ଗଜପତି: ଅଜଣା ଗାଡ଼ି ଧକ୍କାରେ ଯୁବକ ଆହତ, ରାସ୍ତା କଡ଼ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ଦୁର୍ଘଟଣାରେ ଶିକାର ହୋଇଥିବା ଯୁବକ ଜଣକ । ଆମ୍ବୁଲାନ୍ସ ନ ମିଳିବାରୁ ଅଟୋରେ ନେଲେ ମେଡ଼ିକାଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଢେଙ୍କାସିନ୍ଧବା ଗାଁ ନିକଟସ୍ଥ ଛକରେ । ଗାଁର ପ୍ରଶାନ୍ତ ଗୌଡ଼ ରାସ୍ତା କଡ଼ରେ ଚାଲି ଚାଲି ଯିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା । ଯାହାଫଳରେ ଯୁବକ ଜଣକ ରାସ୍ତା କଡ଼ରେ ହିଁ ପଡ଼ି ରହିଥିଲା । ସେହି ଅଞ୍ଚଳର ରଞ୍ଜନ ଗୌଡ଼, ଅରୁଣ ଗୌଡ଼ଙ୍କ ସହ କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସେଠାରେ ଥିବା ଯାତ୍ରୀ ବିଶ୍ରାମଗାରା ରଖି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା । ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଜଗି ରହିଲେ ନ ଆସିବାରୁ ଏକ ଅଟୋ ଭଡ଼ା କରି ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ବାରମ୍ବାର ଏବେ ଅଞ୍ଚଳରେ ଆମ୍ବୁଲାନ୍ସର ଅଭାବ ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଜନସାଧାରଣଙ୍କ ପାଇଁ ଆଉ କିଛି ଆମ୍ବୁଲାନ୍ସ ସରକାର ଯୋଗାଇଲେ ଉପକୃତ ହେବେ ବୋଲି ଆସା ରଖିଛନ୍ତି ଅଞ୍ଚଳବାସୀ ।










