରହିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking