30.1 C
Bhubaneswar
Thursday, April 25, 2024
Homeଓଡିଶାଫେରିଯିବ ବାଘୁଣୀ ସୁନ୍ଦରୀ....

ଫେରିଯିବ ବାଘୁଣୀ ସୁନ୍ଦରୀ….

ଅନୁଗୁଳ : ବାଘୁଣୀ ପୁଣି ଥରେ ଫେରିଯିବ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ । ଏ ନେଇ ଏନ.ଟି.ସି.ଏ.( ନେସନାଲ ଟାଇଗର କଜଂରଭେସନ ଅଥରିଟି) ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦେଇଛନ୍ତି । ସାତକୋଶିଆ କର୍ତୃପକ୍ଷ ଦୀର୍ଘ ୧ ବର୍ଷରୁ ଅଧିକ ବିତି ଯାଇଥିଲେ ମଧ୍ୟ ବାଘୁଣୀ ସୁନ୍ଦରୀକୁ ଏନକ୍ଲୋଜର ଭିତରୁ ଜଙ୍ଗଲକୁ ଛାଡିବାରେ ବିଫଳ ହୋଇଛନ୍ତି । ଫଳରେ ସୁନ୍ଦରୀ ତାର ହିଂସ୍ର ସ୍ୱଭାବ ହରାଇଲାଣି । ତେଣୁ ବାଧ୍ୟ ହୋଇ ସୁନ୍ଦରୀକୁ ଫେରାଇ ନେବାକୁ ନିଷ୍ପତି ନିଆ ଯାଇଛି ବୋଲି ଏନ.ଟି.ସି.ଏ ସଦସ୍ୟ ସଚିବ ଅନୁପ ନାୟକ ସୂଚନା ଦେଇଛନ୍ତି । ଏଭଳି ନିଷ୍ପତି ଯୋଗୁଁ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦିଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବଜାୟ ରହିବ ବୋଲି ଏନ.ଟି.ସି.ଏ କହିଛି ତେବେ ବିନା ବାଘରେ ବ୍ୟାଘ୍ର ପ୍ରକଳ୍ପ କିଭଳି ସମ୍ଭବ ବୋଲି ପ୍ରଶ୍ନ ଉଠିଛି ।
ସାତକୋଶିଆରେ ବାଘ ବଂଶ ବୃଦ୍ଧି ଗତ ୨୦୧୭ରେ ଏନ.ଟି.ସି.ଏ. ବ୍ୟାଘ୍ର ପ୍ରକଳ୍ପ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା । ଫଳରେ ପ୍ରଥମେ ୨୦୧୮ ଜୁନରେ କାହ୍ନାରୁ ଏଠାକୁ ମହାବୀରକୁ ଅଣା ଯାଇଥିଲା । କିନ୍ତୁ ସେହି ବର୍ଷ ନଭେମ୍ବର ୧୪ରେ ଶିକାର ହୋଇଗଲା । ୨୦୧୮ ଜୁଲାଇ ୨୮ରେ ବାନ୍ଧବଗଡରୁ ସୁନ୍ଦରୀକୁ ଅଣା ଯାଇ ଏନକ୍ଲୋଜର ଭିତରେ ରଖା ଗଲା । ଅଗଷ୍ଟ ୧୭ରେ ଏନକ୍ଲୋଜର ଭିତରୁ ବାହାରକୁ ଛଡାଗଲା । ସ୍ୱଳ୍ପ ସମୟ ଭିତରେ ସୁନ୍ଦରୀ ଦୁଇ ଦୁଇ ଜଣ ମଣିଷ ଶିକାର କରିବା ପରେ ପୁଣି ଥରେ ତାକୁ ୨୦୧୮ ନଭେମ୍ବର ୭ ତାରିଖରେ ଏନକ୍ଲୋଜର ଭିତରେ ରଖାଗଲା । ସେଦିନରୁ ଆଜି ପର୍ଯ୍ୟନ୍ତ ସୁନ୍ଦରୀ ୨୫ ଏକର ବଦଳରେ ଅଢ଼େଇ ଏକର ସୀମିତ ଏନକ୍ଲୋଜର ଭିତରେ ରହିଛି । ହାତ ଟେକା ମାଂସ ଖାଉଛି । ସବୁ ସମୟରେ ମଣିଷ ଦେଖୁଛି । ତା’ ଭିତରେ ଥିବା ହିଂସ୍ର ସ୍ୱଭାବ ଧିରେ ଧିରେ କମିବାରେ ଲାଗିଛି । ଏପରି ଅବସ୍ଥାରେ ସୁନ୍ଦରୀକୁ ପୁଣି ଥରେ ଜଙ୍ଗଲ ଭିତରକୁ ଛଡା ଯିବ ନା ଅନ୍ୟ କେଉଁଠିକି ସ୍ଥାନାନ୍ତର କରାଯିବ ସେନେଇ କିଛି ସ୍ପଷ୍ଟ ନିଷ୍ପତି ନିଆ ଯାଇ ପାରିଲା ନାହିଁ । କଣ ହେବ ସୁନ୍ଦରୀର ଭବିଷ୍ୟତ । ସଫଳ ହେବକି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ । ଏମିତି ଅନେକ ପ୍ରଶ୍ନ ଭିତରେ ରହି ଯାଇଥିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଓ ସୁନ୍ଦରୀର ଭବିଷ୍ୟତ ।
ଗତ ୨୦୦୭ ସାତକୋଶିଆରେ ୧୨ଟି ବାଘ ଥିବା କଥା ସରକାରୀ ସ୍ତରରେ କୁହା ଯାଇଥିଲା । ତେଣୁ ବାଘ ସଂଖ୍ୟାକୁ ଦେଖି ସାତକୋଶିଆକୁ ସେହି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଯାଇଥିଲା । ବାହାର ରାଜ୍ୟରୁ ପ୍ରଥମ ଥର ପାଇଁ ଦୁଇଟି ବାଘକୁ ପରୀକ୍ଷା ମୂଳକ ଭାବେ ସାତକୋଶିଆକୁ ଅଣା ଯାଇଥିଲା । କିନ୍ତୁ ବନ ବିଭାଗର ପରିଚାଳନାଗତ ତୃଟି ଯୋଗୁଁ ସୁରକ୍ଷା ଅଭାବରୁ ମହାବୀର ମଲା । ଏବେ ସୁନ୍ଦରୀ ଜଙ୍ଗଲରେ ବାଘର ଯେଉଁ ହିଂସ୍ର ସ୍ୱଭାବ ରହିବା କଥା ତାହା ସେ ହରାଇ ବସିଛି । ଏବେ ସୁନ୍ଦରୀ ନା କୌଣସି ଚିଡିଆ ଖାନାରେ ରହିପାରିବ ନା ଜଙ୍ଗଲ ଭିତରେ । କୋଟି କୋଟି ଟଙ୍କା ଖର୍ଚ ହୋଇ ମଧ୍ୟ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଗଲା । ତେବେ କୌଣସି ନା କୌଣସି ବାଟ ବାହାର କରିକବାକୁ ବନ ବିଭାଗ ଓ ଏନ.ଟି.ସି.ଏ. ବାରମ୍ବାର ଉଦ୍ୟମ ଜାରି ରଖିଥିଲେ । ଗତ ୨୦୧୮ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ଅରଣ୍ୟ ଭବନରେ ଏକ ଉଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏନ.ଟି.ସି.ଏ. ର ସଦସ୍ୟ ସଚିବ ଅନୁପ ନାୟକ ଓ ପିସିସଏଫ ବନ୍ୟପ୍ରାଣୀ ଅଜୟ ମହାପାତ୍ରଙ୍କ ସମେତ ବହୁ ଉଚ ଅଧିକାରୀ ଉପସ୍ଥିତ ଥିଲେ । ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଓ ସୁନ୍ଦରୀର ଅବସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବର୍ତମାନ ସୁନ୍ଦରୀ ରହୁଥିବା ଏନକ୍ଲୋଜରକୁ ଅଢ଼େଇ ଏକରରୁ ୨୫ ଏକର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ଏବଂ ସେହି ଏନକ୍ଲୋଜର ଭିତରେ ଶିକାର ପାଇଁ ତୃଣଭୋଜୀ ପ୍ରାଣୀଙ୍କୁ ଛଡାଯିବ । ଦୀର୍ଘ ଦିନ ହେଲା ସୁନ୍ଦରୀ ଏନକ୍ଲୋଜର ଭିତରେ ରହି ଶିକାର ଅଭ୍ୟାସ ଛାଡି ଦେଇଛି । ବାଘ ପ୍ରବୃତି ଭୁଲି ଯାଇଛି । ତେଣୁ ସେସବୁକୁ କିଭଳି ଫେରାଇ ଅଣାଯାଇପାରିବ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ନିଷ୍ପତି ନିଆ ଯାଇଥିଲା । ତେବେ ଏଥିପାଇଁ ଏନ.ଟି.ସି.ଏ., ଡବ୍ଲ୍ୟୁ ଆଇ ଆଇ( ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ) ଓ ସାତକୋଶିଆ ଟିମ ସର୍ଭେ କରି ସ୍ଥାନ ନିରୂପଣ କରିବା ପରେ ଯାଇ କାମ ଆରମ୍ଭ ହେବ । ଏଥିପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ହେଲେ ସୁନ୍ଦରୀ ଫେରିଯିବା ନିଷ୍ପତି ପରେ ତାହାର କୌଣସି ମୂଲ୍ୟ ରହିଲା ନାହିଁ । ବ୍ୟାଘ୍ର ପ୍ରକଳ୍ପ ପାଇଁ ରାଇଗୁଡା ଗାଁ ସ୍ଥାନାନ୍ତର ହେଲା । ଏବେ ଆଉ ୩ଟି ଗାଁ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କିନ୍ତୁ ବନବିଭାଗର ଅପାରଗତା ଯୋଗୁଁ ସେସବୁ କେବଳ ପ୍ରହସନ ପାଲଟିଛି । ସାତକୋଶିଆରେ ଦେଶର ପ୍ରଥମ ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିଲା । କିନ୍ତୁ ବନବିଭାଗ ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ସାମିଲ ନକରିବା ଏବଂ ସଠିକ ପରିଚାଳନା ନକରିବା କାରଣରୁ ବିଫଳ ହେଲା । ଏହାକୁ ନେଇ ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking