34.1 C
Bhubaneswar
Saturday, April 27, 2024
Homeଅପରାଧଅମରାବତୀରେ ଉଦୟପୁର ଘଟଣାର ପୁନରାବୃତ୍ତି: ଔଷଧ ବ୍ୟବସାୟୀଙ୍କ ଗଳାକାଟି ହତ୍ୟା

ଅମରାବତୀରେ ଉଦୟପୁର ଘଟଣାର ପୁନରାବୃତ୍ତି: ଔଷଧ ବ୍ୟବସାୟୀଙ୍କ ଗଳାକାଟି ହତ୍ୟା

ଅମରାବଦୀ: ଉଦୟପୁର ହତ୍ୟାକାଣ୍ଡ ପରି ମାମଲା ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ସାମ୍ନାକୁ ଆସିଛି । ଏକ ବିଶେଷ ସମୁଦାୟର କିଛି ଲୋକ ଜଣେ ଔଷଧ ବ୍ୟବସାୟୀ ଉମେଶ ପ୍ରହଲ୍ଲାଦରାଓ କୋହ୍ଲେଙ୍କ ଗଳାକାଟି ହତ୍ୟା କରିଛନ୍ତି । ଏହି ଘଟଣା ଜୁନ୍ ୨୧ ତାରିଖର । ସୂଚନା ଅନୁସାରେ ୫୪ ବର୍ଷୀୟ ଉମେଶ ଜୁନ୍ ୨୧ ତାରିଖ ରାତି ପ୍ରାୟ ୧୦.୩୦ଟା ସମୟରେ ମେଡିକାଲ୍ ଷ୍ଟୋର୍ ବନ୍ଦକରି ଘରକୁ ଫେରୁଥିଲେ । ଏହି ଅବସରରେ ନ୍ୟୁ ହାଇସ୍କୁଲ ଗେଟ୍ ସାମ୍ନା ଅନାଚକ କିଛି ବ୍ୟକ୍ତି ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ । ଏହାପରେ ବାଇକ୍ ପଛରେ ବସିଥିବା ଜଣେ ଯୁବକ ଓହ୍ଲାଇ ଆସି ହଠାତ୍ ଛୁରିରେ ତାଙ୍କ ବେକକୁ ଆକ୍ରମଣ କରିଥିଲା ।

ଚିକିତ୍ସା ବେଳେ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଜିଲ୍ଲାସାରା ଅସନ୍ତୋଷ ଦେଖାଦେଇଛି । ଅମରାବତୀ ପୁଲିସ୍ ହତ୍ୟା ମାମଲା ରୁଜୁକରି ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କୁହ୍ଲେଙ୍କ ପୁତ୍ର ସଙ୍କେତ ପୁଲିସ୍‌ରେ ଏ ନେଇ ଅଭିଯୋଗ କରିଥିଲେ । ପୁଲିସ ପ୍ରାଥମିକ ତଦନ୍ତ ଆଧାରରେ ଆତିଫ୍ ରଶିଦ୍‌, ଶାହରୁଖ୍ ପଠାନ୍‌, ମୁଦାସିର ଅହମ୍ମଦ, ଅବ୍‌ଦୁଲ୍ ତୌଫିକ୍‌, ସୋଏବ୍ ଖାନ୍‌ଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଆସାମୀ ଇର୍ଫାନ୍ ଖାନ୍ (୩୨) ଏବେ ବି ଫେରାର ଅଛି । ଏମାନେ ସମସ୍ତେ ଅମରାବତୀ ନିବାସୀ । କେନ୍ଦ୍ର ଗୃହମନ୍ତ୍ରୀ ଘଟଣାର ଏନ୍‌ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟରେ ଏନ୍‌ଆଇଏ ଟିମ୍ ଅମରାବତୀରେ ପହଞ୍ଚି ମହାରାଷ୍ଟ୍ର ପୁଲିସଠାରୁ ତଥ୍ୟ ସଂଗ୍ରହ କରିଛି । ଏହା ପୂର୍ବରୁ ମହାରାଷ୍ଟ୍ର ଏଟିଏସ୍ ହତ୍ୟାକାଣ୍ଡର ତଦନ୍ତ କରୁଥିଲା । ଏଟିଏସ୍ ହତ୍ୟା ଘଟଣାରେ ଆତଙ୍କବାଦୀ ଆଙ୍ଗଲ୍ ସହ ଉଦୟପୁର ପ୍ୟାଟର୍ନ ଏଠାରେ ବ୍ୟବହାର କରାଯାଇଛି କି ନାହିଁ ତାହା ଉପରେ ତଦନ୍ତ ଚଳାଇଥିଲା । ଏହା ମଧ୍ୟରେ ଅମରାବତୀ ପୁଲିସ କମିଶନର୍ ଅରତୀ ସିଂହ କହିଛନ୍ତି ହତ୍ୟା ଘଟଣାରେ ପାଞ୍ଚଜଣଙ୍କୁ ଗିରଫ କରାଯାଇଛି ଏବଂ ମୁଖ୍ୟ ଅଭିଯୁକ୍ତ ଏକ ଏନ୍‌ଜିଓ ଚଳାଉଥିବା ଇର୍ଫାନ୍ ଖାନ୍‌ର ତଲାସୀ ଜାରି ରହିଛି । ସେ କହିଛନ୍ତି ଉମେଶ କୋହ୍ଲେ ନୂପୁର ଶର୍ମାଙ୍କ ସମର୍ଥନରେ କେତେକ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଏକ ପୋଷ୍ଟ୍ କରିଥିଲେ । ସେ ଭୁଲକ୍ରମେ କିଛି ମୁସ୍‌ଲିମ୍ ଏବଂ ତାଙ୍କ ଗରାଖ ସଦସ୍ୟ ଥିବା ଅନ୍ୟ ଏକ ଗ୍ରୁପ୍‌ରେ ଏହାକୁ ଶେୟାର୍ କରିଦେଇଥିଲେ ।

ପୁଲିସ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଇର୍ଫାନ୍ ଉମେଶଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିବା ସହ ଏଥିପାଇଁ ପାଞ୍ଚଜଣଙ୍କୁ ସାମିଲ କରିଥିଲା । ସେମାନଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ଏବଂ ଫେରାର୍ ହେବାପାଇଁ ଗୋଟିଏ କାର୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଉମେଶଙ୍କ ପୁତ୍ର ସଙ୍କେତଙ୍କ ଅଭିଯୋଗ ଆଧାରରେ ପୁଲିସ ଏଫ୍‌ଆଇଆର୍ ରୁଜୁ କରିବା ସହ ଛଅଜଣ ଅଭିଯୁକ୍ତଙ୍କ ଚିହ୍ନଟ କରିଥିଲା । ଏହା ମଧ୍ୟରୁ ପାଞ୍ଚଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରି ଜବତ କରିଛି ।

ଏହା ସହିତ ପୂରା ଘଟଣା କଏଦ ହୋଇଥିବା ସିସିଟିଭି ଫୁଟେଜ୍ ହାସଲ କରିଛି । ଏସ୍‌ପି ଆରତୀ ସିଂହ କହିଛନ୍ତି ହତ୍ୟା ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଦ୍ୟମ ଚାଲିଛି । ଘଟଣାର ଏନ୍‌ଆଇଏ ତଦନ୍ତ ପାଇଁ ପୂର୍ବରୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା । ଅନ୍ୟପକ୍ଷରେ ପୁଲିସ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟସଭା ସାଂସଦ ଅନୀଲ୍ ବୋଣ୍ଡେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମାଷ୍ଟରମାଇଣ୍ଡ୍ ଗିରଫ ହୋଇନାହିଁ । ଯେଉଁମାନଙ୍କୁ ଧମକ ମିଳିଛି ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଉ ବୋଲି ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking