31.1 C
Bhubaneswar
Monday, May 6, 2024
Homeଓଡିଶାଯଶୋଧାରା ପାଇବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଯଶୋଧାରା ପାଇବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ବିଶିଷ୍ଟ କଥାଶିଳ୍ପୀ ଯଶୋଧାରା ମିଶ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ୨୦୨୦ ମସିହାର ଏହି ପୁରସ୍କାର ପାଇବାକୁ ଯାଉଛନ୍ତି ଯଶୋଧାରା । ‘ସମୁଦ୍ର କୂଳ ଘର’ ଗଳ୍ପ ସଂକଳନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଏହି ସଂକଳନକୁ ୨୦୧୬ ମସିହାରେ ଇଙ୍କ ଓଡ଼ିଶା ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା । ଏହି ସମ୍ମାନ ବାବଦରେ ଯଶୋଧାରାଙ୍କୁ ତାମ୍ର ଫଳକ ସହ ୧ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କୁ ଏହି ପୁରସ୍କାର ମିଳିବ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ କମିଟିରେ କବି ରମାକାନ୍ତ ରଥ, ବୀଣାପାଣି ମହାନ୍ତି ଓ ପ୍ରତିଭା ଶତପଥୀ ସଦସ୍ୟ ଅଛନ୍ତି । ଯଶୋଧାରାଙ୍କ ଏହି କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି ସେ ଟ୍ୱିଟରେ ଲେଖିଛନ୍ତି । ତାଙ୍କର ସୃଜନ ସୃଷ୍ଟିଗୁଡ଼ିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଯଶୋଧାରା ମିଶ୍ର୧୯୫୧ ମସିହା ଜାନୁଆରୀ ୬ ତାରିଖରେ ଓଡ଼ିଶାର ସମ୍ବଲପୁରର ପଟ୍ଟନାୟକ ପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଭୁବନେଶ୍ୱର ବେହେରାଙ୍କର ସେ କନ୍ୟା । ରେଭେନ୍ସା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ଯଶୋଧାରା ମଧ୍ୟପ୍ରଦେଶରେ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି । ସେ ଏକାଧାରାରେ ଜଣେ ଇଂରାଜୀ ଅଧ୍ୟାପିକା, ଔପନ୍ୟାସିକା, କ୍ଷୁଦ୍ରଗଳ୍ପ ଲେଖିକା, କବି, ଗାଳ୍ପିକା ଏବଂ ଅନୁବାଦିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଓଡ଼ିଆ ବ୍ୟତୀତ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ଲେଖିଥାନ୍ତି । ତାଙ୍କ ଗଳ୍ପ ଗୁଡ଼ିକ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପତ୍ରିକା ଗୁଡ଼ିକରେ ପ୍ରକାଶିତ ହୋଇଛି । ତାଙ୍କର ଲେଖାଗୁଡ଼ିକ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଦେଖିବାକୁ ମିଳେ ।

୨୦୦୭ରେ ତାଙ୍କର ଗଳ୍ପ ‘ବର’କୁ ନେଇ ପ୍ରସ୍ତୁତ ଚଳଚିତ୍ର ଦୂରଦର୍ଶନ ଦ୍ୱାରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିଲା ।  କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଖପାତ୍ର “ଦି ଇଣ୍ଡିଆନ ଲିଟରେଚର’ର ସମ୍ପାଦକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।  ଯଶୋଧାରାଙ୍କ ଗଳ୍ପ ସଂକଳନଗୁଡ଼ିକ ମଧ୍ୟରେ ଦେଖଣାହାରି,  ଜହ୍ନରାତି, ରେଖାଚିତ୍ର, ସେତୁବନ୍ଧ, ଦ୍ୱୀପ ଓ ସମୁଦ୍ରକୂଳର ଘର, ମୁଁହସଞ୍ଜ ଆଦି ପାଠକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ପକ୍ଷୀଜନ୍ମ, ଇଷ୍ଟରୂପ, ହାତପାପୁଲିରେ ଖରା, ଓଦା ମାଟିରେ ପଦଚିହ୍ନ, କବିତା, ଏ ବଣ ମୋ ଲାଗି ନୂଆଁ ଆଦି ଉପନ୍ୟାସ ମଧ୍ୟ ବେଶ୍ ଲୋକପ୍ରିୟ ହୋଇପାରିଛି । ଯଶୋଧାରା ୧୯୯୦ରେ ଉପନ୍ୟାସ ‘ଜହ୍ନରାତି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।  ସେହିପରି ରଚନାତ୍ମକ ଲେଖନ ପାଇଁ ‘କଥା’ ପୁରସ୍କାର ମଧ୍ୟ ପାଇଛନ୍ତି । କ୍ଷୁଦ୍ର ଗଳ୍ପ ପାଇଁ ତାଙ୍କୁ ‘ଝଙ୍କାର’ ପୁରସ୍କାର ମଧ୍ୟ ମିଳିଛି । ଓଡ଼ିଶା ପୁସ୍ତକ ମେଳା ପୁରସ୍କାର ସହ ଅନେକ ପୁରସ୍କାର ଓ ସମ୍ମାନ ସେ ପ୍ରାପ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking