37.1 C
Bhubaneswar
Sunday, April 28, 2024
Homeଓଡିଶାପୁଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ମହିଳା, ମୋ ଝିଅକୁ ଖୋଜିଆଣି ଦିଅ

ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ମହିଳା, ମୋ ଝିଅକୁ ଖୋଜିଆଣି ଦିଅ

ଭୁବନେଶ୍ୱର :  ସାର୍ ମୋ ନାବାଳିକା ଝିଅକୁ ପାଉନି । ସେ ୨ମାସ ହେବ କୁଆଡ଼େ ପଳାଇଯାଇଛି । ତାକୁ ଜଣେ ନିଶାଖୋର୍ ଯୁବକ ପ୍ରେମଜାଲରେ ଫସାଇ କେଉଁଆଡ଼େ ନେଇଯାଇଛି । ଶୁଣିବାକୁ ମିଳୁଛି କି ସେ ଯୁବକ ତାକୁ ମାରିଦେଇଛି । ଏମିତିକି ସେ ମତେ ବି ମାରିବାକୁ ଧମକ ଦେଉଛି । ହେଲେ ଥାନାରେ ପୁଲିସ ବାବୁ କିଛି ଶୁଣୁନାହାନ୍ତି ।  ସେଥିପାଇଁ ପୁଲିସ କମିଶନରଙ୍କ ପାଖକୁ ଅଭିଯୋଗ କରିବାକୁ ଆସିଛି । ଶୁକ୍ରବାର ମଧ୍ୟାହ୍ନରେ ଜଣେ ମହିଳା କମିଶନରେଟ୍ ପୁଲିସ ଅଫିସ୍ ସମ୍ମୁଖରେ କାନ୍ଦିକାନ୍ଦି ମୋ ଝିଅକୁ ଖୋଜି ଆଣ ବୋଲି ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ସେ ପୁଲିସ କମିଶନରଙ୍କୁ  ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗପତ୍ର ଗ୍ରହଣକରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ସେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ଅବଗତ କରାଇବା ସହ ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ।

ଅଭିଯୋଗ ଅନୁସାରେ, କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଅଞ୍ଚଳରେ ଜଣେ ବିଧବା ମହିଳା ରୁହନ୍ତି । ଗତ ଅପ୍ରେଲ ୫ତାରିଖ ବିଳମ୍ବିତ ରାତିରୁ ତାଙ୍କ ଝିଅ କୁଆଡ଼େ ପଳାଇଯାଇଛନ୍ତି । ତା’ ପରଦିନ ସମ୍ପୃକ୍ତ ମହିଳା ଖୋଜାଖୋଜି କରିଥିଲେ ବି ଝିଅକୁ ପାଇନଥିଲେ। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଝିଅକୁ ସ୍ଥାନୀୟ ଅଞ୍ଚଳର କାଳିଆ ନାୟକ ନାମକ ଜଣେ ଯୁବକ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିବା ମହିଳା ଜାଣିବାକୁ ପାଇଥିଲେ । ପରେ କାଳିଆ ଝିଅକୁ ବାହା ହୋଇ ଫେସବୁକ୍‌ରେ ଫଟୋ ପୋଷ୍ଟ କରିଥିଲେ । ଏହାପରେ ଝିଅର ମା’ ଏହି ଫଟୋକୁ ନେଇ ପୁଲିସକୁ ଦେଖାଇବା ସହ ଯୁବକକୁ ଗିରଫ କରିବା ପାଇଁ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଯୁବକକୁ ପୁଲିସ ଧରିବାକୁ ଯାଇନଥିବା ଅଭିଯୋଗ ହୋଇଛି ।

ଝିଅର ମୋବାଇଲ ନଥିବାରୁ ଘଟଣାର କିଛିଦିନ ପରେ ପୁଅ ମୋବାଇଲକୁ ପୁଲିସ ଟ୍ରାକିଂ କରିଥିଲା । ସେମାନେ କଲିକତାରେ ଥିବା ପୁଲିସ ଝିଅର ମା’ଙ୍କୁ ଜଣାଇଥିଲେ । ଲକ୍‌ଡାଉନ୍ ଖୋଲିବା ପରେ କଲିକତା ଯାଇ ଝିଅକୁ ଉଦ୍ଧାର କରିବୁ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲା । ହେଲେ ଲକ୍‌ଡାଉନ୍ ଆଳ ଦେଖାଇ ତଦନ୍ତରେ ଅବହେଳା କରାଯାଉଥିବା ଝିଅର ମା’ ଅଭିଯୋଗ ଆଣିଛନ୍ତି । ଏମିତିକି ଗୋଟିଏ ଝିଅକୁ ଉଦ୍ଧାର କରିବା ପାଇଁ ଉତ୍ତରପ୍ରଦେଶ ପୁଲିସ ଭୁବନେଶ୍ୱର ଆସୁଥିବାବେଳେ ଭୁବନେଶ୍ୱର ପୁଲିସ କୋଲକାତା କାହିଁକି ଯାଇପାରୁନାହିଁ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଏହାସହ ସମ୍ପୃକ୍ତ ନାବାଳିକାଙ୍କୁ ଯୁବକ ଜଣକ ହତ୍ୟା କରିଥିବା ତାଙ୍କ ମା’ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଯୁବକ ଜଣକ କୋଲକାତା ନୁହେଁ ଭୁବନେଶ୍ୱରରେ ରହୁଛି । ମୋତେ ଦେଖିବା ମାତ୍ରେ କେଟିଏମ ଗାଡ଼ି ଧରି ଛୁ’ ହୋଇଯାଉଛି । ଏମିତି କି ସେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଝିଅର ମା’ କହିଛନ୍ତି । ଏହି ଅଭିଯୋଗ ଶୁଣିବା ପରେ ପୁଲିସ ଉପରକୁ ଅଙ୍ଗୁଳି ଉଠିଛି । ନିଖୋଜ ନାବାଳିକାଙ୍କୁ ଉଦ୍ଧାର ଲାଗି ସ୍ୱତନ୍ତ୍ର ସେଲ୍ ଗଠନ ହୋଇଥିବାବେଳେ ଏହି ମାମଲାରେ ପୁଲିସ କାହିଁକି ଚୁପ୍ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏସମ୍ପର୍କରେ ଡିସିପି ଡ଼.ଉମାଶଙ୍କର ଦାଶଙ୍କ ପଚାରିବାରୁ ସେ କହିଛନ୍ତି, ଏହି ଘଟଣା ସମ୍ପର୍କରେ ଅବଗତ ନଥିଲି । ତୁରନ୍ତ ନାବାଳିକାକୁ ଉଦ୍ଧାର କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି । ଏହାସହ କ୍ୟାପିଟାଲ ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ପୁଅ, ଝିଅଙ୍କ ସନ୍ଧାନ ମିଳିଛି । ସେ ରାଜ୍ୟବାହାରେ ରହୁଥିବା ଜଣାପଡ଼ିଛି । ଆନ୍ତଃରାଜ୍ୟ କୋଭିଡ୍ କଟକଣା ଯୋଗୁଁ ଉଦ୍ଧାର କରାଯାଇପାରିନାହିଁ । ଯେହେତୁ ନାବାଳିକା ମାମଲା, ଏସମ୍ପର୍କରେ ଅଧିକ କିଛି ସୂଚନା ଦେଇ ହେବନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking