29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମେଣ୍ଟ ସରକାରକୁ ଧକ୍କା: ଆସ୍ଥାଭୋଟ ପୂର୍ବରୁ ଉଦ୍ଧବଙ୍କ ଇସ୍ତଫା

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମେଣ୍ଟ ସରକାରକୁ ଧକ୍କା: ଆସ୍ଥାଭୋଟ ପୂର୍ବରୁ ଉଦ୍ଧବଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିଧାନସଭାରେ ଆସ୍ଥାଭୋଟ ଲୋଡିବାକୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ସୁପ୍ରିମକୋର୍ଟ ବୁଧବାର କାଏମ ରଖିଛନ୍ତି । ତେବେ ଆସ୍ଥାଭୋଟ କାର୍ଯ୍ୟକାରୀ ହେବାପୂର୍ବରୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ଏକ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତାର ଆପାତତଃ ପରିସମାପ୍ତି ଘଟିଛି । ବିଦ୍ରୋହୀ ବିଧାୟକ ଗୋଷ୍ଠୀକୁ ମନାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିବାବେଳେ ବୁଧବାର ସୁପ୍ରିମକୋର୍ଟରେ ଏମ୍‌ଭିଏ (ମହା ବିକାଶ ଆଘାଡି) ମେଣ୍ଟ ସରକାରକୁ ଜୋର ଧକ୍କା ଲାଗିଛି । ଜୁନ୍ ୩୦ରେ ବିଧାନସଭାରେ ଆସ୍ଥାଭୋଟ ଲୋଡିବାକୁ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାର ପ୍ରତିବାଦରେ ଶିବସେନା ପକ୍ଷରୁ ସୁପ୍ରିମକୋର୍ଟରେ ସାନି ପିଟିସନ ଦାଏର କରାଯାଇଥିଲା ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଅବକାଶକାଳୀନ ଖଣ୍ଡପୀଠ ବୁଧବାର ହାଇବ୍ରିଡ୍ ମୋଡ୍‌ରେ ମାମଲାର ଶୁଣାଣି କରିବା ସହ ରାଜ୍ୟପାଳଙ୍କ ଆସ୍ଥାଭୋଟ ନିର୍ଦ୍ଦେଶକୁ କାଏମ ରଖିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବାପରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ଦୀର୍ଘଦିନ ଧରି ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝାର ପରିସମାପ୍ତି ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ସରଗରମ ହେବାସହିତ ନୂତନ ସମୀକରଣ ସାମନାକୁ ଆସିଛି । ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଥିବା ବିଜେପି ବର୍ତ୍ତମାନ ସରକାର ଗଠନ କରିବାକୁ ଉଦ୍ୟମ କରିବ ବୋଲି ଅନୁମାନ କରାଯାଉଛି ।

ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ପ୍ରାୟ ୫୦ ଜଣ ବିଧାୟକଙ୍କ ସମର୍ଥନରେ ନୂତନ ସରକାର ଗଠନ ହେବା ପଥ ପରିଷ୍କାର ଜଣାପଡୁଛି । ରାଜନୈତିକ ବିଶେଷଜ୍ଞଙ୍କ ମତରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବୀସ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି । ଯଦି ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇବେ, ତାହାହେଲେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଧାରିତ ତାରିଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ । ଇତିମଧ୍ୟରେ ସିନ୍ଧେଙ୍କ ନେତୃତ୍ୱାଧୀନ ବିଧାୟକମାନେ ବୁଧବାର ଆସାମର ଗୁଆହାଟୀରୁ ଆସି ଗୋଆରେ ପହଞ୍ଚିଛନ୍ତି । ଗୁରୁବାର ସେମାନେ ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ଠାକ୍‌ରେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ସୁପ୍ରିମକୋର୍ଟରେ ଆଜି ମାମଲା ପରିଚାଳନା କରିଥିବାବେଳେ ବିଦ୍ରୋହୀ ଗୋଷ୍ଠୀ ତରଫରୁ ନୀରଜ କାଉଲ ଯୁକ୍ତି ଉପସ୍ଥାପନ କରିଥିଲେ । ରାଜ୍ୟପାଳ ଆସ୍ଥାଭୋଟ ନିର୍ଦ୍ଦେଶ ଦେଇସାରିଥିବାରୁ କେଉଁ ବିଧାୟକମାନେ ଭୋଟ ଦେବାକୁ ଯୋଗ୍ୟ ବୋଲି ସିଂଘଭୀ ପ୍ରଶ୍ନ ଉଠାଇଥିଲେ । କାରଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ଜାରି କରାଯାଇଥିବାବେଳେ ସେମାନେ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇସାରିଛନ୍ତି । ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଜୁଲାଇ ୧୨ ପର୍ଯ୍ୟନ୍ତ ସେମାନଙ୍କୁ ମହଲତ ଦେଇଥିବାବେଳେ ଜୁଲାଇ ୧୧ରୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ । ତେଣୁ ଏହି ବିଦ୍ରୋହୀ ବିଧାୟକମାନେ ଭୋଟ ଦେବାକୁ ଅଯୋଗ୍ୟ ବୋଲି ସିଂଘଭୀ ଯୁକ୍ତି ଦର୍ଶାଇଥିଲେ ।

ରାଜ୍ୟପାଳ ତରବରିଆଭାବେ ଆସ୍ଥାଭୋଟ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ବାତିଲ କରାଯାଉ ବୋଲି ସେ ଖଣ୍ଡପୀଠଙ୍କ ନିକଟରେ ଦାବି କରିଥିଲେ । ତେବେ ଖଣ୍ଡପୀଠ ଏହି ଦାବିକୁ ଅଗ୍ରାହ୍ୟ କରିବା ସହ ଆସ୍ଥାଭୋଟ ସପକ୍ଷରେ ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ମଙ୍ଗଳବାର ରାତିରେ ଫଡ୍‌ନବୀସ ରାଜଭବନରେ ରାଜ୍ୟପାଳ କୋଶିୟାରୀଙ୍କୁ ଭେଟି ଠାକ୍‌ରେ ସରକାରଙ୍କୁ ଆସ୍ଥାଭୋଟ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ଜଣାଇଥିଲେ । ତଦନୁଯାୟୀ ରାଜ୍ୟପାଳ ଜୁନ ୩୦ ଅର୍ଥାତ ଗୁରୁୁବାର ସକାଳ ୧୧ଟାରେ ଆସ୍ଥାଭୋଟ ଲୋଡିବାକୁ ଉଦ୍ଧବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏପରିକି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ମଧ୍ୟ ରାଜ୍ୟପାଳ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶାନୁଯାୟୀ ଗୁରୁବାର ଦିନ ୧୧ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଆସ୍ଥାଭୋଟ ପ୍ରକ୍ରିୟା ଶେଷ ହେବ । ବିଧାନସଭା ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଓ ଭିଡିଓଗ୍ରାଫି କରାଯିବ । କୌଣସି ପରିସ୍ଥିତିରେ ବାଚସ୍ପତି କିମ୍ବା ଉପବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିପାରିବେ ନାହିଁ । ଆସ୍ଥାଭୋଟ ପ୍ରକ୍ରିୟାର ଭିଡିଓ ଓ ଅନ୍ୟାନ୍ୟ ରିପୋର୍ଟ ରାଜ୍ୟପାଳଙ୍କ ନିକଟରେ ଦାଖଲ କରାଯିବ ବୋଲି ମଧ୍ୟ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking