ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ, ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ବାରମ୍ୱାର ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ରାଜ୍ୟରେ ସାମ୍ୱିଧାନିକ ପଦବୀରେ ଥିବା ବ୍ୟକ୍ତିମାନେ କିପରି ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରିଚାଲିଛନ୍ତି, ତାର ଅନେକ ଉଦାହରଣ ପ୍ରସ୍ତୁତ କରିଥିଲେ । ସେ କହିଥିଲେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏକ ରାଲିରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଦେଖିବାକୁ ମିଳିଥିଲା । ଏହି ରାଲିରେ ସୁରମା ପାଢ଼ୀଙ୍କୁ ଭିଡ଼ ଭିତରେ ଧକ୍କା ମରାଯାଇଥିବା କଥା ସାମ୍ନାକୁ ଆସିଥିଲା । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ବାଚସ୍ପତି ପରି ଗାରିମାମୟ ପଦବୀରେ ଅଧିଷ୍ଠିତ ଥିବାବେଳେ ଦଳୀୟ କାର୍ଯ୍ୟକ୍ରମ ଗୁଡିକରେ ଉପସ୍ଥିତ ରହିବା କେତେ ଦୂର ଯୁକ୍ତିଯୁକ୍ତ ? ଏହା ପୂର୍ବରୁ ମଧ୍ୟ ବିଜେପି ପାର୍ଟି ଅଫିସ୍ରେ ହେଉଥିବା କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଦେଖିବାକୁ ମିଳିଛି ।
ସେହିପରି ରାଜ୍ୟରେ ଥିବା ଅନ୍ୟାନ୍ୟ ସାମ୍ୱିଧାନିକ ପଦ, ଯଥା ରାଜ୍ୟ ମହିଳା କମିସନ, ରାଜ୍ୟ ଶିଶୁ କମିସନ ଇତ୍ୟାଦିରେ ବିଜେପି ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ମହିଳା ମାନେ ମଧ୍ୟ ନିଜ ପଦ ମର୍ଯ୍ୟାଦା ରଖୁନାହାନ୍ତି । ଅନେକ ସମୟରେ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ନିକଟରେ ବ୍ରହ୍ମଗିରି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକନ୍ୟା ଦୁଷ୍କର୍ମ ଶିକାର ହୋଇ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ବେଳେ ବିଜୁ ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲା ବେଳେ ରାଜ୍ୟ ଶିଶୁ କମିସନର ଓ ମହିଳା କମିସନ ସେହି ସମୟରେ ବିଜେପି ଦ୍ୱାରା ଆୟୋଜିତ ହେଉଥିବା ମିଛ ଜନ ଆକ୍ରୋଶ ରାଲିରେ ଅଂଶଗ୍ରହଣ କରିଥିଲେ । ତେଣୁ ସାମ୍ୱିଧାନିକ ପଦବୀରେ ଥିବା ନେତାମାନେ ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଲୋକଙ୍କ ସମସ୍ୟା କିପରି ସମାଧାନ ହୋଇପାରିବ, ସେଥିନେଇ ଯତ୍ନବାନ ହୁଅନ୍ତୁ ।










