27.1 C
Bhubaneswar
Friday, March 29, 2024
Homeଓଡିଶାଭୂଇଁ ପାଖୁଡ଼ାରେ ଖଞ୍ଜାହେଲା ନାହାକା

ଭୂଇଁ ପାଖୁଡ଼ାରେ ଖଞ୍ଜାହେଲା ନାହାକା

ପୁରୀ : ୩ରଥର ନିର୍ମାଣ କାର୍ଯ୍ୟରେ ବିଶେଷ ତତ୍ପରତା ପ୍ରକାଶ ପାଇଛି । ୩ରଥର ତୃତୀୟ ଭୂଇଁ ଉପରେ ଗୁରୁବାର ଦିନ ବଡ଼ଧରା ପୋଟଳ ଉଠିଥିଲା । ଶୁକ୍ରବାର ଦିନ ୩ରଥର ଦ୍ୱିତୀୟ ଓ ତୃତୀୟ ପରସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହିତ ୩ରଥର ଭୂଇଁଗୁଡ଼ିକର ପାଖୁଡ଼ାରେ ନାହାକା ସେଟିଂ ହୋଇଛି । ଏହାଛଡ଼ା ୩ରଥର ୪ନାହାକା ଓ ପ୍ରଥମ ଭୂଇଁରେ କଇଁଚି ଲଗାଯାଇଛି । ସେହିଭଳି ୩ରଥର ପ୍ରଥମ ଭୂଇଁ ୪ କାଠର ଉଭୟପାଶ୍ୱର୍ରେ କଇଁଚି ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରଥର ଉପରଅଂଶ ନ ଦୋହଲିବା ପାଇଁ କଇଚିଁ ଫିଟିଂ କରାଯାଇଥାଏ । ୩ରଥ ବେଦୀର ୩ପାଶ୍ୱର୍ରେ ତାଗବାଡ଼ିଆ ଶେଷ ହୋଇଥିଲା । ଶୁକ୍ରବାର ଦିନ ୩ପାଶ୍ୱର୍ ତାଗରେ ପାରୁସ ପଟା ବାଡ଼ିଆ କାର୍ଯ୍ୟ ଚାଲିଛି ।

ଏଥିସହିତ ଶୁକ୍ରବାର ଦିନ ରଥର ସଂଯୋଗ ସ୍ଥଳଗୁଡ଼ିକରେ ଏଲ ପ୍ଲେଟ ଫିଟିଂ ହେବା ସହ ଆବଶ୍ୟକ ଅରଗୁଡ଼ିକରେ ଲୁହା କ୍ଲାମ୍ପ ଲଗାଯାଇଛି । ଦଣ୍ଡା, ଜଳଯନ୍ତ୍ର ଓ ନିରାଡ଼ିଗୁଡ଼ିକରେ ଦଣ୍ଡା ମୁଁହାଟ ସହ ଲୁହା ଏଲ ପ୍ଲେଟ ଓ ନଟ ବୋଲ୍ଟ ଫଟିଂ କରାଯାଇଛି । ଏଥିସହିତ ୩ରଥର ୪ଟି ଲେଖାଏଁ ଧ୍ୱଜବତା ନିର୍ମାଣ ଶେଷ ହୋଇଛି । ଏହା ଦୁଆର ବେଢ଼ା ସେଟିଂ ପାଇଁ ଦ୍ୱିତୀୟ ଭୂଇଁ ଶେଣୀରେ ଲଗାଯିବ । ଇତି ମଧ୍ୟରେ ୩ରଥର କଳସ ପେଣ୍ଡି ନିର୍ମାଣ ସରିଛି । ଏହି କଳସ ପେଣ୍ଡିର ଉପରିଭାଗ ଓ ତଳ ଭାଗରେ ପାଖୁଡ଼ା ଲାଗିବା ପାଇଁ ୧୬ଟି ଲେଖାଏଁ ୩୨ଟି  ବିନ୍ଧ ଖୋଦେଇ କରାଯିବ । ରୂପକାର ସେବକମାନେ ୨ଟି ରଥର ସିଂହାସନରେ କୁମ୍ଭ, ଡ଼ାଳି, ଲତା ଖୋଦେଇ କାମ ଶେଷ କରିଛନ୍ତି । ନନ୍ଦିଘୋଷ ରଥର ସିଂହାସନରେ କୁମ୍ଭ, ଡ଼ାଳି, ଲତା ଖୋଦେଇ କାମ ଚାଲୁ ରହିଛି ।

ଶେଷ ୨ଟି ଲେଖାଏଁ ନାଟଗୋଡ଼ରେ ରୂପକାରମାନେ ରୂପ ଖୋଦେଇ କାମ ଜାରି ରଖିଛନ୍ତି । ୩ରଥର ଦୁଆର ବେଢ଼ାରେ ଖଞ୍ଜାଯିବା ପାଇଁ ଗାରେଡ଼ି ସହ ମଗର ମୁଖ ପଟା ସଂଯୋଗ ହୋଇ ରହିଅଛି । ଏଥିସହିତ ୧୬ଟି ଲେଖାଏଁ ପାରାଭାଡ଼ି କବାଟି ନିର୍ମାଣ ସରିଛି । ଶୁକ୍ରବାର ଦିନ ଚିତ୍ରକର ସେବକମାନେ ୩ରଥର ପାଶ୍ୱର୍ଦେବଦେବୀ ମୂର୍ତ୍ତିଗୁଡ଼ିକୁ ଧୋଇ ସଫା କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାପରେ ମୂର୍ତ୍ତିଗୁଡ଼ିକରେ ରଙ୍ଗ ଦିଆଯିବ । ଦୋଳବେଦୀ ସ୍ଥିତ କମାର ଶାଳରେ ଓଝା ସେବକମାନେ ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ, ଚାନ୍ଦି ଓ ପୋଟଳ କଣ୍ଟା ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି । ଶୁକ୍ରବାର ଦିନ ରଥଖଳାରେ ୭୬ଜଣ ମହାରଣା, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୧୬ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ନିୟୋଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking