ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ। ମଝିରେ ସାମୟିକ ଭାବେ ପାରଦ ସାମାନ୍ୟ ତଳକୁ ଖସିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର (ସି (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆସନ୍ତା ମେ’ ୩ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମରୁ ବଡ଼ ଧରଣର ଆଶ୍ଵସ୍ତି ମିଳିନପାରେ। ଆସନ୍ତା ୩ ଦିନ ପ୍ରଚଣ୍ଡ ତାତି ରହିବ। ବିଶେଷ କରି ଶନିବାର ଭୀଷଣ ଗରମ ଅନୁଭୂତ ହୋଇପାରେ। ୨୯/୩୦ ତାରିଖରେ କାଳବୈଶାଖୀ ବର୍ଷା କିଛି ଆଶ୍ବସ୍ତି ଦେଇପାରେ। ବର୍ତ୍ତମାନ ବାୟୁମଣ୍ଡ ମଣ୍ଡଳର ଉପରିଭାଗରେ ବିଭିନ୍ନ ଦିଗରୁ ବାୟୁ ଆସି ଜମାଟ ବାନ୍ଧୁଛି। ଏହି ବାୟୁ ତଳକୁ ଆସିବାରୁ ଉତ୍ତପ୍ତ ହେବା ସହ ବାଷ୍ପୀକରଣ କରୁଛି। ଏହା ବର୍ଷା ହେବାରେ ବାଧକ ହେଉଛି।ବିଶିଷ୍ଟ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୬ରୁ ପାଗରେ ପରିବର୍ତ୍ତନ ଆସିପାରେ। ବଙ୍ଗୋପସାଗରରୁ ପବନ ଅଧିକ ଆସିବା ସମ୍ଭାବନା ଥିବାରୁ ୨୬-୨୭ରେ ଉପକୂଳରେ କାଳବୈଶାଖୀ ବର୍ଷା କରିପାରେ।










